ସ୍ନାନଦାନର ମାସ 'ମାଘ'ର ମହତ୍ତ୍ବ

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ବାର ମାସର ମହତ୍ତ୍ବ ରହିଛି । ପ୍ରତ୍ୟେକ ମାସ ସହ ଜଡ଼ିତ ରହିଛି ଅନେକ ପୌରାଣିକ ବ୍ୟାଖ୍ୟାନ ଓ କିମ୍ବଦନ୍ତୀ। ହିନ୍ଦୁ ଧର୍ମରେ “ଆ କା ମା ବୈ”କୁ ଚାରି ଧର୍ମ ମାସ ଭାବେ ଅଭିହିତ କରାଯାଇଛି । ଆ ହେଉଛି ଆଷାଢ, କା ହେଉଛି କାର୍ତ୍ତିକ, ମା ହେଉଛି ମାଘ ଏବଂ ବୈ ହେଉଛି ବୈଶାଖ । ଦଶମ ମାସ ତଥା ଶୀତଋତୁର ଶେଷ ମାସ ମାଘ ମାସର ଅନେକ ବିଶେଷତ୍ବ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଘା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବାରୁ ଏହି ମାସର ନାମ ମାଘ ହୋଇଛି।  ଭଗବାନ ବିଷ୍ଣୁଙ୍କ ଅନ୍ୟତମ ପ୍ରିୟ ମାସ ହେଉଛି ଏହି ମାସ, ତେଣୁ ଏହାକୁ ସ୍ନାନଦାନର ମାସ ବୋଲି କୁହାଯାଏ ।

ମାଘ ମାସରେ ପବିତ୍ର ନଦୀରେ ବୁଡ଼ ପକାଇବା ସହିତ ଦୁଃଖୀରଙ୍କୀଙ୍କୁ ଭୋଜନ କରାଇବା କିମ୍ବା ଦାନ ଧର୍ମ କର୍ମ କଲେ କୋଟି ପୁଣ୍ୟ ପ୍ରାପ୍ତ ହୁଏ ବୋଲି ମତ ରହିଛି। ଏହି ମାସରେ ଭଗବାନ ବିଷ୍ଣୁ, ସୂର୍ଯ୍ୟଦେବ ଏବଂ ଦେବୀ ଗଙ୍ଗାଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଏଥିସହ ଏହି ମାସରେ ପ୍ରତିଦିନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହ ପଞ୍ଚାମୃତ ଓ ହଳଦିଆ ଫୁଲ ଅର୍ପଣ କରିବାର ପରମ୍ପରା ରହିଛି। ପଦ୍ମପୁରାଣର ଉତ୍ତରାଖଣ୍ଡରେ ମାଘ ମାସର ମାହାତ୍ମ୍ୟକୁ ବର୍ଣ୍ଣିତ କରାଯାଇଛି।

ମାଘସ୍ନାନ

ମାଘ ମାସରେ ହିନ୍ଦୁ ଧର୍ମରେ ବର୍ଣ୍ଣିତ ପବିତ୍ର ନଦୀ ଓ ପୁଷ୍କରଣୀରେ ସ୍ନାନକୁ “ମାଘସ୍ନାନ” ବା “ମାଘ ବୁଡ଼” କୁହାଯାଏ। ଆଉ ଏହି ମାସରେ ସ୍ବୟଂ ଭଗବାନ ବିଷ୍ଣୁ ଗଙ୍ଗାଜଳରେ ବାସ କରୁଥିବାରୁ ଗଙ୍ଗା ଜଳରେ ସ୍ନାନ ଅଥବା କେବଳ ଗଙ୍ଗା ଜଳ ସ୍ପର୍ଶ ମାତ୍ରେ ସମସ୍ତ ପାପ ଖଣ୍ଡନ ଏବଂ ସ୍ବର୍ଗଲୋକ ପ୍ରାପ୍ତି ହୁଏ । ଏହାସହ ଏହି ମାସରେ ପ୍ରତ୍ୟେକ ମନୁଷ୍ୟ ଗୋଟିଏ ଥର ପବିତ୍ର ନଦୀରେ ସ୍ନାନ କରିବା ଉଚିତ୍ ବୋଲି ପୁରାଣରେ ଉଲ୍ଲେଖ ରହିଛି । ପ୍ରତିଦିନ ଭୋରୁ ଭୋରୁ ସ୍ନାନ କରି ସୂର୍ଯ୍ୟ ପୂଜା କରିବା ଦ୍ବାରା ପ୍ରାୟଶ୍ଚିତ ବା ଅନୁତାପ, ପୁର୍ନଜନ୍ମରୁ ମୁକ୍ତି ଏବଂ ରୋଗକଷ୍ଟରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି ।

ପର୍ବପର୍ବାଣୀ ଓ ଓଷାବ୍ରତ

ମାଘ ମାସରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଏବଂ ଓଷା ବ୍ରତ ପଡ଼େ। ଯଥା: ସଙ୍କଟ ଚତୁର୍ଥୀ ପର୍ବ, ଅଷ୍ଟଜା ଶ୍ରାଦ୍ଧ, ଷଟତିଳା ଏକାଦଶୀ, ତ୍ରିବେଣୀ ଅମାବାସ୍ୟା, ସରସ୍ବତୀ ପୂଜା, ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମା ଆଦି । ସନ୍ତାନ ପ୍ରାପ୍ତି ଆଶାରେ ସଙ୍କଟ ଚତୁର୍ଥୀ ଏବଂ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଷଟତିଳା ଏକାଦଶୀ ପାଳନ କରାଯାଏ । ଏହି ଦିନ କଟକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରସ୍ଥଳୀ ସ୍ଥିତ ଓଳାଶୁଣୀ ପର୍ବତ ଗୁମ୍ଫାରେ ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ପ୍ରସିଦ୍ଧ ଓଳାଶୁଣି ଯାତ୍ରା ଆରମ୍ଭ ହୁଏ। ଦୀର୍ଘ ଦଶ ଦିନ ବ୍ୟାପୀ ଏହି ମେଳା ଅନୁଷ୍ଠିତ ହୋଇଥଏ । ମେଳାରେ ପୋଡ଼ ପିଠାର ବେଶ ଚାହିଦା ରହିଥାଏ। ଯେଉଁ ଘରେ ମାର୍ଗଶୀର ମାସରେ ମାଣବସା କରିପାରିନଥାନ୍ତି, ସେମାନେ ମାଘ ଗୁରୁବାର ମାଣବସା ବସାଇଥାନ୍ତି।

ତ୍ରିବେଣୀ ଅମାବାସ୍ୟାକୁ ମୌନୀ ଅମାବାସ୍ୟା ମଧ୍ୟ କୁହାଯାଏ। ମୌନ ରହି ପାପ ନାଶ ଏବଂ ଆତ୍ମ ଶୁଦ୍ଧି ପାଇଁ ଏହି ମୌନୀ ଅମାବାସ୍ୟା ପାଳନ କରାଯାଏ। ଏହି ଦିନରେ ଗଙ୍ଗା ଯମୁନା ସରସ୍ବତୀର ସଙ୍ଗମସ୍ଥଳୀରେ ମଧ୍ୟ ଶ୍ରଦ୍ଧାଳୁମାନେ ସ୍ନାନ କରିଥାନ୍ତି। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀରେ ସମଗ୍ର କଳା ଏବଂ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀଙ୍କୁ ପୂଜା କରାଯାଏ । ଏହି ଦିନକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ କୁହାଯାଏ। ଦେବୀ ସରସ୍ବତୀଙ୍କ ଆବିର୍ଭାବ ଦିବସ ଭାବେ ତାଙ୍କୁ ବିଶେଷ ରୂପେ ପୂଜାର୍ଚ୍ଚନା କରାଯାଏ। 

ମାଘ ମାସର ଅନ୍ୟତମ ମୁଖ୍ୟ ପର୍ବ ହେଉଛି ଶୁକ୍ଲପକ୍ଷରେ ପଡ଼ୁଥିବା ମାଘ ସପ୍ତମୀ । ଏହା ମଧ୍ୟ ରଥ ସପ୍ତମୀ ବା ତିଳ ସପ୍ତମୀ ଭାବେ ଜଣାଶୁଣା। ଏହି ଦିନ ସୂର୍ଯ୍ୟଙ୍କୁ ପୂଜା କରିବା ସହ ସ୍ନାନ, ଦାନ ଓ ପିତୃ ତର୍ପଣ କରାଯାଏ । ଏହି ଦିନଠାରୁ ଚନ୍ଦ୍ରଭାଗା ମେଳା ଓ ଖଣ୍ଡଗିରି ମେଳା ମଧ୍ୟ ଆରମ୍ଭ ହୁଏ।

ମାଘ ପୂର୍ଣ୍ଣିମା

ଅଗିଜଳା ପୂର୍ଣ୍ଣିମା, ଅଇଘର ପୂର୍ଣ୍ଣମୀ, ଅଗ୍ନି ଉତ୍ସବ, ଅଇଘେରା କିମ୍ବା ଅଗିରା ପୁନେଇଁ ନାଁରେ ମାଘ ପୂର୍ଣ୍ଣିମା ଓଡ଼ିଶାର ପୁରପଲ୍ଲୀରେ ଜଣାଶୁଣା । ଅଗ୍ନି ଦେବଙ୍କର ପୂଜା ଉତ୍ସବ ଭାବେ ଅଗିଜଳା ପୁନେଇଁ ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ। ଏହି ଦିନ ଗାଁ ମୁଣ୍ଡରେ ବାଉଁଶ ଅଗି ସ୍ଥାପନ କରାଯାଇ ନଡ଼ା କୁଟାରେ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । ଏହାପରେ ନାନାଦି ଭୋଗକୁ ଅଗ୍ନିରେ ସମର୍ପଣ କରାଯାଏ। ଏହାସହ ସେହି ଅଗ୍ନିରେ ଆଳୁ ଓ ବାଇଗଣ ଆଦି ଫଳ ପୋଡ଼ିଥାନ୍ତି। ବିଶ୍ବାସ ରହିଛି, ଏହି ପୋଡ଼ା ଫଳକୁ ଖାଇଲେ ଚର୍ମରୋଗ ହୁଏ ନାହିଁ ଏବଂ ଅଗିନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଭଲ ଫସଲ ଉତ୍ପାଦନ ହୋଇଥାଏ।

ମାଘ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ। ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର ପଠାଇ କୁମ୍ଭୀର ମୁହଁରୁ ଏକ ଅସହାୟ ଗଜେନ୍ଦ୍ର ନାମକ ଏକ ହସ୍ତୀକୁ ଉଦ୍ଧାର କରିଥିଲେ। ସେହି ଉଦ୍ଦ୍ୟେଶରେ ଶ୍ରୀଜିଉମାନଙ୍କର ଗଜ ଉଦ୍ଧାରଣ ବେଶ କରାଯାଇଥାଏ। ଏହାସହ ଏହି ଦିନ ପୁଣ୍ୟ ତୀର୍ଥମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଜନସମାଗମ ହୁଏ। ଏହି ଦିନ ଗରିବଙ୍କୁ ଦାନ କରାଯାଏ। କେହି କେହି ଗୋଦାନ ମଧ୍ୟ କରନ୍ତି। ପୌରାଣିକ ମତ ଅନୁଯାୟୀ ଏହି ଦିନ ଦେବତାମାନେ ବେଶ ବଦଳାଇ ଗଙ୍ଗା ସ୍ନାନ କରିବାକୁ ପ୍ରୟାଗ ଆସନ୍ତି। ତେଣୁ ଏହି ମାଘସ୍ନାନର ଅନେକ ମାହାତ୍ମ୍ୟ ରହିଛି।

ମାଘ ମେଳା

ଧର୍ମ ଓ ଦାନର ମାଘ ମାସରେ ଅନେକ ପବିତ୍ର ନଦୀଗୁଡ଼ିକର ସଙ୍ଗମସ୍ଥଳୀରେ ମେଳା ଅନୁଷ୍ଠିତ ହୋଇଥାଏ, ଯାହାକୁ “ମାଘମେଳା” କୁହାଯାଏ, ଯେଉଁଥିରେ ସମଗ୍ର ଦେଶରୁ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ଯୋଗ ଦେଇଥାନ୍ତି। କୁହାଯାଏ ଯେ ମାଘମେଳା ହେଉଛି ନଦୀପର୍ବର ଏକ ଅଂଶ। ଆମ ଭାରତରେ ନଦୀକୁ ତୀର୍ଥସ୍ଥଳୀ ବୋଲି ମଧ୍ୟ ବିବେଚନା କରାଯାଏ। ଏଥିମଧ୍ୟରୁ ପ୍ରୟାଗରାଜରେ କୁମ୍ଭମେଳା ଗୁରୁତ୍ବପୂର୍ଣ୍ଣ । ଏହି ମେଳା  ବାର ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ବୃହସ୍ପତିଙ୍କର ପବିତ୍ର ଅବସ୍ଥାନ ହୁଏ ସେତେବେଳେ କୁମ୍ଭମେଳା ଅନୁଷ୍ଠିତ ହୁଏ।

ଚନ୍ଦ୍ରଭାଗା ମେଳା

ଆମ ଓଡ଼ିଶାରେ ମାଘ ସପ୍ତମୀରେ କୋଣାର୍କ ଚନ୍ଦ୍ରଭାଗାରେ ମାଘମେଳା ଅନୁଷ୍ଠିତ ହୁଏ। ଏଠାରେ ଗଙ୍ଗା କୋଟି ତୀର୍ଥ ଧରି ପ୍ରବାହିତ ହେଉଥିବାରୁ ଏଠାରେ ସ୍ନାନ କରି ଯିଏ ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତି, ସେମାନଙ୍କର କୋଟି ପାପ ନାଶ ହୁଏ ଏବଂ ମନସ୍କାମନା ପୂର୍ଣ୍ଣ ହୁଏ। ପୌରାଣିକ କଥା ଅନୁଯାୟୀ କୃଷ୍ଣଙ୍କ ପୁତ୍ର ଶାମ୍ବ କୋଣାର୍କରେ ବାର ବର୍ଷ ତପସ୍ୟା କରିଥିଲେ। ଶେଷରେ ଏହି ମାଘ ଶୁକ୍ଳପକ୍ଷ ସପ୍ତମୀ ଦିନ ତାଙ୍କ ତପସ୍ୟାର ଏକୋଇଶି ଦିନର କଠିନ ସୂର୍ଯ୍ୟ ଉପାସନା ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ କୁଷ୍ଠ ରୋଗରୁ ମୁକ୍ତ ହେଲେ । ସେହିପରି ସାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅନୁଯାୟୀ ପଞ୍ଚୁପାଣ୍ଡବମାନେ ତାଙ୍କ ବନବାସ ସମୟରେ ଏହି ସ୍ଥାନରେ କିଛିଦିନ ଅବସ୍ଥାନ କରିବା ପରେ ଚନ୍ଦ୍ରଭାଗାରେ ମାଘ ସପ୍ତମୀ ଦିନ ବୁଡ଼ ପକାଇ ପାପ ମୁକ୍ତ କାମନା କରିଥିଲେ । ଚନ୍ଦ୍ରଭାଗାରେ ବୁଡ଼ ପକାଇବାର ଅନେକ ତାପର୍ଯ୍ୟ ରହିଛି। ତେଣୁ ମାଘସପ୍ତମୀ ଦିନ ରାତିରେ ଉଜାଗର ରହି ସକାଳୁ ସୂର୍ଯ୍ୟ ଦର୍ଶନ ସହ ସ୍ନାନ, ଦାନ ଓ ଧର୍ମ କରିଥିବା ପ୍ରାଣୀ ପୁଣ୍ୟାତ୍ମାରେ ଗଣନା କରାଯାଏ।

ଯୋରନ୍ଦା ମହିମା ମେଳା

ପ୍ରତି ବର୍ଷ ମାଘମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରୁ ପୂର୍ଣ୍ଣିମା ଯାଏଁ ତିନି ଦିନ ପର୍ଯ୍ୟନ୍ତ ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାର ଆୟୋଜନ ହୋଇଥାଏ। ବିଶେଷକରି ମହିମା ଧର୍ମାବଲମ୍ବୀମାନେ ଏହି ମେଳାରେ ସାମିଲ ହୋଇଥାନ୍ତି। ଏହି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଝାଡ଼ଦୀପ ପ୍ରଜ୍ୱଳନ। ତିନି ଦିନ ଯାକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରି ମହଣ ମହଣ ଘିଅରେ ପିତ୍ତଳ ଝାଡ଼ଦୀପ ପ୍ରଜ୍ୱଳିତ କରାଯାଏ । ଏହି ସମୟରେ ମହିମା ସନ୍ୟାସୀମାନେ ମହିମା ଗୋସାଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଦଶମୀ ତିଥିରୁ ମହିମା ଗାଦିରେ ସନ୍ୟାସୀମାନେ ଏକାଠି ହୋଇଥାନ୍ତି । ତ୍ରୟୋଦଶୀ ପାହାନ୍ତରୁ ମହିମା ମେଳା ଆରମ୍ଭ ହୁଏ । ଏହାକୁ ପାହାନ୍ତ ପୂର୍ଣ୍ଣିମା ବୋଲି କୁହାଯାଏ । ମୁଖ୍ୟ ଗାଦି ମନ୍ଦିରରେ ସନ୍ଧ୍ୟାରେ ଝାଡ଼ଦୀପ ପ୍ରଜ୍ଜ୍ୱଳିତ ହେବା ସହ ମହିମା ଅଲେଖ ଧୂନୀରେ ପ୍ରକମ୍ପିତ ହୋଇଥାଏ ସାରା ଅଞ୍ଚଳ ।

ଧାର୍ମିକ ସହ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ମାଘ ମାସ ଅନେକ ଗୁରୁତ୍ବ ବହନ କରେ। ସକାଳେ ସ୍ନାନ କରିବାର ଅଭ୍ୟାସ ଶରୀର ପକ୍ଷେ ହିତକର ଏବଂ ଭାରି ଭୋଜନ ଛାଡ଼ି ହାଲକା ଭୋଜନ କରିବା ଦ୍ବାରା ଶରୀର ଆରୋଗ୍ୟ ରୁହେ । ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କଲେ ମନରେ ଏକାଗ୍ରତା ବଢ଼ିବା ସହ ମାନସିକ ଶାନ୍ତି ମିଳେ । ନକାରାତ୍ମକ ଭାବନା ଦୂର ହୋଇ ଶରୀରରେ ସକାରାତ୍ମକ  ପ୍ରଭାବ ପଡ଼େ। ଆମର ଏହି ଆଲେଖ୍ୟଟି ଆପଣଙ୍କୁ କେମିତି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ବଢ଼ାଇବାରେ ସହଯୋଗ କରିବ ।

Spread the love