ଓଡ଼ିଶାର କୋଣ ଅନୁକୋଣରେ ଭରି ରହିଛି ଐତିହ୍ୟ ସମ୍ପନ୍ନ ସଂସ୍କୃତି, ପରମ୍ପରା ଓ ରୀତିନୀତି । ସବୁଥିରେ ଦେଖିବାକୁ ମିଳେ ଅସାଧାରଣ କଳା, କୃତ୍ତି ଓ କୌଶଳ । ଓଡ଼ିଶାର ଯେଉଁଠିକୁ ବି ଆପଣ ଯାଆନ୍ତୁ, ସେଠାରେ ଅନ୍ୟ ସ୍ଥାନରୁ କିଛିଟା ଅଲଗା ହିଁ ପାଇବେ । କାରଣ ପ୍ରତିଟି ସ୍ଥାନ ତାର ନିଜସ୍ବ କଳା ଓ ପରମ୍ପରା ପାଇଁ ପରିଚିତ । ସେଥିମଧ୍ୟରୁ ବୟନ ଶିଳ୍ପ ଅଭିନ୍ନ ଓ ଅନ୍ୟତମ । ବିଶ୍ବ ଦରବାରରେ ଏହି ବୟନ ଶିଳ୍ପ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିନେଇଛି। ବର୍ତ୍ତମାନ ଏହାକୁ ଆହୁରି ଅଧିକ ସମୃଦ୍ଧ କରିଛି ବିଶ୍ବ ମାନ୍ୟତା ।
ନିକଟ ଅତୀତରେ ୟୁନେସ୍କୋର ୫୦ଟି ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲରେ ସ୍ଥାନ ପାଇଛି ଓଡ଼ିଶାର ୫ଟି ଐତିହ୍ୟ ବୟନ ଶିଳ୍ପ । ସମ୍ବଲପୁର, ବ୍ରହ୍ମପୁର, ଖୋର୍ଦ୍ଧା, ରାୟଗଡ଼ା ଓ କେନ୍ଦୁଲିପାଟର ପାରମ୍ପରିକ ବୟନ କଳାକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି । ଓଡ଼ିଶାର ୫ଟି ଐତିହ୍ୟ ବୟନ ମଧ୍ୟରେ ରହିଛି ସମ୍ବଲପୁରର ବାନ୍ଧ ଟାଇ ଡାଇ ୱେଭିଂ, ବ୍ରହ୍ମପୁରର ଫୋଡ଼ା କୁମ୍ଭ ପାଟ, ଖୋର୍ଦ୍ଧା ଜିଲ୍ଲାର ଧଳାପଥର ପର୍ଦ୍ଦା, ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ସ୍ବତନ୍ତ୍ର ବୟନ ଶିଳ୍ପ ଏବଂ କେନ୍ଦୁଲି ପାଟ କାଲିଗ୍ରାଫିକ ୱେଭିଂ। ତେବେ ହଜିଯାଉଥିବା ଶିଳ୍ପକୁ ପୁଣି ଥରେ ପୁନରୁଦ୍ଧାର କରିବାରେ ଏହି ବିଶ୍ବ ମାନ୍ୟତା ସହାୟକ ହୋଇପାରେ ବୋଲି ଅନେକ ମତପ୍ରକାଶ କରିଛନ୍ତି ।
ସମ୍ବଲପୁରୀ ବାନ୍ଧ କଳା
ସମ୍ବଲପୁରୀ ବାନ୍ଧ କଳା ହେଉଛି ଏକ ପାରମ୍ପରିକ ହସ୍ତତନ୍ତ କଳା, ଯେଉଁଠାରେ ବୁଣା ପୂର୍ବରୁ ରଙ୍ଗ ବାନ୍ଧିବା ପ୍ରକ୍ରିୟା(ଟାଇ ଡାଇ)କୁ ସମାପ୍ତ କରାଯାଏ । ଏହା ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ବୁଣାଯାଇଥାଏ । ବାନ୍ଧ ଅର୍ଥାତ ଗଣ୍ଠି । ସୂତା ଉପରେ ଗଣ୍ଠି ପକାଇ ଯେଉଁ ଡିଜାଇନ ପ୍ରସ୍ତୁତ କରାଯାଏ, ତାହାକୁ ବାନ୍ଧ କୁହାଯାଏ । ଅର୍ଥାତ ଡିଜାଇନରେ ଶିଳ୍ପୀ ବା ବୁଣାକାର ଲୋକଙ୍କୁ ଆକୃଷ୍ଟ କଲା ପରି ବିଭିନ୍ନ ଚିତ୍ର ପ୍ରସ୍ତୁତ କରି ଗଣ୍ଠି ପକାଇଥାନ୍ତି । ଏହାପରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ ପ୍ରକାର ରଙ୍ଗ ଦିଆଯାଏ । ଏହିପରି ପ୍ରର୍ଯ୍ୟାୟକ୍ରମେ ବାନ୍ଧ ଓ ରଙ୍ଗ କାର୍ଯ୍ୟ ଶେଷ ହେଲାପରେ ସମସ୍ତ ଗଣ୍ଠି ଖୋଲାଯାଇ ବୁଣାଯିବା ପାଇଁ ତନ୍ତଶାଳାକୁ ଯାଏ । ଏଥିରେ ବିଶେଷ କରି ପାରମ୍ପରିକ ହସ୍ତକଳାର ଛାପ ଭାବେ ଶଙ୍ଖ, ଚକ୍ର, ଫୁଲ ବୁଣାଯାଏ। ତେବେ ପଶ୍ଚିମ ଓଡ଼ିଶାର ବାନ୍ଧ ରଙ୍ଗ ଓ ବୟନଶିଳ୍ପ ପାଇଁ ମୁଖ୍ୟତଃ ଭୁଲିଆ ସମ୍ପଦ୍ରାୟ ପ୍ରସିଦ୍ଧ ଲାଭ କରିଛନ୍ତି ।
ଏମାନଙ୍କର ଏହା କୌଳିକ ବୃତ୍ତି । ଏମାନଙ୍କ ବ୍ୟତୀତ କୁଷ୍ଠା ଓ କୁଲି ମଧ୍ୟ ଏହି ବାନ୍ଧ ଶାଢ଼ୀ ବୁଣିଥାନ୍ତି । ଏହି ସମ୍ବଲପୁରୀ ବାନ୍ଧକଳାର କୁଶଳୀ କାରିଗରମାନେ ବହୁ ଆକର୍ଷଣୀୟ ଶାଢ଼ୀ, ସାଲୱାର, ଗାମୁଛା, ଲୁଙ୍ଗି ଆଦି ବୁଣିବା କାର୍ଯ୍ୟରେ ବେଶ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସେହିପରି ସମ୍ବଲପୁରୀ ବାନ୍ଧକଳା ଆନ୍ତର୍ଜାତୀୟ କ୍ଷେତ୍ରରେ ‘ଇକତ’ ଶିଳ୍ପ କଳା ନାମରେ ଖ୍ୟାତି ଲାଭ କରିଛି । ଏହି ଶାଢ଼ୀକୁ ବି ନିଜର ସ୍ବାତନ୍ତ୍ର୍ୟ ପାଇଁ ଜିଆଇ ମାନ୍ୟତା ମିଳିଛି । ଏହି ସମ୍ବଲପୁରୀ ବାନ୍ଧକଳା ଯୋଗୁଁ ପଶ୍ଚିମ ଓଡ଼ିଶା ଆଜି ବେଶ ସୁନାମ ଓ ପ୍ରସିଦ୍ଧି ଲାଭ କରିଛି । ତେଣୁ ଏହି ବୟନ ଶିଳ୍ପ ଓ ଶିଳ୍ପୀଙ୍କର ବିକାଶ ଆବଶ୍ୟକତା ରହିଛି ।
ବ୍ରହ୍ମପୁରର ଫୋଡ଼ା କୁମ୍ଭ ପାଟ
ସମ୍ବଲପୁରୀ ପାଟ ପରେ ବ୍ରହ୍ମପୁର ପାଟ ବା ରେଶମ ପାଟ ପ୍ରତି ସମସ୍ତ ଓଡ଼ିଆଣୀଙ୍କ ଭାରି ମୋହ । ଖାସ୍ କରି ବିବାହ ଉତ୍ସବରେ ବ୍ରହ୍ମପୁର ପାଟ ପିନ୍ଧିବାକୁ ସମସ୍ତେ ସଉକ ରଖିଥାନ୍ତି । ତେବେ ସ୍ବତନ୍ତ୍ର ଓଡ଼ିଶୀ ଶୈଳୀରେ ପ୍ରସ୍ତୁତ ଏହି ବ୍ରହ୍ମପୁର ପାଟ ‘ଫୋଡ଼ା କୁମ୍ଭ’ ନାଁ ରୂପେ ସାରା ଦୁନିଆରେ ପରିଚିତ। ଏହି ଫୋଡ଼ା କୁମ୍ଭ ପାଟର ଇତିହାସ କୁହେ, ଚତୁର୍ଦ୍ଦଶ ଶତାବ୍ଦୀରେ ଦେବ ରାଜବଂଶର ଶାସନ କାଳରେ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀର କେତେକ ବୁଣାକାର ପରିବାରକୁ ବ୍ରହ୍ମପୁର ଅଣାଯାଇଥିଲା । ଏହି ବୁଣାକାର ପରିବାର ବ୍ରହ୍ମପୁରର ପାଟ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହାସହ ସେସମୟରେ ଗୋପାଳପୁର ବନ୍ଦର ଦେଇ ଦକ୍ଷିଣ-ଏସୀୟ ରାଷ୍ଟ୍ରକୁ ଏହି ଶାଢ଼ୀ ରପ୍ତାନି କରାଯାଉଥିଲା । ଏହାର ସ୍ବତନ୍ତ୍ର ଓ ନିଆରା କାମ ଯୋଗୁଁ ବ୍ରହ୍ମପୁର ‘ରେଶମ ସହର’ ବା ‘ସିଲ୍କ ସହର’ ଭାବେ ପ୍ରସିଦ୍ଧି ଲାଭ କରିଛି । ସବୁଠୁ ବଡ଼ କଥା ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ମଧ୍ୟ ଏହା ପିନ୍ଧା ଯାଇଥାଏ । ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ହେଉଥିବା ଶାଢ଼ିରେ କୁମ୍ଭ ବା ମନ୍ଦିର ଡିଜାଇନ ଏହାର ବିଶେଷତ୍ବ, ଯାହା ରାଜ୍ୟର ଅନ୍ୟ ହସ୍ତତନ୍ତଠାରୁ ଅନେକ ଭିନ୍ନ । ତେବେ କୁମ୍ଭ ଓ ମନ୍ଦିର ଶୈଳୀର ଆକାର ଇଞ୍ଚିରୁ ଆରମ୍ଭ ହୋଇ ପ୍ରାୟ ଏକ ଫୁଟରୁ ଅଧିକ ହୋଇଥାଏ । ବଙ୍ଗଳାର ମାଲବରି ସିଲ୍କ ଓ ବେଙ୍ଗାଲୁରୁରୁ ଆସୁଥିବା କଞ୍ଚାମାଲକୁ ପ୍ରଥମେ ଧଳା କରି ଆବଶ୍ୟକୀୟ ରଙ୍ଗ ଦିଆଯାଏ । ଏହାପରେ ସୂତାକୁ ବାନ୍ଧି ଯୋଡ଼ିବା ପରେ ତାକୁ ତନ୍ତକୁ ନିଆଯାଏ । ଯେଉଁଥିପାଇଁ ଗୋଟିଏ ଶାଢ଼ୀକୁ ବୁଣିବାକୁ ପ୍ରାୟ ସପ୍ତାହେ ସମୟ ଲାଗିଥାଏ । କହିବାକୁ ଗଲେ ପରିବାରର ତିନି ଜଣ ସଦସ୍ୟ ଲାଗିଲେ ମାସକୁ ମାତ୍ର ତିନିରୁ ଚାରି ଖଣ୍ଡ ଶାଢ଼ୀ ପ୍ରସ୍ତୁତ ହୋଇପାରେ । ବେଳେ ବେଳେ ଏଥିରେ ଜରି କାମ ବି କରାଯାଇଥାଏ । ଏହାସହ ଶାଢ଼ୀର ପଣତରେ ବାନ୍ଧ ତଥା ଇକତ ଡିଜାଇନ ମଧ୍ୟ ବୁଣାଯାଇଥାଏ । ବ୍ରହ୍ମପୁର ପାଟର ସ୍ବତନ୍ତ୍ରତା ଓଡ଼ିଶାକୁ ବିଶ୍ବବିଦିତ କରିପାରିଛି, ତେଣୁ ଏହାକୁ ଆହୁରି ମାତ୍ରାଧିକ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି ।
ଖୋର୍ଦ୍ଧାର ଧଳାପଥର ପର୍ଦ୍ଦା
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ରହିଛି ଏକ ଛୋଟିଆ ଗାଁ, ଯାହାର ନାମ ଧଳାପଥର । ଦେଶ ସ୍ବାଧୀନ ହେବା ପୂର୍ବରୁ ହିଁ ଏହି ଗାଁ ତାର ନିଆରା କଳା ପାଇଁ ସାରା ଦୁନିଆରେ ପ୍ରସିଦ୍ଧି ଲାଭ କରିପାରିଥିଲା । ଆଉ ଏବେ ୟୁନେସ୍କୋ ମାନ୍ୟତା ପୁଣି ଥରେ ଏହି ଗାଁକୁ ବିଶ୍ବ ମାନଚିତ୍ରରେ ସାମିଲ କରିଛି । ଏହି ଗାଁ ଲୋକଙ୍କ ସ୍ବତନ୍ତ୍ର କଳା ହେଉଛି ପରଦା, ଲୁଙ୍ଗି, ଗାମୁଛା ଓ ଶାଢ଼ୀରେ ସୂକ୍ଷ୍ମକାରୁକାର୍ଯ୍ୟ । ଘରର ଦ୍ବାରରେ ଓଢ଼ଣୀ ଭାବେ ବ୍ୟବହୃତ ପର୍ଦ୍ଦାରେ ଦେଖିବାକୁ ମିଳେ ଓଡ଼ିଶାର ଝଲକ ତଥା ପର୍ଦ୍ଦାରେ ସେମାନେ ତୋଳନ୍ତି କଳାର କୋଣାର୍କ, ଗଛଲତା, ତାଜମହଲ, ମନ୍ଦିର, ମୟୂର, ମାନଚିତ୍ର, ଅଶୋକଚକ୍ର ଇତ୍ୟାଦିର ସୁନ୍ଦର ଚିତ୍ର । ଏହି ଶାଢ଼ିର ଇତିହାସ ଢେର ପୁରୁଣା । ପୂର୍ବରୁ ରଙ୍ଗଣୀ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ସାଧାରଣତଃ ବୁଣାବୁଣି କାମ କରାଯାଉଥିଲା । କୁସୁମୀ କପଟା, କଙ୍କଣ ପେଡ଼ି, ମୁକ୍ତାପୁଞ୍ଜି, ନହଟି, ଅକାଟା ଭଳି ଶାଢ଼ି ବୁଣାବୁଣିରେ ଗାଁର ବୁଣାକାରମାନେ କୁଶଳୀ ଥିଲେ । ରଙ୍ଗଣୀ ଶବ୍ଦ ‘ରଙ୍ଗ’ ଓ ‘ଆଣି’ରୁ ଆସିଛି, ଯାହାର ଅର୍ଥ ‘ସୂତାରେ ରଙ୍ଗ ଆଣିବା’ । ଏଠାରେ ଥିବା ବୁଣାକାର ସମ୍ପ୍ରଦାୟ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବା ବେଳେ ନିରାମିଷ ଭୋଜନ କରିଥାନ୍ତି । ସୂଚନା ଅନୁଯାଯୀ ପ୍ରଥମେ ଏମାନେ ବାନ୍ଧଶାଢ଼ୀ ତିଆରି କରୁଥିଲେ । କିନ୍ତୁ ଶାଢ଼ୀ ବିକ୍ରି ନହେବାରୁ କାରୁକାର୍ଯ୍ୟଭରା ପର୍ଦ୍ଦାର କାମ ଆରମ୍ଭ କଲେ । ସୁନାରି, ଜାମୁ, ହରିଡ଼ା ଆଦି ଗଛରୁ ଛେଲିରୁ ପ୍ରସ୍ତୁତ ନାଲି, କଳା, ହଳଦିଆ ଆଦି ପ୍ରାକୃତିକ ରଙ୍ଗରୁ ନେଇ ସୂତାରେ ପ୍ରୟୋଗ କରି ଯେଉଁ ପର୍ଦ୍ଦା ବୁଣୁଥିଲେ, ତାହାର ରଙ୍ଗ ଦୀର୍ଘସ୍ଥାୟୀ ହେଉଥିଲା । ରଙ୍ଗ ପରେ ଶିଳ୍ପୀମାନେ ବାନ୍ଧ ପ୍ରଣାଳୀରେ ବିଭିନ୍ନ ପ୍ରକାର ଚିତ୍ର ବୁଣୁଥିଲେ । ଏହି ବୁଣା ପ୍ରକ୍ରିୟା ଜଟିଳ ହୋଇଥିବାରୁ ସମସ୍ତ ପରିବାର ସଦସ୍ୟ ମିଶି ମାସକୁ ମାତ୍ର ଦୁଇଟି ହିଁ ପରଦା ତିଆରି କରିପାରିବା ସମ୍ଭବପର ହେଇପାରୁଛି । ୧୯୩୦ ରୁ ୧୯୪୦ ମସିହାରେ ଏହି ବୟନ ଶିଳ୍ପ ବେଶ୍ ପ୍ରଚାର ପ୍ରସାର ଲାଭ କରିଥିଲା । ହେଲେ ଧୀରେଧୀରେ କଞ୍ଚାମାଲ ଅଭାବ ଓ ସରକାରୀ ପ୍ରୋତ୍ସାହନ ଅବହେଳାରୁ ଏଭଳି ଅନନ୍ୟ ବୟନ ତାର ସତ୍ତା ହରାଇବାକୁ ଲାଗିଛି । ତେଣୁ ୟୁନେସ୍କୋର ମାନ୍ୟତା ଏଭଳି ଅନନ୍ୟ ଓ ଐତିହ୍ୟ ସମ୍ପନ୍ନ ବୟନ ପୁଣି ପୁନରୁଦ୍ଧାର ହୋଇପାରିବ ବୋଲି ଆଶା କରାଯାଉଛି ।
ଡଙ୍ଗରିଆ କନ୍ଧ ବୟନ ଓ କେନ୍ଦୁଲୀ ପାଟବସ୍ତ୍ର
ସେହିପରି ଡଙ୍ଗରିଆ କନ୍ଧ ବୟନ ଶିଳ୍ପ ଓ କେନ୍ଦୁଲୀ କାଲିଗ୍ରାଫିକ୍ ୱେଭିଂର ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ରହିଛି । ରାୟଗଡ଼ା ନିୟମିଗିରି ଅଞ୍ଚଳରେ ରହୁଥିବା ବିରଳ ଜନଜାତି ଡଙ୍ଗରିଆ ପ୍ରାକୃତିକ ସାମଗ୍ରୀକୁ ବ୍ୟବହାର କରି ଶାଢ଼ୀ, ସାଲ୍ ଓ ପୁରୁଷଙ୍କ ପାଇଁ ଗାମୁଛା, ଲୁଙ୍ଗି ବୁଣିଥାନ୍ତି । ହେଲେ ତାଙ୍କର ହସ୍ତଶିଳ୍ପ କଳାକୃତି ଉତ୍ପାଦିତ କପଡ଼ାଗୁଣ୍ଡ ‘ସାଲ୍’ର ସ୍ବତନ୍ତ୍ର ଆକର୍ଷଣ ରହିଛି । ଏହି ପାରମ୍ପରିକ ହସ୍ତତନ୍ତ ସାଲ୍ ସହ ସେମାନେ ଏବେ ଆଧୁନିକ ଯୁଗ ସହ ତାଳ ଦେଇ ଟାଇ, ଉତ୍ତରୀୟ, ଓଢଣୀ, ଝୁଲା ବ୍ୟାଗ୍, ମୋବାଇଲ କଭର୍ ଓ ଟିପୟ କଭର୍ ଆଦି ବୁଣୁଛୁନ୍ତି । ସେହିପରି ଦ୍ବାଦଶ ଶତାବ୍ଦୀରେ ଜବି ଜୟଦେବ ସମ୍ପୂର୍ଣ୍ଣ ଗୀତଗୋବିନ୍ଦର ପଦାବଳୀ ନିଜ ଜନ୍ମସ୍ଥାନ କେନ୍ଦୁଲିରୁ ପାଟବସ୍ତ୍ରରେ ଲେଖେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ । ପରେ ପୁରୀ ରାଜା ନୂଆପାଟଣା ଅନ୍ତର୍ଗତ ଟିଗିରିଆର ବୁଣାକାରମାନଙ୍କୁ ଏଭଳି ବସ୍ତ୍ର ତିଆରି କରିବାକୁ ଆଦେଶ ଦେଇଥିଲେ । ସମୟାନୁସାରେ ଏହାର ନବୀକରଣ ହେଲା ଓ ସ୍ବତନ୍ତ୍ର ବୟନ ଶିଳ୍ପର ମାନ୍ୟତା ପାଇଲା ।
ଓଡ଼ିଶାର କେତେକ ବୟନ ଶିଳ୍ପ ଧୀରେଧୀରେ ହଜିବାକୁ ବସିଲାଣି । ଏହାର ପ୍ରଚାର ଓ ପ୍ରସାର ନିତ୍ୟାନ୍ତ ଆବଶ୍ୟକ। ଏହାର ଏକମାତ୍ର ସମାଧାନ ସ୍ବରୂପ ଡିଜିଟାଲ ପ୍ରଚାର ବା ସୋସିଆଲ ମିଡିଆ ପ୍ରମୋସନ୍ । ତେଣୁ ଆଜିର ଡିଜିଟାଲ ଯୁଗରେ ଏହାକୁ ଅସ୍ତ୍ର କରି ଆମ ଓଡ଼ିଶାର ପର୍ବପର୍ବାଣୀ, ରୀତିନୀତି, ସଂସ୍କୃତି ଓ ପରମ୍ପରାକୁ ସମସ୍ତଙ୍କ ପାଖରେ ପହଞ୍ଚାଇପାରିବା ।