Gajalxmi Puja

ଶରତର ଶୁଭ୍ର କାଶତଣ୍ଡୀର ପସରା ଏବଂ ହାଲକା ଶୀତରେ ମହାଆଡ଼ମ୍ବରରେ ଚାଲିଛି ଶାରଦୀୟ ପାର୍ବଣ। ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ ବାର୍ତ୍ତା ଦେଇ ଧରାପୃଷ୍ଟରୁ ମେଲାଣି ନେଇସାରିଛନ୍ତି ମା’ ଦୁର୍ଗା । ଏବେ  ଧନଧାନ୍ୟରେ ସମୃଦ୍ଧ କରିବାକୁ ଧରାବତରଣ କରିଛନ୍ତି ମା’ ମହାଲକ୍ଷ୍ମୀ। ଆଶ୍ୱୀନ ମାସ ପୂର୍ଣ୍ଣିମା ତିଥିରେ ଭକ୍ତମାନେ ଧନ, ସମୃଦ୍ଧି ଓ ଐଶ୍ୱର୍ଯ୍ୟର ଦେବୀ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ କରିଛନ୍ତି। ସ୍ବତନ୍ତ୍ର ରୀତିନୀତିରେ ଗଜାନନ ବାହାନରେ ଅବତରି ଥିବା ମା’ ଲକ୍ଷ୍ମୀଙ୍କର ଧୁମଧାମରେ ପୂଜାର୍ଚ୍ଚନା ଚାଲିଛି।  

ଗଜଲକ୍ଷ୍ମୀ ପୂଜାର ମହତ୍ତ୍ବ

ଆମ ରାଜ୍ୟର ଅନେକ ଅଞ୍ଚଳରେ କୁମାରପୂର୍ଣ୍ଣିମା ତଥା ଆଶ୍ବିନ ପୂର୍ଣ୍ଣିମାଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୁଏ। କୁମାର ପୂର୍ଣ୍ଣିମା ରାତିର ଶେଷ ପ୍ରହରରେ ଗଜବାହନରେ ଧରାପୃଷ୍ଟରୁ ଆସନ୍ତି ବୋଲି ଧନଦାତ୍ରୀ ଦେବୀ ଲକ୍ଷ୍ମୀଙ୍କୁ ‘ଗଜଲକ୍ଷ୍ମୀ’ ବୋଲି ସମ୍ବୋଧନ କରାଯାଇଥାଏ। ମା’ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହା ଅନ୍ୟତମ। ଏଥିରେ ମାଙ୍କର ଦୁଇ ପାର୍ଶ୍ବରେ ହାତୀ ରହି କଳସରେ ଜଳ ଢାଳୁଥାନ୍ତି। ମା’ ଲକ୍ଷ୍ମୀ ହେଉଛନ୍ତି ଶ୍ରୀ ବା ଐଶ୍ବର୍ଯ୍ୟର ଦେବୀ ଏବଂ ଧନ, ସମ୍ପତ୍ତି, ସୌନ୍ଦର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ପୌରାଣିକ କଥା ଅନୁଯାୟୀ କୁମାର ପୂର୍ଣ୍ଣିମା ତିଥିରେ ହୋଇଥିବା ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଆବିର୍ଭାବ ହୋଇଥିବାରୁ ମା’ଙ୍କୁ ଏହି ପୂର୍ଣ୍ଣମୀର ରାତ୍ରିରୁ ଚୁଡ଼ା ଓ ନଡ଼ିଆ ନୈବେଦ୍ୟ ଦେଇ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ହେଉଥିବା ବେଳେ ଢେଙ୍କାନାଳ ଏବଂ କେନ୍ଦ୍ରାପଡ଼ାରେ ଏହା ଏକ ଗଣପର୍ବ ଭାବେ ପ୍ରସିଦ୍ଧି ଲାଭ କରିଛି । ଏଠାରେ ମାଙ୍କର ମୃଣ୍ମୟୀ ମୃତ୍ତି କରାଯାଇ ଢେଙ୍କାନାଳରେ ୧୧ ଓ କେନ୍ଦ୍ରାପଡ଼ାରେ ୯ ଦିନ ବ୍ୟାପୀ ପୂଜା କରାଯାଏ । ଖାସ୍ କରି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଦେଖିବା ଲାଗି ସାରା ରାଜ୍ୟରୁ ଲୋକେ ଆସିଥାନ୍ତି । ଆସନ୍ତୁ ଆଜିର ଏହି ବ୍ଲଗରେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସମ୍ପର୍କରେ ଜାଣିବା।  

ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ୧୯୨୩ ମସିହାରୁ ଆରମ୍ଭ ହୋଇଥିବା ଜଣାଯାଏ। ପ୍ରଥମେ ଗଡ଼ପଞ୍ଜଗରିଆ ସାହି (ବର୍ତ୍ତମାନର ମହାବୀର ବଜାର), ପରେ ମୀନାବଜାରଠାରେ ପୂଜା ଆରମ୍ଭ କରାଯାଇଥିଲା। କିନ୍ତୁ ୧୯୩୮ ମସିହାରେ ପ୍ରଜାମଣ୍ଡଳ ଆନ୍ଦୋଳନ ଚାଲିଥିବାରୁ କିଛି ବର୍ଷ ଲକ୍ଷ୍ମୀପୂଜା ବନ୍ଦ ହୋଇଯାଇଲା, କିନ୍ତୁ ସେସମୟରେ ବିଧି ମୁତାବକ କେବଳ କଳସ ପୂଜା କରାଯାଉଥିଲା। ପରେ ପରିସ୍ଥିତି ଶାନ୍ତ ହେବାରୁ ୧୯୪୨ ମସିହାରେ ମୀନାବଜାରଠାରେ ଲକ୍ଷ୍ମୀପୂଜା ପୁନଶ୍ଚ ଆରମ୍ଭ ହୋଇଥିଲା। ଏହାର ଗୋଟିଏ ବର୍ଷ ପରେ ଅର୍ଥାତ୍ ୧୯୪୩ ମସିହାରେ ଗଜଲକ୍ଷ୍ମୀ ପୂଜା ସାର୍ବଜନୀନ ପୂଜାର ମାନ୍ୟତା ଲାଭ କଲା। ଧୀରେଧୀରେ ଜିଲ୍ଲାରେ ଆଡ଼ମ୍ବର ସହକାରେ ମୃଣ୍ମୟୀ ଲକ୍ଷ୍ମୀ ପୂଜା ଓ ମିଳିତ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କ୍ରମେ ସର୍ବସାଧାରଣଙ୍କର ଲକ୍ଷ୍ମୀପୂଜା ପ୍ରତି ଶ୍ରଦ୍ଧା ଓ ସହଯୋଗ ବଢ଼ି ଚାଲିଲା, ଯାହାର ଫଳସ୍ବରୂପ ଆଜିର ଦିନରେ ଢେଙ୍କାନାଳ ସହରରେ ପ୍ରାୟ ୩୮ଟି ସ୍ଥାନରେ ମା’ ଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଆସୁଛନ୍ତି। ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପଛରେ ଅନେକ ଇତିହାସ ରହିଛି। ସେଥିମଧ୍ୟରୁ ସେତେବେଳେ ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, କପିଳାସର ନାରାୟଣ ମନ୍ଦିର ଓ ନୃସିଂହ ମନ୍ଦିର ପ୍ରତିଷ୍ଠା ପରେ ଲୋକଙ୍କ ମଧ୍ୟରେ ବିଷ୍ଣୁ ପୂଜାର ପରମ୍ପରା ଲୋକପ୍ରିୟ ହେବାରେ ଲାଗିଲା। ଏହିକ୍ରମରେ ବିଷ୍ଣଙ୍କର ପତ୍ନୀ ଭାବରେ ମା’ ଲକ୍ଷ୍ମୀଙ୍କର ପୂଜା କରିବାର ପରମ୍ପରା ଧୀରେଧୀରେ ଗଢ଼ି ଉଠିଥିଲା। 

ବିଭିନ୍ନ ରୂପରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା

ସଂପ୍ରତି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଓଡ଼ିଶାର ଏକ ମହାନ୍ ଧାର୍ମିକ ଓ ସାଂସ୍କୃତିକ ଗଣପର୍ବର ମର୍ଯ୍ୟାଦା ଲାଭ କରିଛି, ଯାହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଓ ଦର୍ଶକଙ୍କର ଆଗମନ ହେଉଅଛି। ପୂଜା ଆସିବାମାତ୍ରେ ସହରର ପ୍ରାୟ ୧୦ କିଲୋମିଟର ସୁନ୍ଦର ଓ ସୁଉଚ୍ଚ ତୋରଣ ଏବଂ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ ହୋଇଯାଇଥାଏ। ପ୍ରତ୍ୟେକ ପୂଜା ଆସ୍ଥାନରେ ପୂଜିତ ମୃଣ୍ଣୟୀ ମହାଲକ୍ଷ୍ମୀ ମୂର୍ତ୍ତିରେ ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟର ସମ୍ଭାର ଦେଖିବାକୁ ମିଳିଥାଏ। ଏହାସହ ପୂଜା ମଣ୍ଡପରେ ପାରମ୍ପରିକ ବୈଦିକ ରୀତିନାତିରେ ମାଙ୍କୁ ପୂଜାର୍ଚ୍ଚନା କରିବା ସହ ଦୀର୍ଘ ୧୧ ଦିନ ଧରି ମନ୍ତ୍ରପାଠ, ଶ୍ଲୋକ, ଭଜନ ଓ କୀର୍ତ୍ତନରେ କମ୍ପିଉଠେ, ଯାହା ଭକ୍ତିମୟ ପରିବେଶ ସୃଷ୍ଟି କରିଥାଏ। ତେବେ ଭିନ୍ନ ଭିନ୍ନ ପୂଜାମଣ୍ଡପରେ ମା’ ଗଜଲକ୍ଷ୍ମୀ ଭିନ୍ନ ଭିନ୍ନ ଭାବଭଙ୍ଗୀରେ ପୂଜା ପାଇଥାନ୍ତି। କେଉଁଠି ଦେବୀ ପଦ୍ମାସୀନା, ଗଜାସୀନା କିମ୍ବା ସିଂହାସରୂଢ଼ା ହୋଇ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ।

ଗୁରୁବାରରେ ବିଶେଷ ଶଙ୍କୁଡ଼ି ଭୋଗ

ମା’ ଗଜଲକ୍ଷ୍ମୀଙ୍କ ନିକଟରେ କ୍ଷୀରି କାକରା, ଖେଚେଡ଼ୀ, ଦହି ପଖାଳ ଲାଗି କରାଯାଏ । କ୍ଷୀରିକୁ ରାତିସାରା ଚନ୍ଦ୍ର ଆଲୋକରେ ରଖି ସକାଳୁ ପ୍ରସାଦ ଭାବେ ସେବନ କଲେ ସ୍ୱାସ୍ଥ୍ୟବାନ ଓ ଆରୋଗ୍ୟ ଲାଭ ହୋଇଥାଏ ବୋଲି କୁହାଯାଏ ।   ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଅନ୍ୟ ଏକ ବିଶେଷତ୍ବ ହେଇଛି ଗୁରୁବାରର ଅପରାହ୍ନରେ ଶଙ୍କୁଡ଼ି ଭୋଗ ଲାଗି। ଅରୁଆ ଅନ୍ନ, ମିଠା ଖେଚୁଡ଼ି. ଡାଲମା, ଖଟା, ଶାଗ ଆଦି ବ୍ୟଞ୍ଜନ ସ୍ବତନ୍ତ୍ର ଭାବେ ତିଆରି ହୋଇ ମଣ୍ଡପରେ ଭୋଗ ହୋଇଥାଏ । କେତେକ ମଣ୍ଡପରେ ଦହି ପଖାଳ ଭୋଗ ହେବାର ପରମ୍ପରା ରହିଛି। ଆଉ ଏହି ଶଙ୍କୁଡ଼ି ଭୋଗକୁ ପାଇବା ପାଇଁ ବିଭିନ୍ନ ମଣ୍ଡପମାନଙ୍କରେ ଭକ୍ତଙ୍କ ଗହଳି ଜମିଥାଏ।

ମେଳା ଓ ମହୋତ୍ସବର ଆସର

୧୧ ଦିନର ପୂଜା ମାହୋଲକୁ ଅଧିକ ଆନନ୍ଦମୟ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରଦର୍ଶନୀ, ମେଳା, ମହୋତ୍ସବ, ଦୋଳି, ମ୍ୟାଜିକ, କଣ୍ଢେଇନାଚ, ଯାତ୍ରା ଓ ସୁସ୍ବାଦ ଖାଦ୍ୟର ପସରା ଲାଗିଥାଏ। ଏଥିସହ ଅନେକ ସ୍ଥାନରେ ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ ଓ ଗୋଷ୍ଠୀ ସଙ୍ଗୀତ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଢେଙ୍କାନାଳ ସହରର ପୂଜାକୁ ଆହୁରି ଆକର୍ଷଣୀୟ କରିଥାଏ। ସେଥିପାଇଁ ସନ୍ଧ୍ୟାଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଅଗଣତି ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। କେବଳ ଜିଲ୍ଲା ନୁହେଁ କି ରାଜ୍ୟ ନୁହେଁ, ପଡ଼ୋଶୀ ରାଜ୍ୟରୁ ମଧ୍ୟ ଲୋକମାନେ ଆସିଥାନ୍ତି।

ମିଳିତ ଭସାଣ ଉତ୍ସବ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଅନ୍ୟ ଏକ ବିଶେଷ ଆକର୍ଷଣ ହେଉଛି ମିଳିତ ଭସାଣ ଉତ୍ସବ। 1946 ମସିହାରୁ ଆଜିଯାଏ ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ ମିଳିତ ଭସାଣି ଉତ୍ସବ ହୋଇଆସୁଛି, ଯାହା ଗଣପର୍ବକୁ ଆହୁରି ସାର୍ଥକ କରିଛି। ଅନ୍ତିମ ଦିନ ସମସ୍ତ ମେଢ଼ ଢେଙ୍କାନାଳର ଇଷ୍ଟଦେବ ଶ୍ରୀବଳଦେବଜୀଉଙ୍କ ମନ୍ଦିରର ପ୍ରାଙ୍ଗଣରେ ଏକତ୍ର ହୁଅନ୍ତି ଏବଂ ଏହାପରେ ଏହିଠାରୁ ମିଳିତ ଶୋଭାଯାତ୍ରାରେ ମା’ ଲକ୍ଷ୍ମୀ ମେଲାଣି ନେଇଥାନ୍ତି। ଭସାଣି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ସହ ଘଣ୍ଟବାଦ୍ୟ, ସଂକୀର୍ତ୍ତନ, ଶଙ୍ଖଧ୍ବନି, ଲୋକନୃତ୍ୟ ଦେଖିବାକୁ ମିଳିଥାଏ, ଯାହା ଅନନ୍ୟ।

ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଧୁମଧାମରେ ପାଳିତ ହେଉଛି। ଯଦି ଆପଣ ଆଗରୁ କେବେ ବି ସାଂସ୍କୃତିକ ସହର ଢେଙ୍କାନାଳର ଏହି ପ୍ରସିଦ୍ଧ ପୂଜାକୁ ଦେଖିନାହାନ୍ତି, ତାହେଲେ ଆଜି ହିଁ ବୁଲିବାକୁ ଯାଅନ୍ତୁ ଏବଂ ଆପଣଙ୍କ ଅନୁଭୂତି କେମିତି ଥିଲା କମେଣ୍ଟ ବକ୍ସରେ ଆମ ସହ ସେୟାର କରନ୍ତୁ।

Spread the love