Budhi Thakurani

ରେଶମ ସହର ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ।  ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ଭକ୍ତି, ଆସ୍ଥା ଓ ବିଶ୍ବାସର ପ୍ରତୀକ ମା’ କାଇଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି । ଶହ ଶହ ବର୍ଷ ଧରି ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରି ମା’ ଗ୍ରାମଦେବୀରୁ ପାଲଟିଛନ୍ତି ଇଷ୍ଟଦେବୀ । କରୁଣାମୟୀ ମା’ଙ୍କର ଅଦ୍ଭୁତ ଲୀଳା ପାଇଁ ତାଙ୍କୁ କିଏ ମାଆ ସାଆନ୍ତାଣୀ ଡାକେ ତ କିଏ କୁହନ୍ତି ବଡ଼ ଠାକୁରାଣୀ । ବର୍ଷତମାମ ମା’ଙ୍କୁ ସ୍ବତନ୍ତ୍ର ରୀତିନାତି ଅନୁଯାୟୀ ବିଭିନ୍ନ ତିଥିରେ ପୂଜାର୍ଚ୍ଚନା କରାଯାଇଥାଏ, କିନ୍ତୁ ଦୁଇ ବର୍ଷର ଅନ୍ତରରେ ଚୈତ୍ର ଓ ବୈଶାଖ ମାସରେ ଅନୁଷ୍ଠିତ ଠାକୁରାଣୀ ଯାତ୍ରା ମା’ଙ୍କ ମୁଖ୍ୟ ପର୍ବ । ଆସନ୍ତୁ ଆଜିର ଏହି ବ୍ଲଗରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ସମ୍ପର୍କରେ ଜାଣିବା କିଛି ରୋଚକପୂର୍ଣ୍ଣ ତଥ୍ୟ ।

ସାମାଜିକ, ସାଂସ୍କୃତିକ ତଥା ସୃଜନଶୀଳତା ଓ ସଦଭାବନାର ପର୍ବ ହେଉଛି ମା’ ବୁଢ଼ୀ ଠାକୁରାଣୀ ଯାତ୍ରା । ଏହି ଦ୍ବିବାର୍ଷିକ ଯାତ୍ରା କେବେ ଆରମ୍ଭ ହୋଇଥିଲା, ସେ ସମ୍ପର୍କରେ କିଛି ସଠିକ୍ ତଥ୍ୟ ନାହିଁ, କିନ୍ତୁ ଅନେକ ଲୋକକଥା ଓ କିମ୍ବଦନ୍ତୀ ଅନୁଯାୟୀ ମହୁରୀ ରାଜପରିବାର ଏବଂ ଡେରା ସମ୍ପ୍ରଦାୟଙ୍କ ସଂଶ୍ଲିଷ୍ଟକୁ ଧରିଲେ ଏହା ପ୍ରାୟ 250 ବର୍ଷର ପୁରୁଣା ।  ତେବେ ଏହି ଡେରା ସମ୍ପ୍ରଦାୟର ମୁଖିଆଙ୍କୁ ମହୁରି ରାଜା ‘ବେହେରା’ ଉପାଧିରେ ଭୂଷିତ କରିଥିଲେ । ତାଙ୍କରି ବଂଶଧରମାନେ ଆଜି ଦେଶୀବେହେରା ନାମରେ ପରିଚିତ, ଯିଏ ମା’ ବୁଢ଼ୀ ଠାକୁରାଣୀଙ୍କ ବାପଘର ଲୋକ । ଏମାନେ ହିଁ ଠାକୁରାଣୀ ଯାତ୍ରାର ଆୟୋଜନ କରିଥାନ୍ତି ।

ଯାତ୍ରାର ବିଧି ଓ ରୀତିନୀତି

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ଭାବେ ଦୀର୍ଘ ଦୁଇଶହ ବର୍ଷରୁ ଅଧିକ ସମୟ ଧରି ଗଢି ଉଠିଥିବାରୁ ଏଥିରେ ବିଭିନ୍ନ ଧାର୍ମିକ, ପାରିପାର୍ଶ୍ବିକ ଓ ସାମାଜିକ ରୀତିନୀତିକୁ ପ୍ରଚଳନ କରାଯାଉଥିବା ଦେଖିବାକୁ ମିଳେ । ଚୈତ୍ର ମାସରେ ଅନୁଷ୍ଠିତ ଏହି ଯାତ୍ରା ପ୍ରାୟ ଏକୋଇଶି ଦିନରୁ ଅଧିକ ବା ମାସେ ଧରି ଚାଲିଥାଏ । ପ୍ରତି ଦୁଇ ବର୍ଷରେ ଥରେ ମା’ ଠାକୁରାଣୀ ନିଜର ମାନବୀୟ ଲୀଳା କରିବା ପାଇଁ ଦେଶୀବେହେରାସ୍ଥିତ ନିଜ ବାପଘରକୁ ଆସନ୍ତି । ଏଥିପାଇଁ ବହୁ ଆଗରୁ ଆରମ୍ଭ ହୋଇଯାଏ ପୂର୍ବ ପ୍ରସ୍ତୁତି । ଦେବାଙ୍ଗ ସଂପ୍ରଦାୟର ମୁଖିଆମାନଙ୍କ ମଧ୍ୟରେ ଆୟୋଜିତ ବୈଠକରେ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ସହ ନୀତି ନିର୍ଘଣ୍ଟ କରାଯାଇଥାଏ । ଶିବରାତ୍ରୀ ପରେ ପରେ ଦେଶୀବେହେରାସ୍ଥିତ ଦେବୀଙ୍କ ନିକଟରେ ଶୁଭଖୁଣ୍ଟି ପୂଜାର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିରକୁ ନିଆଯାଏ । ସେଠାରୁ ଆଜ୍ଞାମାଳ ପାଇବା ପରେ ଶୁଭଖୁଣ୍ଟିକୁ ଦେଶୀବେହେରାଙ୍କ ଘର ସାମ୍ନା ଅସ୍ଥାୟୀ ମଣ୍ଡପ ନିର୍ମାଣ ସ୍ଥଳରେ ସ୍ଥାପନ କରାଯାଏ । ନିର୍ଦ୍ଦିଷ୍ଟ ତିଥିରେ ଶୋଭାଯାତ୍ରାରେ ଯାଇ ଠାକୁରାଣୀଙ୍କୁ ବାପଘରକୁ ନିମନ୍ତ୍ରିତ କରାଯାଏ । ଏହାପରେ ଧାର୍ଯ୍ୟ ଶୁଭମୁହୂର୍ତ୍ତରେ ମଧ୍ୟରାତ୍ରରେ ଦେଶୀବେହେରା ସପରିବାର ଠାକୁରାଣୀ ମନ୍ଦିରକୁ ଯାଇ ଆଜ୍ଞାମାଳ ସ୍ବରୂପ ଫୁଲ ଗ୍ରହଣ କରିବା ପରେ ଠାକୁରାଣୀ ଯାତ୍ରାର ହୋଇଥାଏ ଶୁଭାରମ୍ଭ । ଏହାପରେ ମା’ ନିଜ ମନ୍ଦିରରୁ ଏକ ସ୍ବତନ୍ତ୍ର ଶୈଳୀରେ ନିର୍ମିତ ଏବଂ ତନ୍ତ୍ରମନ୍ତ୍ର ଦ୍ବାରା ଅଭିମନ୍ତ୍ରିତ ଦେଶୀ ବେହେରାଙ୍କ ଅସ୍ଥାୟୀ ମନ୍ଦିରକୁ ଚାଙ୍ଗୁଡ଼ିରେ ଆସନ୍ତି  ।

ଯାତ୍ରାର ବିଶେଷ ଆକର୍ଷଣ ଶୋଭାଯାତ୍ରା ଓ ବେଶଧାରଣ

ଯାତ୍ରା ଆରମ୍ଭର ତୃତୀୟ ଦିନରୁ ଘଟ ପୂଜା ସହ ଆରମ୍ଭ ହୁଏ ଦେବୀଙ୍କ ସାହି ପରିକ୍ରମା। ପ୍ରତି ସନ୍ଧ୍ୟାରେ ଠାକୁରାଣୀଙ୍କ ସାହି ପରିକ୍ରମା ପୂଜାର୍ଚ୍ଚନାର ପରିସରକୁ ଆହୁରି ପରିବ୍ୟାପ୍ତ କରିଥାଏ । ଏହି ସମୟରେ ମାନସିକ ବେଶଧାରୀମାନେ ସହରର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିବାରୁ ଦିନରାତି ଗହଳଚହଳ ଲାଗି ରହିଥାଏ । ତେବେ ଠାକୁରାଣୀ ଯାତ୍ରା ଅବସରରେ ରୋଗବ୍ୟାଧିରୁ ମୁକ୍ତି ବା ସଙ୍କଟରୁ ଉଦ୍ଧାର ପାଇବା ଆଶାରେ ମାନସିକ କରିଥିବା ବ୍ୟକ୍ତି ବିଶେଷ ବିଭିନ୍ନ ବେଶଧାରଣ କରିଥାନ୍ତି । କେବଳ ପୁରୁଷ, ଯୁବକ ଓ ବାଳକମାନେ ବାଘ, ହନୁମାନ, ଶିବ, କୃଷ୍ଣ, ବଳରା, ରାମଚନ୍ଦ୍ର, ଲକ୍ଷ୍ଣଣ, ସୀତା ସହ ଆଦିବାସୀ, ଫେରିବାଲା. ଜ୍ୟୋତିଷ, ଡାହାଣି, ଦହିବାଲା ଆଦି ସାମାଜିକ ଚରିତ୍ରକୁ ଅନୁକରଣ କରି ବେଶ ପରିଧାନ କରିଥାନ୍ତି । ଏଥିସହ ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ଯାତ୍ରାର ପ୍ରମୁଖ ଆକର୍ଷଣ । ତେବେ ଏହି ଯାତ୍ରାରେ ବାଘନାଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏଥିପାଇଁ ମାନସିକଧାରୀ କିମ୍ବା ପାରିବାରିକ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ନିଜକୁ ବାଘ ପରି ସଜାଇ ଚାଙ୍ଗୁ ବାଦ୍ୟର ତାଳେ ତାଳେ ନୃତ୍ୟ କରିଥାନ୍ତି । ତେବେ ଏହି ମାନସିକଧାରୀମାନେ ପ୍ରତିଦିନ ମା’ଙ୍କ ଦର୍ଶନରୁ ନିଜର ବେଶ ପରିଧାନ କରିଥାନ୍ତି ଏବଂ ବେଶ ଉତୁରାଇଥାନ୍ତି । ଏହି ବେଶଧାରୀଙ୍କୁ ଦେଖିବା ପାଇଁ ଯାତ୍ରାରେ ଲୋକଙ୍କ ମନରେ ଏକ କୌତୁହଳପୂର୍ଣ୍ଣ ଭାବ ଜାତ କରାଇଥାଏ । 

ଯାତ୍ରା ସମ୍ପର୍କରେ ଅନ୍ୟାନ୍ୟ ରୋଚକପୂର୍ଣ୍ଣ ତଥ୍ୟ

ମହୁରୀ ରାଜାଙ୍କ ପ୍ରଚେଷ୍ଟା ଫଳରେ ଶହ ଶହ ବର୍ଷ ପୂର୍ବେ ବ୍ରହ୍ମପୁରକୁ ଆସିଥିଲେ ଦେଶୀବେହେରା ଓ ତାଙ୍କ ବଂଶଧର । ସେଥିପାଇଁ ଯେତେବେଳେ ମା’ଙ୍କ ଘଟ ଯାତ୍ରା ଆରମ୍ଭ ହୁଏ, ପ୍ରତି ସନ୍ଧ୍ୟାରେ ଘଟ ପ୍ରଥମେ ମହୁରି ରାଜଉଆସକୁ ଆସିଥାଏ ଏବଂ ତାପରେ ଅନ୍ୟତ୍ର ଯାଇଥାଏ । ମା’  ଅସ୍ଥାୟୀ ମଣ୍ଡପରେ ଆସି ପହଞ୍ଚିବା ପରଠରୁ ପ୍ରତିଦିନ ବାଳଭୋଗରେ ଦହି ଅନ୍ନ, ମଧ୍ୟାହ୍ନ ଗୋଟେ ଓ ରାତି ଦଶଟାରେ ରାଜଭୋଗରେ ଅନ୍ନ ତଥା ଅନ୍ୟାନ୍ୟ ବ୍ୟଞ୍ଜନ ଭୋଗରାଗ ହୁଏ । ତେବେ ମା’ଙ୍କ ପ୍ରିୟ ଭୋଗ ହେଲା ଖିରି ।

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ରେଶମ ସହର ବ୍ରହ୍ମପୁରର ଏକ ମୌଳିକ ଉତ୍ସବ ଭାବେ ପାଳିତ ହୋଇଆସୁଛି । ହେଲେ ଏହା ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଲୋକଉତ୍ସବ ଭାବେ ଜଣାଶୁଣା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ 2014ରେ ଏହି ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ପ୍ରଦାନ କରିଛନ୍ତି । କିନ୍ତୁ ଆଜି ବି ଏହି ଯାତ୍ରାର ପ୍ରଚାର ପ୍ରସାର ନିତ୍ୟାନ୍ତ ଆବଶ୍ୟକ, ଯାହା ଆଗାମୀ ଦିନରେ ଓଡ଼ିଶାର ପର୍ଯ୍ୟଟନର ଏକ ପ୍ରମୁଖ ଆକର୍ଷଣ ହୋଇପାରିବ ।

Spread the love