ଶ୍ରୀମନ୍ଦିରରେ ପଟିଦିଅଁର ପରମ୍ପରା

ସ୍ନାନବେଦୀରେ ୧୦୮ଗରା ଜଳ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀମନ୍ଦିରର ଚତୁର୍ଦ୍ଧାମୂର୍ତ୍ତି । ଜ୍ୱରରୁ ମୁକ୍ତି ପାଇଁ ଅଣସର ଗୃହରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା । ନେତ୍ରୋତ୍ସବ ପର୍ଯ୍ୟନ୍ତ ଅଣସର ଗୃହେ ପନ୍ଦର ଦିନ ଯାଏଁ ମହାପ୍ରଭୁ ବଳଭ୍ରଦ, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କର ସେବା କର୍ମ ସଂପୂର୍ଣ୍ଣ ଗୋପନରେ କରାଯିବ । ଜ୍ୱରରେ ପୀଡ଼ିତଙ୍କୁ ଯେପରି ପଥି, ପାଚନ ଓ ଔଷଧର ଆବଶ୍ୟକତା ପଡ଼ିଥାଏ, ଠିକ୍‌ ସେହିପରି ଶ୍ରୀବିଗ୍ରହଙ୍କୁ ସେବା କରାଯାଉଛି । ଏହି ସମୟରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ, ହେଲେ ତାଙ୍କ ସ୍ଥାନରେ ପୂଜାପାଉଛନ୍ତି ପଟିଦିଅଁ ।

ଅଣସରରେ ପଟିଦିଅଁ ପୂଜାର୍ଚ୍ଚନା

ପ୍ରତିବର୍ଷ ସ୍ନାନପୂର୍ଣ୍ଣିମା ନୀତି ପରଠାରୁ ଶ୍ରୀଜିଉଙ୍କର ଅଣସର ଆରମ୍ଭ ହୋଇଥାଏ। କେବଳ ଗୁପ୍ତସେବାରେ ନିୟୋଜିତ ସେବକଙ୍କ ବ୍ୟତୀତ, ଏହି ସମୟରେ ଅନ୍ୟମାନଙ୍କ ପାଇଁ ତାଙ୍କର ଦର୍ଶନ ନିଷେଧ ହୋଇଥାଏ। ବିଧିମୁତାବକ ଏହି ସମୟରେ ଅଣସର ତାଟି ବାହାରେ ଜଗମୋହନରେ ବିଜେ ହୋଇଥାନ୍ତି ତିନି ଠାକୁରଙ୍କ ସ୍ବରୂପ ଚିତ୍ର ପଟ୍ଟ, ଯାହାକୁ କୁହାଯାଏ ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ଅନନ୍ତ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଯାଜ୍ଞସେନୀ ତଥା ମା’ ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଶ୍ରୀ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜାର୍ଚ୍ଚନା କରାଯାଏ ।

ପଟ୍ଟଚିତ୍ର ପ୍ରସ୍ତୁତି

ଛତିଶା ନିଯୋଗ ଅନ୍ତର୍ଗତ ଚିତ୍ରକର ସେବକମାନେ ପଟିଦିଅଁଙ୍କୁ ପ୍ରତିବର୍ଷ ପ୍ରସ୍ତୁତ କରିଥାଆନ୍ତି । ଅତି ନିଷ୍ଠାର ସହ ଚିତ୍ରକରମାନେ ପଟିଦିଅଁଙ୍କ ଚିତ୍ର ଆଙ୍କିଥାନ୍ତି । ନିରାମିଷ ଗ୍ରହଣ କରି ବନ୍ଦ କୋଠରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପଟ୍ଟଚିତ୍ରରେ ପଟିଦିଅଁ ପ୍ରସ୍ତୁତି କରାଯାଏ ।  ଏହାସହ ପରମ୍ପରା ଅନୁଯାୟୀ ପଟିଦିଅଁ ପ୍ରସ୍ତୁତି କୋଠରୀକୁ ମହିଳାମାନଙ୍କ ବାରଣ ହୋଇଥାଏ।  ଏହି ପଟିଦିଅଁ ପ୍ରସ୍ତୁତି କାର୍ଯ୍ୟ ଶୀତଳଷଷ୍ଠୀରୁ ଆରମ୍ଭ ହୋଇଥାଏ । ଏଥି ପାଇଁ ନୂଆ କନା, ଅଠା, ଖଡ଼ି ଗୁଣ୍ଡର ଆବଶ୍ୟକ ଥାଏ । ପ୍ରଥମେ ପଟି ଅଠା ରନ୍ଧା ହୁଏ। ଏହାକୁ ନୂଆ କନାରେ ବୋଳା ହୋଇ ଶୁଖିବା ପାଇଁ ଛାଡ଼ି ଦିଆଯାଏ । ପଟି ଶୁଖିଲା ପରେ ଖଡ଼ି ବୋଳା ଆରମ୍ଭ ହୋଇଥାଏ । ପରେ ଖସା ଓ ପଲିସ୍‌ କାମ ଆରମ୍ଭ ହୁଏ । ପଲିସ୍‌ ହୋଇ ଚିକ୍କଣ ଦେଖାଯିବା ପରେ ଏହାକୁ ମାପ ଅନୁଯାୟୀ କଟା ଯାଇଥାଏ । ପରେ ରଙ୍ଗ କାମ ଆରମ୍ଭ ହୋଇଥାଏ। ତେବେ ପଟ୍ଟଚିତ୍ରରେ ପାରମ୍ପରିକ ରଙ୍ଗ ବ୍ୟବହୃତ କରାଯାଏ । ଯେପରି ହିଙ୍ଗୁଳାରୁ ନାଲି ରଙ୍ଗ, ହରତାଳରୁ ହଳଦିଆ, ଖଣ୍ଡନୀଳରୁ ନୀଳ, ଗୁଆ ଘିଅ ଦୀପରୁ କଳା ଏବଂ ଶଙ୍ଖରୁ ଧଳା ତିଆରି ରଙ୍ଗକୁ ହିଁ ଏହି ପଟ୍ଟଚିତ୍ରରେ ବ୍ୟବହାର କରାଯାଏ । ପଟ୍ଟ ମଧ୍ୟରେ ଅନନ୍ତ ନାରାୟଣଙ୍କର ନୀଳ ମେଘବର୍ଣ୍ଣ, ଅନନ୍ତ ବାସୁଦେବଙ୍କ କଳେବର ଶ୍ବେତବର୍ଣ୍ଣ ଏବଂ ସୁଭଦ୍ରାଙ୍କର ହରିଦ୍ର ବର୍ଣ୍ଣ ସହ ସମସ୍ତଙ୍କର ପୃଷ୍ଠପଟ ଗାଢ ନାଲି ରଙ୍ଗରେ ଚିତ୍ରିତ ହୋଇଥାଏ ।

ପଟ୍ଟଚିତ୍ରରେ ପୂର୍ଣ୍ଣାଙ୍ଗ ଦିଅଁ

ପ୍ରତ୍ୟେକ ପଟିର ଆକାର ସାଢେ ପାଞ୍ଚ ଫୁଟ ଉଚ୍ଚତା ଏବଂ ସାଢେ ଚାରି ଫୁଟ ଚଉଡ଼ା ବିଶିଷ୍ଟ ହୋଇଥାଏ। ଦାରୁଦେବତା ଶ୍ରୀଜିଉଙ୍କ ହାତଗୋଡ଼ ନଥିବା ବେଳେ ପଟିଦିଅଁମାନେ ଚତୁଃହସ୍ତ ଓ ଦୁଇ ପଦ ବିଶିଷ୍ଟ ଏବଂ ପଦ୍ମାସନରେ ବିରାଜିତ । ଆଉ ଏହି ପଟିଦିଅଁ ହିଁ ଦର୍ଶାଏ ଯେ କାଳିଆ ଠାକୁର ହିଁ ବିଷ୍ଣୁ ତଥା ନାରାୟଣଙ୍କ ଅବତାର, ଯିଏ ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମରେ ସୁଶୋଭିତ । ସେହିପରି ଶ୍ରୀ ବାସୁଦେବ ଏବଂ ମା’ ଭୁବନେଶ୍ବରୀ ମଧ୍ୟ ଚତୁଃହସ୍ତ ଓ ଦୁଇ ପାଦ । କେବଳ ପଦ୍ମ ବଦଳରେ ଶ୍ରୀ ଅନନ୍ତ ବାସୁଦେବ ମୁସଳ ଧରିଛନ୍ତି ଏବଂ ମା’ ଭୁବନେଶ୍ବରୀଙ୍କର ହସ୍ତରେ ଦୁଇଟି ପଦ୍ମ ଏବଂ ଅନ୍ୟ ହସ୍ତ ଅଭୟ ମୁଦ୍ରାରେ ଚିତ୍ରିତ ।

ସ୍ନାନପୂର୍ଣ୍ଣିମାରେ ବିଜେ କରନ୍ତି ପଟିଦିଅଁ

ସ୍ନାନ ପୂର୍ଣ୍ମିମାରେ ଶ୍ରୀଜିଉ ଶହେ ଆଠ ଗରାରେ ଗାଧୋଇ ଜ୍ବରରେ ପୀଡ଼ିତ ହେବା ପରେ ଅଣସର ଗୃହକୁ ଯାଇଥାନ୍ତି । ସ୍ନାନଯାତ୍ରା ପରଦିନ ତଥା ଗଭୀର ରାତିରେ ପଟିଦିଅଁ ଶ୍ରୀମନ୍ଦିରରେ ବିଜେ ହୋଇଥାନ୍ତି । ସ୍ନାନବେଦୀରୁ ଶ୍ରୀଜିଉମାନଙ୍କ ପହଣ୍ଡି ହେବା ପରେ ଚିତ୍ରକରମାନେ ପାରମ୍ପରିକ ଘଣ୍ଟବାଦ୍ୟ ବଜାଇ ତିନୋଟି ପଟ୍ଟକୁ ପାଟପତନିରେ ଗୁଡ଼ାଇ ପୂର୍ବଦ୍ବାର ବାଟେ ଆଣି ଅଣସରର ବାହାର ତାଟିରେ ସ୍ଥାପିତ କରିଥାନ୍ତି । ତା’ପରେ ଖଟରେ ତୂଳାଶେଯ ପକାଇ ଦଶାବତାର ପ୍ରତିମାନମାନଙ୍କୁ ସ୍ଥାପନା କରାଯାଏ । ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା’ ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତ୍ତିକୁ ଅଧିଷ୍ଠିତ କରାଯାଇ ପୂଜାର୍ଚ୍ଚନା କରାଯାଏ । ଏହି ପଟିଦିଅଁଙ୍କ ସହ ଦଶାବତାର ମୂର୍ତ୍ତିଙ୍କର ପୂଜାର୍ଚ୍ଚନା ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିଥାଏ । ଶ୍ରୀବିଗ୍ରହଙ୍କୁ ଅଣସରରେ ଫଳମୂଳ ଭୋଗ ଲାଗି ହେଉଥିବା ବେଳେ ପଟିଦିଅଁ ପାଖରେ ପନ୍ଦର ଦିନ ଯାଏ ଲାଗି ହୁଏ ଛପନ ଭୋଗ । ବିଶ୍ବାସ ରହିଛି ଯେ ଅଣସର ସମୟରେ ତାଟିଠାରେ ପୂଜିତ ଦଶାବତାର ଠାକୁରଙ୍କ ଦର୍ଶନ କଲେ ପରମ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ଅନବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ, ପଟିଦିଅଁ ଏବଂ ଶ୍ରୀଅଲରାନାଥ ଆଦି ତିନି ରୂପରେ ଉପାସିତ ହୋଇଥାନ୍ତି । ଶ୍ରୀମନ୍ଦିରରେ ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରୁଥିବା ବେଳେ ମହାପ୍ରଭୁଙ୍କ ପ୍ରସ୍ତର ବିଗ୍ରହ ବ୍ରହ୍ମଗିରିର ଶ୍ରୀଅଲାରନାଥ ପୂଜା ପାଇଥାନ୍ତି । କଥାରେ ଅଛି ବର୍ଷସାରା ମହାପ୍ରଭୁଙ୍କ ରତ୍ନବେଦୀରେ ଦର୍ଶନ କରିବାରେ ଯେଉଁ ପୁଣ୍ୟ ମିଳେ, ଅଣସର ସମୟରେ ଅଲରାନାଥଙ୍କୁ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ ।  ଶ୍ରୀଅଲରାନାଥ ଓ ପଟିଦିଅଁ ଦେବତା ମହାପ୍ରଭୁଙ୍କ ନବଯୌବନ ବେଶ ଦିନ ଯାଏଁ ପୂଜା ପାଇଥାନ୍ତି । ଜଗତର ଠାକୁର ମହାପ୍ରଭୁ ଜଗନ୍ନାଥ ଅନବସରରେ ରହିଲେ ବି କୋଟି କୋଟି ଭକ୍ତଙ୍କୁ ବିଭିନ୍ନ ରୂପରେ ଦର୍ଶନ ଦେଇ ସର୍ବଦା ନିଜର କୃପା ଦୃଷ୍ଟି ରଖିଥାନ୍ତି ।

Spread the love