ଜଗନ୍ନାଥ ସଂସ୍କୃତିରେ ଉଭୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଓ ଯୋଗେଶ୍ବର ଶ୍ରୀକୃଷ୍ଣଙ୍କ ଚରିତର ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ । ଶ୍ରୀମନ୍ଦିର ନୀତିକାନ୍ତିରେ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ଉପାସନା ତିଥି ନକ୍ଷତ୍ର ଅନୁସାରେ ବିଧିବଧ ଅନୁଷ୍ଠିତ ହୋଇଥାଏ । ଶ୍ରୀରାମଙ୍କ ଲୀଳାଖେଳାକୁ ସାହିଯାତ ମାଧ୍ୟମରେ ପରିବେଷଣ କରାଯାଏ । ଏହା ଆମ ଉତ୍କଳୀୟ ସଂସ୍କୃତିର ଏକ ଅନନ୍ୟ ତଥା ଅଦ୍ବିତୀୟ ପରମ୍ପରା । ଆଜିର ଏହି ବ୍ଲଗରେ ରହିଛି ସାହିଯାତ ପରମ୍ପରାର ରୀତିନୀତି ଏବଂ କ’ଣ ରହିଛି ଏହାର ବୈଶିଷ୍ଟ୍ୟ ।
ସାହିଯାତର ଐତିହ୍ୟ
ବିଶ୍ବର ସର୍ବପୁରାତନ ମୁକ୍ତାକାଶ ରଙ୍ଗମଞ୍ଚ ସାହିଯାତ ପ୍ରାୟ ହଜାର ବର୍ଷ ପୂର୍ବର ପରମ୍ପରା । ଏହା କେବେ ଆରମ୍ଭ ହୋଇଥିଲା, ତାହାର ସଠିକ୍ ତଥ୍ୟ ନଥିଲେ ବି ରାଜା ଅନଙ୍ଗଭୀମଦେବଙ୍କ ସମୟରୁ କିମ୍ବା 1564 ମସିହାରୁ ଆରମ୍ଭ ହୋଇଥିବା ଜଣାଯାଏ । ପବିତ୍ର ରାମନବମୀ ଅବସରରେ ଶ୍ରୀମନ୍ଦିରରେ ରାମନବମୀ ପାଳିତ ହେଉଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରେ ଆରମ୍ଭ ହୋଇଥାଏ ‘ସାହିଯାତ’ । ଶ୍ରୀରାମଙ୍କ ଜନ୍ମଠାରୁ ରାବଣର ମୃତ୍ୟୁ ଓ ରାମାଭିଷେକ ‘ପୁରୀ ସାହିଯାତ’ର ପ୍ରମୁଖ ବୈଶିଷ୍ଟ୍ୟ । ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ଏବଂ ସାତ ସାହିର ଲୋକେ ଏଥିରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥାନ୍ତି। ଏଥିସହ ଶ୍ରୀମନ୍ଦିରର ରୀତିନୀତି ସହ ଲୋକଗୀତ, ଲୋକନାଚ, ଲୋକବାଦ୍ୟ, ସମରକଳା ଏବଂ ଲୋକକଳାର ଅପୂର୍ବ ସମ୍ମିଶ୍ରଣ ହେଉଛି ଏହି ସାହିଯାତ ମହୋତ୍ସବ । କଳା ପ୍ରିୟ କାଳିଆ ଠାକୁରଙ୍କ ଶ୍ରୀମନ୍ଦିରରେ ବାରମାସରେ ପାଳିତ ତେର ପର୍ବରେ ଉତ୍କଳୀୟ କଳା ଓ ପରମ୍ପରାର ଅଦ୍ଭୁତ ନିଦର୍ଶନ ପରିଲକ୍ଷିତ ହୁଏ, ତନ୍ମଧ୍ୟରୁ ସାହିଯାତ ସ୍ବତନ୍ତ୍ର । ପୁରୀବାସୀଙ୍କ ଅଦମ୍ୟ ନିଷ୍ଠା ଓ ସମର୍ପଣ ଭାବ ଯୋଗୁଁ ଏହି ପରମ୍ପରା ବଞ୍ଚି ରହିଛି ।
ସାହିଯାତର ବିଧି ଓ ରୀତିନୀତି
ରାମନବମୀର ପୂର୍ବଦିନ ସାହିଯାତର ମାଜଣାବିଧି ଅନୁଷ୍ଠିତ ହୁଏ । ଏହାର ଆଠ ଦିନ ପୂର୍ବରୁ ପ୍ରତି ସାହିର ଆଖଡ଼ାକୁ ଶ୍ରୀମନ୍ଦିରରୁ ଗୋଟିଏ ଲେଖାଏଁ ଚିଟାଉ ଓ ରେଖସୁନ୍ଦରୀ ଆସେ । ମହାପ୍ରଭୁଙ୍କ ଆଦେଶର ପ୍ରତୀକ ରୂପେ ବ୍ୟବହୃତ ଅଙ୍ଗଲାଗି କନାଖଣ୍ଡକୁ ‘ରେଖସୁନ୍ଦରୀ’ କୁହାଯାଏ, ଯାହାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ରୂପେ ବିବେଚନା କରାଯାଇଥାଏ । ତେବେ ଏହି ରେଖସୁନ୍ଦରୀ ତଥା ଆଜ୍ଞାମାଳ ଦଶରଥ ଓ କୌଶଲ୍ୟା ଭୂମିକା ପାଇଁ ବେଶଧାରଣା କରିଥିବା ମହାଜନଙ୍କ ମୁଣ୍ଡରେ ବନ୍ଧା ଯିବାର ପରମ୍ପରା ରହିଛି । ପ୍ରାୟ 15 ଦିନ ପୂର୍ବରୁ ସାହି ଯୁବକମାନଙ୍କୁ ନେଇ ଆଖଡ଼ା ଶାଳରେ ପ୍ରସ୍ତୁତି କରାଯାଇଥାଏ । ନିଷ୍ଠାର ସହ ହବିଷ୍ୟରେ ରହି କର୍ମଶାଳାରେ ପ୍ରଶିକ୍ଷଣ ନେଇ ଅଭ୍ୟାସ କରିଥାନ୍ତି ।
ସାହିଯାତର କାର୍ଯ୍ୟସୂଚୀ
‘ସାହିଯାତ’ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ବୈଶାଖ ମାସ କୃଷ୍ଣପକ୍ଷ ଦ୍ବିତୀୟା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କଠାରେ ରାମନବମୀ ନୀତି ପାଳିତ ହେବା ପରେ କାଳିକାଦେବୀ ସାହି ମେଳ ଶ୍ରୀମନ୍ଦିରରୁ ଚରୁ ନେବା ପରେ ଆରମ୍ଭ ହୁଏ । -କାଳିକାଦେବୀ ସାହି ପକ୍ଷରୁ ରାମନବମୀ ଦିନ ରାମଜନ୍ମୋତ୍ସବ ବା ରାମଜନ୍ମଲୀଳା
-ନବମୀ ସନ୍ଧ୍ୟାରୁ ଦଶମୀ ଆରମ୍ଭ ମଧ୍ୟରେ ମାଟିମଣ୍ଡପ ସାହି ପକ୍ଷରୁ ସୀତାବିବାହ ଉତ୍ସବ,
-ଚୈତ୍ରମାସ ଶୁକ୍ଳ ଦଶମୀ ଓ ଏକାଦଶୀ ତିଥିରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞରକ୍ଷା ପର୍ବ ଓ ପର୍ଶୁରାମଲୀଳା (ସୁବାହୁ, ମାରିଚ ଓ ତାଡ଼କାବଧ ଲୀଳା)
– ଦ୍ବାଦଶୀରେ ମାର୍କଣ୍ଡେଶ୍ବର ସାହି ପକ୍ଷରୁ ରାମବନବାସ ଲୀଳା, ତ୍ରୟୋଦଶୀ ଆରମ୍ଭରେ ବାସେଳୀ ସାହି ପକ୍ଷରୁ ଶୁର୍ପଣଖା ଲୀଳା
-ଚୈତ୍ରମାସ ଶୁକ୍ଳ ଚତୁର୍ଦଶୀରେ କୁଣ୍ଢାଇବେଣ୍ଟ ସାହି ପକ୍ଷରୁ ମାୟାମୃଗଲୀଳା, ଛଦ୍ମବେଶୀ ରାବଣ ଓ ସୀତାଚୋରୀଲୀଳା,
-ଚୈତ୍ରମାସ ପୂର୍ଣ୍ଣିମା ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାଦହନ ଲୀଳା,
-ବୈଶାଖ କୃଷ୍ଣ ପ୍ରତିପଦା ଓ ଦ୍ବିତୀୟାରେ ବାଲି ସାହି ପକ୍ଷରୁ ସେତୁ ବନ୍ଧ ଓ ରାବଣ ବଧ ଲୀଳା,
-ସାହିଯାତ୍ରାର ଶେଷ ପର୍ବରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ଲୀଳା ଅନୁଷ୍ଠିତ ହୋଇଥାଏ ।
ସାହିଯାତର ପ୍ରମୁଖ ଲୀଲା ଗୁଡ଼ିକ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଜଗନ୍ନାଥବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଥାଏ । ତେବେ ଏହି ମୁକ୍ତାକାଶ ଯାତ୍ରାରେ ରାମାୟଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିବା ଚରିତ୍ର ମଧ୍ୟ ଏହି ଯାତ୍ରାରେ ଚିତ୍ରିତ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ହେଲେ- ଶ୍ରୀରାମ, ଲକ୍ଷ୍ଣଣ, ଭରତ, ଶତ୍ରୁଘ୍ନ, ସୀତା, ହନୁମାନ, ପର୍ଶୁରାମ, ରାବଣ, ମାରିଚ, ଅଙ୍ଗଦ. ସୁଗ୍ରୀବ, ସୁର୍ପଣଖା, ଖର, ଦୂଷଣ, ତ୍ରିଶିରା ଆଦି । ସବୁଠାରୁ ଲୋକପ୍ରିୟ ପୁରୀର ସାହିଯାତକୁ ରୁଦ୍ଧିବନ୍ତ କରେ ଶ୍ରୀଜଗନ୍ନାଥ ଚେତନାର ସପ୍ତସ୍ବର ଅର୍ଥାତ ଓଡ଼ିଶୀ, ଚମ୍ପୂ, ଛାନ୍ଦ, ଛଉତିଶା, ଭଜନ, ଜଣାଣ ଓ ପ୍ରାର୍ଥନା । ସାହିଯାତରେ ଓଡ଼ିଶାର ସମସ୍ତ ପ୍ରକାର ଲୋକକଳା ଦେଖାଯାଏ । ରଙ୍ଗବେରଙ୍ଗର ବେଶପୋଷାକ, ମୁକୁଟ ସହ ନାଚ, ଗୀତ, ଅଭିନୟ ଓ ଅଙ୍ଗଭଙ୍ଗୀ ଦେଖାଣହାରୀଙ୍କୁ ଆକୃଷ୍ଟ କରିଥାଏ । ଏପରିକି ପୁରୀବାସୀଙ୍କ କହିବା ଅନୁଯାୟୀ ରାବଣକୁ ଦେଖିଲେ ମନରେ ଭୟ ଜାତ ହୋଇଥାଏ । ସେହିପରି ସାହିଯାତକୁ ସୁମଧୁର କରେ ଗୀତିକା, ପ୍ରହେଳିକା, ବନାଟି ଗୀତ ଏବଂ ଲୋକବାଦ୍ୟ । ଏହି ଗୀତିକା ଓ ପ୍ରହେଳିକାରେ ବ୍ୟଙ୍ଗ ଓ କଟାକ୍ଷ ମଧ୍ୟ ଥାଏ, ଯାହା ଯାତ୍ରାକୁ ଆହୁରି ମଜାଳିଆ କରିଥାଏ । ଏହାସହ ସାହିଯାତରେ ଓଡ଼ିଶାର ସମସ୍ତ ପ୍ରକାର ଲୋକବାଦ୍ୟ ବ୍ୟବହୃତ ହୋଇଥାଏ । କେବଳ ଦୁନ୍ଦୁଭିକୁ ଛାଡ଼ି ଦେଲେ ହାଡ଼ିବାଜା, ନାଗରା, ଡେମ୍ଫନାଗରା, ତେଲିଙ୍ଗିବାଜା, ମହୁରୀ, ଚାଙ୍ଗୁ, ବଂଶୀ, ଢୋଲକି, ଢୋଲ, ଜୋଡ଼ି ମହୁରୀ, ଝାଞ୍ଜ, ଗିନି, ଘଣ୍ଟ, କାହାଳୀ, ଓ ପେହେଁକାଳୀ ପରି ଅନେକ ଲୋକ ବାଦ୍ୟର ତାଳେ ତାଳେ କଳାକାରମାନେ ନୃତ୍ୟ, ଗୀତ ଓ ଅଭିନୟ ପରିବେଷଣ କରିଥାନ୍ତି । ବିଶେଷ ଭାବେ ହାଡ଼ିବାଜା ନାଗା ନୃତ୍ୟରେ ବ୍ୟବହାର କରାଯାଏ । ସୁସଜ୍ଜିତ ଆଲୋକମାଳରେ ସାତ ସାହି ଚିକିମିକ୍ କରୁଥିବା ବେଳେ ନିର୍ଦ୍ଧାରିତ ସମୟରେ ସାହିଯାତ ଆରମ୍ଭ ହେବା ମାତ୍ରେ ଢୋଲ, ହାଡ଼ିବାଜାରେ ଥରି ଉଠେ ଶ୍ରୀକ୍ଷେତ୍ର ଧାମ । ସାହିଯାତ୍ରାର ଶେଷ ଦିନରେ ରାମାଭିଷେକ ସହ ସମ୍ପନ୍ନ ହୋଇଥାଏ ଦୀର୍ଘ 9 କିମ୍ବା 10 ଦିନ ଧରି ଚାଲିଥିବା ଏହି ରଙ୍ଗମଞ୍ଚ । ପୂର୍ବେ ଶ୍ରୀକୃଷ୍ଣଲୀଳା ପ୍ରସ୍ତାବକୁ ନେଇ ସାହିଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଥିଲା । ଏହା ଭାଦ୍ରବମାସ କୃଷ୍ଣ ଦଶମୀଠାରୁ ଆରମ୍ଭ ହେଉଥିଲା । ହେଲେ ଶ୍ରୀରାମଲୀଳାକୁ ନେଇ ଯେପରି ଯାଗା, ଆଖଡ଼ା, ସାହିର ବ୍ୟକ୍ତିବିଶେଷ ସମ୍ପୃକ୍ତ ଅଛନ୍ତି, ସେପରି ଶ୍ରୀକୃଷ୍ଣଲୀଳାରେ ସମ୍ଭବ ହେଉନାହିଁ ।
ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ଫିଲ୍ମ
ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସହ ଜଡ଼ିତ ଏହି ମହାନ ପରମ୍ପରାକୁ ନେଇ ଯୁବ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ଯାହାର ନାମ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ । ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ରେ ଶ୍ରେଷ୍ଠ କଳା ଓ ସଂସ୍କୃତି ସିନେମା ଭାବେ ତାଙ୍କର ଏହି ସିନେମା ପୁରସ୍କୃତ ହୋଇଛି । ଆଶୁତୋଷଙ୍କ ଅନୁସାରେ ଏହି ସିନେମା ନିର୍ମାଣ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ହେଉଛି ଏହି ମହାନ ଏବଂ ଉଚ୍ଚକୋଟୀର କଳା ସମ୍ପନ୍ନ ପରମ୍ପରାକୁ କେବଳ ପୁରୀର ସାତ ସାହି ଭିତରେ ସୀମିତ ନରଖି ସମଗ୍ର ଦୁନିଆରେ ଲୋକଲୋଚନକୁ ଆଣିବା।
ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ରାମନବମୀରୁ ଆରମ୍ଭ ହେଉଥିବା ‘ସାହିଯାତ’ ବାର ମାସର ତେର ପର୍ବ ପରି ଅନନ୍ୟ ଓ ଆକର୍ଷଣୀୟ । ଏହାକୁ ଦେଖିବା ପାଇଁ କେବଳ ପୁରୀବାସୀ ନୁହେଁ ଭକ୍ତ ଓ ପର୍ଯ୍ୟଟକଙ୍କ ଲାଗେ ପ୍ରବଳ ସମାଗମ । ଆପଣ ବି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲେ, କଳା ଓ ସଂସ୍କୃତିର ସମ୍ମିଶ୍ରଣ ‘ସାହିଯାତ ମହୋତ୍ସବ’କୁ ଜୀବନରେ ଥରୁଟିଏ ନିଶ୍ଚିତ ଦେଖନ୍ତୁ । ଏହିପରି ତଥ୍ୟ ଭିତ୍ତିକ କିମ୍ବା ଓଡ଼ିଶା ସହ ଜଡ଼ିତ ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣୀ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ, ଆମ ‘ନିୟୁ ଦିଲ୍ଲୀ ଓଡ଼ିଆ ସମାଜ’ ୱେବସାଇଟକୁ ଭିଜିଟ୍ କରନ୍ତୁ ଏବଂ ନୂଆ ନୂଆ ବ୍ଲଗ୍ ପଢ଼ନ୍ତୁ ।
ଜଗନ୍ନାଥ ସଂସ୍କୃତିରେ ଉଭୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଓ ଯୋଗେଶ୍ବର ଶ୍ରୀକୃଷ୍ଣଙ୍କ ଚରିତର ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ । ଶ୍ରୀମନ୍ଦିର ନୀତିକାନ୍ତିରେ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ଉପାସନା ତିଥି ନକ୍ଷତ୍ର ଅନୁସାରେ ବିଧିବଧ ଅନୁଷ୍ଠିତ ହୋଇଥାଏ ।