ଓଡ଼ିଆଙ୍କ ଜନ୍ମ-ଜୀବନ ସହିତ ଯାନିଯାତ୍ରା, ବ୍ରତ, ପର୍ବ ଆଦି ଓତଃପ୍ରୋତ ଭାବେ ଜଡ଼ିତ । ବାର ମାସରେ ତେର ପର୍ବକୁ ପ୍ରତିଟି ଓଡ଼ିଆ ନିଜର ପରମ୍ପରା, ରୀତିନୀତି, ଚଳଣୀ ସହ କର୍ତ୍ତବ୍ୟ ଭାବେ ଅତି ଉତ୍ସାହର ସହ ପାଳି ଆସୁଛନ୍ତି । ସେହିପରି ଦ୍ବାଦଶ ମାସ ମଧ୍ୟରେ କାର୍ତ୍ତିକ ମାସ ଅତ୍ୟନ୍ତ ଶ୍ରେଷ୍ଠ ତଥା ଧର୍ମମାସ ନାମରେ ଖ୍ୟାତ । ପୁରାଣ ମତରେ ସତ୍ୟ ପରି ଯୁଗ, ବେଦ ପରି ଶାସ୍ତ୍ର, ଶୀକ୍ଷେତ୍ର ପରି ତୀର୍ଥ, ଗଙ୍ଗା ପରି ନଦୀ ଓ କାର୍ତ୍ତିକ ପରି ମାସ ସମ ଆଉ କେହି ନୁହେଁ । ହେଲେ ଚଳିତ ବର୍ଷରେ ଦେଖାଯାଇଛି ବ୍ୟତିକ୍ରମ । କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ ଓ ପରିବର୍ତ୍ତନ ହେଉଛି ରୀତିନୀତି ।
ବିଶ୍ବାସ ଯେ ସାସ୍କୃତିକ ମାହାତ୍ମ୍ୟ ଥିବା କାର୍ତ୍ତିକ ମାସରେ ନିଷ୍ଠାର ସହ ଭଗବାନଙ୍କୁ ଆରାଧାନ କଲେ ସମସ୍ତ ପାପ କ୍ଷୟ ହୁଏ । ଏହାସହ ପୁରା ମାସ ସାରା ପୁଣ୍ୟପ୍ରାପ୍ତି ପାଇଁ ବିଭିନ୍ନ ଧର୍ମ, କର୍ମ ଓ ରୀତିନୀତି ରହିଆସିଛି । ସେଥିମଧ୍ୟରୁ ରମା ଏକାଦଶୀ, ରାଈଦାମୋଦର ବ୍ରତ, ଧନ୍ବନ୍ତରୀ ଜୟନ୍ତୀ, ଦୀପାବଳି ଅମାବାସ୍ୟା, କାଳୀପୂଜା, ପୟା ଶ୍ରଦ୍ଧା, ଗୋବର୍ଦ୍ଧନ ପୂଜା, ନାଗ ଚତୁର୍ଥୀ, ଗୋଷ୍ଟାଷ୍ଟମୀ, ଅଁଳା ନବମୀ, ରାଧାପାଦ ଦର୍ଶନ, ପଞ୍ଚୁକ, ବଡ଼ ଓଷା, କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଓ କାର୍ତ୍ତିକେଶ୍ବର ପୂଜା ଗୁରୁତ୍ବପୂର୍ଣ୍ଣ । ଏହାସହ ମାସର ପ୍ରଥମ ଦିନରୁ ଆରମ୍ଭ ହୋଇଥିବା କାର୍ତ୍ତିକ ବ୍ରତ ପାଳନରେ ତିରିଶି ଦିନ ଯାକ ଯେତେ ନିଷ୍ଠାର ସହ ଦିନଚର୍ଯ୍ୟା ଓ ଦେବବିଧି କରାଯାଏ, ତାହା ଅନ୍ୟ କୌଣସି ମାସରେ କରାଯାଇନଥାଏ ।
ପବିତ୍ର ମହାକାର୍ତ୍ତିକ ମାସର ଉଦଯାପନ ଦିବସକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ । ହବିଷ୍ୟାଳିମାନେ ବ୍ରାହ୍ମଣମାନଙ୍କୁ ଛଞ୍ଚା ଦେଇ ଏହି ଦିନ କାର୍ତ୍ତିକ ବ୍ରତ ଉଦଯାପନ କରନ୍ତି । ଏହି ପୂର୍ଣ୍ଣିମାର ଅନ୍ୟନାମ ରାସ ପୂର୍ଣ୍ଣିମା ବା ତ୍ରିପୁରାରୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ପୌରାଣିକ କଥାନୁସାରେ ଏହି ଦିନ ଭଗବାନ ଶିବ ତ୍ରିପୁରାସୁରକୁ ବଧ କରିଥିଲେ । ଏଥିସହ ଏହି ଦିନ ଶ୍ରୀକୃଷ୍ଣ ରାଧାଙ୍କ ସହ ବୃନ୍ଦାବନରେ ରାସକ୍ରୀଡ଼ା କରିଥିବାରୁ ଏହାକୁ ରାସ ପୂର୍ଣ୍ଣିମା କୁହାଯାଏ । ହେଲେ ଓଡ଼ିଶାରେ ଏହି ଉତ୍ସବର ଏକ ସ୍ବତନ୍ତ୍ର ମହତ୍ତ୍ବ ରହିଛି । ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ଜାଭା, ସୁମାତ୍ରା, ସିଂହଳ ଓ ବାଲି ଦ୍ବୀପକୁ ବାଣିଜ୍ୟ କରିବାକୁ ଯାଉଥିଲେ ଏବଂ କାର୍ତ୍ତିକ ମାସରେ ପ୍ରତ୍ୟାବର୍ତ୍ତନ କରୁଥିଲେ । ଏହାକୁ ମନେ ରଖିବା ପାଇଁ ଓଡ଼ିଶାର ପୁରପଲ୍ଲୀରେ କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀ ବାହୁଙ୍ଗା ବା ସୋଲରେ ଡଙ୍ଗା ତିଆରି କରି ସେଥିରେ ଚାଉଳ, ଦୁବ, ପାନ, ଗୁଅ, ଧୂପ ଦେଇ ନଦୀ, ପୋଖରୀ, ଗଡ଼ିଆ, ସମୁଦ୍ର ଆଦିରେ ଭସାଇଥାନ୍ତି । ଏଥିସହ ବୋଲିଥାନ୍ତି- ‘ଆ କା ମା ବୈ, ପାନ ଗୁଆ ତୋର, ମାସକ ଧର୍ମ ମୋର’ । ଏହାପରେ ମହାଦେବଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତର ସମାପନା କରିଥାନ୍ତି ।
ହିନ୍ଦୁ ଧର୍ମରେ ପ୍ରତ୍ୟେକ ପର୍ବ ପର୍ବାଣୀ ଏକ ନିର୍ଦ୍ଦିଷ୍ଟ ତିଥି, ବାର ନକ୍ଷତ୍ରକୁ ନେଇ ପଡ଼ିଥାଏ । କିନ୍ତୁ ବେଳେବେଳେ ଗ୍ରହମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ ଯୋଗୁଁ ପର୍ବପର୍ବାଣୀ ଉପରେ ପ୍ରଭାବ ପଡ଼ିଥାଏ । ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ତାର ତିଥି ଅନୁସାରେ ପଡ଼ୁଛି । କିନ୍ତୁ ଡଙ୍ଗାଭସା ଫିକା ପଡ଼ିବାକୁ ଯାଉଛି । କାରଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏଥିପାଇଁ ପୂର୍ଣ୍ଣିମାର ରୀତିନୀତି ସବୁ ସମୟ ପୂର୍ବରୁ ହିଁ ପାଳନ କରାଯିବ ଓ ନିର୍ଦ୍ଧାରିତ ହୋଇଛି ସମୟ । ନଭେମ୍ବର ୮ରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଅପରାହ୍ନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ କରିବ । ତେଣୁ ଭୋର ୫ଟା ୫୪ ମିନିଟ ପୂର୍ବରୁ କାର୍ତ୍ତିକ ନୀତି ସମ୍ପାଦନ କରାଯିବ । ଅର୍ଥାତ ଡଙ୍ଗା ଭସାଇବାକୁ ଚାହୁଁଥିଲେ ଭୋର ୫ଟା ୫୪ ମିନିଟ ପୂର୍ବରୁ ହିଁ ଡଙ୍ଗା ଭସାଇ ମହାଦେବଙ୍କୁ ଦର୍ଶନ କରିବେ । ଏହାପରେ ଭୋର ୫ଟା ୪୫ ମିନିଟ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତିକୁ ନିଷେଧ କରାଯାଇଛି । ଏହି ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୯ ମିନିଟରେ ହେବ ।
ଆମ ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ବାହକ ସ୍ବରୂପ କାର୍ତ୍ତିକ ମାସର ମାହାତ୍ମ୍ୟ ଅନେକ । ହେଲେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ିଛି । ତେଣୁ କାର୍ତ୍ତିକର ରୀତିନୀତିରେ ପରିବର୍ତ୍ତନ ଘଟିଛି ଓ ସମୟ ପୂର୍ବରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି । ସେପଟେ ଚଳିତ ବର୍ଷ କାର୍ତ୍ତିକରେ ଏହି ଦୁଇଟି ମହାଜାଗତିକ ଘଟଣା ଘଟୁଥିବାରୁ ଏହାକୁ ଏକ ବିରଳ ସଂଯୋଗ କୁହାଯାଉଛି । ଜ୍ୟୋତିଷଶାସ୍ତ୍ରଙ୍କ କହିବା ଅନୁଯାୟୀ ଆଗରୁ ଏପରି କିଛି ଘଟିନାହିଁ ।
ଓଡ଼ିଆଙ୍କ ଜନ୍ମ-ଜୀବନ ସହିତ ଯାନିଯାତ୍ରା, ବ୍ରତ, ପର୍ବ ଆଦି ଓତଃପ୍ରୋତ ଭାବେ ଜଡ଼ିତ । ବାର ମାସରେ ତେର ପର୍ବକୁ ପ୍ରତିଟି ଓଡ଼ିଆ ନିଜର ପରମ୍ପରା, ରୀତିନୀତି, ଚଳଣୀ ସହ କର୍ତ୍ତବ୍ୟ ଭାବେ ଅତି ଉତ୍ସାହର ସହ ପାଳି ଆସୁଛନ୍ତି । ସେହିପରି ଦ୍ବାଦଶ ମାସ ମଧ୍ୟରେ କାର୍ତ୍ତିକ ମାସ ଅତ୍ୟନ୍ତ ଶ୍ରେଷ୍ଠ ତଥା ଧର୍ମମାସ ନାମରେ ଖ୍ୟାତ ।