ସଂଗ୍ରହାଳୟର ସହର କଟକ

ଉତ୍କଳର ଗୌରବମୟ ଇତିହାସର ମୂକସାକ୍ଷୀ ହେଉଛି ଐତିହାସିକ କଟକ ସହର ତଥା ଆମ ଓଡ଼ିଶାର ପୁରାତନ ରାଜଧାନୀ। ସେହି ଶହ ଶହ ବର୍ଷର ଐତିହ୍ୟକୁ ସାଇତି ରଖିଛି ମିଲେନିୟମ୍ ସିଟି କଟକ। ଏଥିପାଇଁ ଏଠାରେ ରହିଛି ଏକାଧିକ ସଂଗ୍ରହାଳୟ । କାରଣ ସଂଗ୍ରହାଳୟ ହେଉଛି ଅତୀତର ଆଇନା।  ଆଜିର ଆଧୁନିକ ଯୁଗରେ ଆମ ଅତୀତକୁ ଯେପରି ଆମେ ଭୁଲି ନଯାଉ, ତେଣୁ ଯୁବପିଢି ଓ ଛୋଟପିଲାମାନେ ସଂଗ୍ରହାଳୟ ପରିଦର୍ଶନ ନିହାତି ଜରୁରୀ। ଆଉ ଏବେ ଚାରିଆଡ଼େ ଚାଲିଛି ଗ୍ରୀଷ୍ମପ୍ରବାହ ଏବଂ ଆଗକୁ ବର୍ଷାଋତୁ। ତେବେ ଏହି ଦିନଗୁଡ଼ିକରେ ବାହାରେ ବୁଲିବା ଅପେକ୍ଷା ଇନଡୋର୍ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଲୋକପ୍ରିୟ ହୋଇଛି ସଂଗ୍ରହାଳୟ ବା ମ୍ୟୁଜିୟମ୍ । ତେବେ ଆଜିର ବ୍ଲଗରେ କଟକ ସହରରେ ଥିବା ସଂଗ୍ରହାଳୟ ବିଷୟରେ ଜାଣିବା ଏବଂ ଆମ ଆଗାମୀ ଭ୍ରମଣ ପାଇଁ ଯୋଜନା କରିବା।

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ

କଟକର ଓଡ଼ିଆ ବଜାରରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ। ଏହା ଏବେ ସଂଗ୍ରହାଳୟରେ ପରିଣତ ହୋଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ନେତାଜୀଙ୍କ ପିତା କଟକରେ ଓକିଲାତି ଜୀବନ ଆରମ୍ଭ କରିବା ପରେ ଏଠାରେ ଏକ ବିରାଟ ଅଟ୍ଟାଳିତା ନିର୍ମାଣ କରିଥିଲେ। ନେତାଜୀ ଏଠାରେ ଜନ୍ମଲାଭ କରି ତାଙ୍କର ଶୈଶବ ଓ କିଶୋର ଅବସ୍ଥା କଟାଇଥିଲେ । ତେବେ ନେତାଜୀଙ୍କ ସ୍ମୃତି ସ୍ବରୂପ ତାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟଗୁଡ଼ିକୁ ଏହି ସଂଗ୍ରହାଳୟର ଉଲ୍ଲେଖନୀୟ ଘଟଣାମାନକୁ ସ୍ଥାନିତ କରାଯାଇଛି। ଏହାସହ ସଂଗ୍ରହାଳୟର ଗ୍ୟାଲେରିରେ ନେତାଜୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ଅନେକ ଫଟୋ ଏବଂ ପୁସ୍ତକକୁ ପ୍ରଦର୍ଶିତ କରାଯାଇଛି। ଏଥିସହ ମ୍ୟୁଜିୟମ୍ ପରିସରରେ ଥିବା ଫୁଲ ବଗିଚା ପରିବେଶକୁ ଆହୁରି ଆକର୍ଷଣୀୟ କରୁଛି। ପ୍ରତିଦିନ ସକାଳ 10.30ରୁ ଅପରାହ୍ନ 4.30 ମଧ୍ୟରେ ସଂଗ୍ରହାଳୟ ପରିଦର୍ଶନ କରିହେବ। 

ନ୍ୟାୟ ସଂଗ୍ରହାଳୟ

ଓଡ଼ିଶାର ନ୍ୟାୟିକ ଇତିହାସକୁ ସଂରକ୍ଷିତ ରଖିବା ପାଇଁ କଟକର ଐତିହାସିକ ବାରବାଟୀ ଦୁର୍ଗ ପରିସରରେ ଥିବା ମୁଖ୍ୟ ବିଚାରପତିଙ୍କ ଆବାସିକ କୋଠାରେ ନିର୍ମାଣ ହୋଇଛି “ମ୍ୟୁଜିୟମ୍ ଅଫ୍ ଜଷ୍ଟିସ” ବା “ନ୍ୟାୟ ସଂଗ୍ରହାଳୟ”।  ପୂର୍ବରୁ ଏଠାରେ 2017ରେ ଓଡ଼ିଶା ହାଇକୋର୍ଟ ମ୍ୟୁଜିୟମ ପ୍ରତିଷ୍ଠା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏକ ଆଧୁନିକ ମ୍ୟୁଜିୟମର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଏହି ଆଧୁନିକ ମ୍ୟୁଜିୟମ ଦେଶର ପ୍ରଥମ ନ୍ୟାୟ ସଂଗ୍ରହାଳୟର ମାନ୍ୟତା ପାଇଛି । ଏଠାରେ ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥାର କ୍ରମବିକାଶ, ସ୍ବାଧୀନତା ସଂଗ୍ରାମ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ମାମଲାର ଟ୍ରାଏଲ୍ ଓ ଦଣ୍ଡାଦେଶ ସମ୍ପର୍କିତ ଅଦାଲତ ରାୟ ଏବଂ ଓଡ଼ିଶାରେ ଆଇନ ଶିକ୍ଷାର ଇତିହାସ ସଂକ୍ରାନ୍ତରେ ତଥ୍ୟ ରହିଛି । ଏହାସହ ପୂର୍ବ ସମୟରେ କୋର୍ଟରେ ଆଇନଜୀବୀ ଓ ବିଚାରପତି ପରିଧାନ କରୁଥିବା ପୋଷାକ, ଆସବାବପତ୍ର, ଷ୍ଟାମ୍ପ ଓ ସିଲ୍ ଇତ୍ୟାଦି ରହିଛି। ଏପରିକି ଡିଜିଟାଲ ରୂପରେ ପୁରୁଣା ଦସ୍ତାବିଜକୁ ଏଠାରେ ସଂଗୃହୀତ କରାଯାଇଛି। ସେସମୟରେ ଅଦାଲତରେ କିପରି ମାମଲା ପରିଚାଳନା ହେଉଥିଲା, ତାହାକୁ ପ୍ରଦର୍ଶିତ କରାଯାଇଛି। ଏପରି ନ୍ୟାୟ ସଂଗ୍ରହାଳୟ ପ୍ରତିଷ୍ଠା ଦ୍ବାରା କେବଳ କଟକ ନୁହେଁ ସାରା ରାଜ୍ୟ ତଥା ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଆଗାମୀ ପିଢି ପାଇଁ ସଂରକ୍ଷିତ କରି ରଖାଯାଇପାରିଛି ।

ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ

ମହାନଦୀର ଦକ୍ଷିଣ କୂଳରେ କଟକର ଯୋବ୍ରାରେ ପ୍ରତିଷ୍ଠା ହୋଇଥିବା “ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ” ଓଡ଼ିଆ ଜାତିର ପୂର୍ବ ନୌବାଣିଜ୍ୟ ଐତିହ୍ୟକୁ ସ୍ଥାନିତ କରିଛି । ଏହି ସଂଗ୍ରହାଳୟ ପ୍ରଥମେ ଯୋବ୍ରା ମରାମତି କାରଖାନା ଭାବେ ପ୍ରତିଷ୍ଠା ହୋଇଥିଲା । ଭୟାନକ ନଅଙ୍କ ଦୁର୍ଭିକ୍ଷ ପରେ 1869 ମସିହାରେ ଇଂରେଜ ଦ୍ବାରା ସ୍ଥାପିତ ଏହି କାରଖାନା 1975 ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ଚାଲିଥିଲା। ହେଲେ ଧୀରେଧୀରେ ଏହା ଅବହେଳିତ  ଓ ପରିତ୍ୟକ୍ତ ହୋଇ ପଡ଼ିରହିଲା । ପରବର୍ତ୍ତୀ ସମୟରେ 2013 ମସିହାରେ  ଏହା ନୌବାଣିଜ୍ୟ ସଂଗ୍ରହାଳୟର ରୂପରେଖ ନେଇ ସର୍ବସାଧାରଣ ପାଇଁ ଖୋଲାଗଲା । ଏଠାରେ 11ଟି ଗ୍ୟାଲେରୀରେ ପ୍ରାଚୀନ ଶିଳାଲିପି, ନୌବାଣିଜ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ତଥ୍ୟ, ପ୍ରମାଣ ଓ ଫଟୋଚିତ୍ର ସହ ୱାର୍କସପ୍‌, ଆକ୍ବାରିୟମ, ମିରର୍ ମେଜ୍, ଜେଟି, ଅସ୍ଥାୟୀ ପ୍ରଦର୍ଶନୀ ଗ୍ୟାଲେରୀ ମଧ୍ୟ ରହିଛି । ଏହାସହ ଆମ୍ପି ଥିଏଟର, ଲାଇବ୍ରେରୀ, ଶିଶୁଙ୍କ ପାଇଁ କ୍ରୀଡ଼ା ଘର ଏବଂ କାଫିଟେରିଆର ବ୍ୟବସ୍ଥା କରାଯାଇଛି । ଇତିହାସରେ ବର୍ଣ୍ଣିତ ପ୍ରତିଟି ନୌଯାତ୍ରାକୁ ଅତି ସ୍ପଷ୍ଟ ଓ ନିଖୁଣ ଭାବେ ସଂଗ୍ରହାଳୟର ସମସ୍ତ ଗ୍ୟାଲେରୀରେ ପ୍ରଦର୍ଶିତ କରାଯାଇଛି, ଯାହା କଟକ ସହରର ଐତିହ୍ୟକୁ ସ୍ପଷ୍ଟ ଭାବେ ବର୍ଣ୍ଣନା କରୁଛି। 

ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ

ଓଡ଼ିଆ ଭାଷାର ସୁରକ୍ଷା, ସମୃଦ୍ଧି ଓ ପ୍ରଚାର ପ୍ରସାରରେ ମୁଦ୍ରଣ ଶିଳ୍ପର ଅନେକ ଅବଦାନ ରହିଛି। ସେହି ପୁରାତନ ମୁଦ୍ରଣ ଶିଳ୍ପକୁ ସଂରକ୍ଷଣ ପାଇଁ କଟକର ଖପୁରିଆଠାରେ “ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ” ରହିଛି। ଏଠାରେ 50ଟି ପୁରାତନ ଏବଂ ପ୍ରାଚୀନ ମୁଦ୍ରଣ ଯନ୍ତ୍ରପାତି ପ୍ରଦର୍ଶିତ କରାଯାଇଛି। ଏହାସହ କମ୍ପୋଜିଙ୍ଗ, ଲେଟର୍ ପ୍ରେସ୍ ମୁଦ୍ରଣ, ପ୍ରି-ପ୍ରେସ୍, ଅଫସେଟ୍ ମୁଦ୍ରଣ, ବନ୍ଧେଇ ଗ୍ୟାଲେରୀରୁ ଆରମ୍ଭ କରି ଆଧୁନିକ ଓ ବିକଶିତ ଯନ୍ତ୍ରପାତି ଗ୍ୟାଲେରୀ ଏବଂ ପେପର୍ ଗ୍ୟାଲେରୀ ରହିଛି। ଓଡ଼ିଶାର ବିଭିନ୍ନ ମୁଦ୍ରଣାଳୟରୁ ସଂଗୃହୀତ ସାମଗ୍ରୀକୁ ମଧ୍ୟ ଏଠାରେ ଦେଖିବାକୁ ମିଳିବ। ଏହାସହ ମୁଦ୍ରଣର ଶ୍ରେଣୀ ବିଭାଗ ଏବଂ କ୍ରମନ୍ବୟ ବିକାଶ ସମ୍ପର୍କିତ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦର୍ଶିତ କରାଯାଉଛି। ପ୍ରତ୍ୟେକ କାର୍ଯ୍ୟ ଦିବସରେ ଏହି ସଂଗ୍ରହାଳୟ ପରିଦର୍ଶନ କରିହେଉଛି।

କଟକରେ ଥିବା ଏହି ସମସ୍ତ ସଂଗ୍ରହାଳୟ ଆମର ସମୃଦ୍ଧ ଇତିହାସକୁ ବର୍ଣ୍ଣନା କରୁଛି ଏବଂ କଟକକୁ ଏକ ସଂଗ୍ରହାଳୟ ସହରର ରୂପ ପ୍ରଦାନ କରୁଛି। ତେବେ ଆମର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହର କରି ଏହି ସଂଗ୍ରହାଳୟ ପରିଦର୍ଶନ କରିବା ଉଚିତ୍ । କାରଣରୁ ଏଥିରୁ ଆମେ ଆମ ଇତିହାସ ସମ୍ବନ୍ଧରେ ଜ୍ଞାନ ଆହରଣ କରିହେବ।

Spread the love