ବୈଶାଖର ନିଦାଘ ଖରାରେ ତାତି ଉଠେ ଧରଣୀ। ମନୁଷ୍ୟ, ପ୍ରାଣୀ ଓ ଉଦ୍ଭିଦ ପରି ସକଳ ଜଗତ ଖୋଜନ୍ତି ଶୀତଳ ଜଳ, ଶୀତଳ ଛାୟା ଓ ଶୀତଳ ଉପଚାର। ସେହିପରି ଆମ ଯାତରସିଆ ମହାବାହୁ ମଧ୍ୟ ଦାରୁଣ ଉତ୍ତାପରୁ ରକ୍ଷା ପାଇଁ ଶ୍ରୀଅଙ୍ଗକୁ ଶୀତଳ କରିବାର ଉଦ୍ଦେଶ୍ୟ ନେଇ ଚନ୍ଦନ ଯାତ୍ରା ନାମରେ ମାନବୀୟ ଲୀଳା ଖେଳନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ବାଦଶ ଯାତ୍ରା ମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ ଏବଂ ଏହା ଏକ ପାରମ୍ପରିକ ଗଣ ମହୋତ୍ସବ।
ମହାପ୍ରଭୁଙ୍କ ମାନବୀୟ ଲୀଳା
ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟାର ଶୁଭ ବେଳାରେ ଅକ୍ଷିମୁଠି ଅନୁକୂଳ ଏବଂ ଘୋଷଯାତ୍ରା ପାଇଁ ରଥନିର୍ମାଣ ସହ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୁଏ। କୁହାଯାଏ ଯେ ମହାପ୍ରଭୁଙ୍କର ସମସ୍ତ ପ୍ରକାର ଲୀଳା ମାନବୀୟ । ତେଣୁ ଅସହ୍ୟ ଖରା ଦାଉରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଜଳକ୍ରୀଡ଼ା କରନ୍ତି, ଯାହା ଚନ୍ଦନ ଯାତ୍ରାରେ ଜଣାଶୁଣା। ଶ୍ରୀମନ୍ଦିରର ବାହାର ଓ ଭିତରରେ ମୋଟ 42 ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଗନ୍ଧ ଯାତ୍ରା, ନାବକେଳି ବା ଜଳକେଳି କିମ୍ବା ଚାପ ଖେଳ ମଧ୍ୟ କୁହାଯାଏ। ପ୍ରଥମେ ଅକ୍ଷୟ ତୃତୀୟାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ 21ଦିନ ବ୍ୟାପୀ ବାହାର ଚନ୍ଦନ ଅନୁଷ୍ଠିତ ହୁଏ। ଏହା ପରବର୍ତ୍ତୀ 21 ଦିନ ଭିତର ଚନ୍ଦନ ହୋଇଥାଏ।
ଶ୍ରୀବିଗ୍ରହଙ୍କ ଚନ୍ଦନଲାଗି ନୀତି
ବୈଶାଖର ଉତ୍ତାପରୁ ମୁକ୍ତି ପାଇବା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଚନ୍ଦନ ଲେପ ଲଗାଯାଉଥିବାରୁ ଏହି ପର୍ବର ନାମ ରଖାଯାଇଛି ଚନ୍ଦନ ଯାତ। ଅକ୍ଷୟ ତୃତୀୟା ଦିନ ଅବକାଶ ନୀତି ପରେ ରତ୍ନ ସିଂହାସନରେ ଶ୍ରୀବିଗ୍ରହମାନଙ୍କର ସର୍ବାଙ୍ଗରେ ଘୋରା ଚନ୍ଦନ ଲାଗି କରାଯାଏ। ଏହାପରେ ମହାପ୍ରଭୁଙ୍କୁ ଚନ୍ଦନଲାଗି ବେଶରେ ଶୃଙ୍ଖାର କରାଯାଏ ଏବଂ ଯାତ ଭୋଗ ପରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମ ଓ କୃଷ୍ଣଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ଏହାପରେ ମହାପ୍ରଭୁଙ୍କର ଜଳକ୍ରୀଡ଼ା ନୀତି ଆରମ୍ଭ ହୁଏ।
ବାହାର ଓ ଭିତର ଚନ୍ଦନ ଯାତ୍ରା
ନିଦାଘ ବାରଣର ପର୍ବ ଚନ୍ଦନ ଯାତ୍ରା ପାଇଁ ଶ୍ରୀଜିଉଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ରାମ ଓ କୃଷ୍ଣ ଏବଂ ପଞ୍ଚ ପାଣ୍ଡବ ଯଥା ଶ୍ରୀଲୋକନାଥ, ଯମେଶ୍ବର, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବରଙ୍କ ବିଜୟ ମୂର୍ତ୍ତିମାନ ନୌବିହାର ନିମନ୍ତେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି। ଚୈତ୍ର ଓ ବୈଶାଖରେ ପ୍ରଭୁ ଶ୍ରୀଜଗନ୍ନାଥ ମଧୂସୂଦନ ଭାବେ ପୂଜିତ ହୋଇଥାନ୍ତି। ତେବେ କୁହାଯାଏ ଯେ ଏହି ଚାପଖେଳରେ ଥିବା ମଧୁସୂଦନଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ ଏବଂ ପୁନର୍ଜନ୍ମରୁ ମୁକ୍ତ ହୋଇଥାଏ।
ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କର ମଣି ବିମାନର ବ୍ୟବହାର ହୋଇଥାଏ। ମଣିଖଚିତ ହୋଇଥିବାରୁ ଏହି ବିମାନର ନାମ ମଣି ବିମାନ। ଶ୍ରୀମନ୍ଦିରଠାରୁ ନରେନ୍ଦ୍ର ପୁଷ୍କରଣୀ ପର୍ଯ୍ୟନ୍ତ ପନ୍ତିଭୋଗ ହୁଏ। ତାପରେ ନରେନ୍ଦ୍ର ଚକଡ଼ାରେ ପହଞ୍ଚିବା ପରେ ବଡ଼ ଚାପରେ ରାମକୃଷ୍ଣ ଏବଂ ଉକ୍ତ ଚାପର ପଛ ସିଂହାସନରେ ପଞ୍ଚ ମହାଦେବ ବିଜେ କରନ୍ତି। ଦ୍ବିତୀୟ ଚାପରେ ମଦନମୋହନ ଭୁଦେବୀ ଓ ଶ୍ରୀଦେବୀଙ୍କୁ ବିଜେ କରାଯାଏ। ଏହାପରେ ବାଦ୍ୟକାରମାନେ ଆଗ ଚାପରେ ଯିବା ପରେ ଠାକୁରମାନଙ୍କର ଦୁଇଟି ଚାପ ବାହାରି ନରେନ୍ଦ୍ର ପୋଖରୀର ଚତୁଃପାର୍ଶ୍ବ ଭ୍ରମଣ କରିଥାନ୍ତି। ରାମକୃଷ୍ଣ ଥିବା ଚାପର ନାମ “ଭଦ୍ରା” ଓ ଦ୍ବିତୀୟ ଚାପର ନାମ “ନନ୍ଦା” ହୋଇଥାଏ। ଚନ୍ଦନ ଯାତ୍ରାର କୋଡିଏ ଦିନରେ ଭଉଁରି ଯାତ୍ରା ହୋଇ ଏକୋଇଶତମ ଦିନରେ ବାହାର ଚନ୍ଦନଯାତ୍ରା ଶେଷ ହୋଇଥାଏ । ଏହି ସମୟରେ ନରେନ୍ଦ୍ରର ଚତୁଃପାର୍ଶ୍ବରେ ଭଜନ, କୀର୍ତ୍ତନ ଓ ନୃତ୍ୟାଭିନୟ ଆକର୍ଷଣ ସାଜିଥାଏ। ଏହାପରେ ମନ୍ଦିର ପରିସରରେ 21 ଦିନ ବ୍ୟାପୀ ଭିତର ଚନ୍ଦନ ଅନୁଷ୍ଠିତ ହୋଇଥାଏ। ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଶଷ୍ଠୀ ଏବଂ ରୁକୁଣୀ ହରଣ ଏକାଦଶୀ ଦିନ ମହାପ୍ରଭୁଙ୍କର ବିବାହ ଉତ୍ସବ ପଡୁଥିବାରୁ ଉକ୍ତଦିନ ଦୋଳ ଗୋବିନ୍ଦ ଜଳକ୍ରୀଡ଼ା ନିତି କରିଥାନ୍ତି ।
ଶ୍ରୀକ୍ଷେତ୍ର ସହ ଓଡ଼ିଶାର ପୁରପଲ୍ଲୀ ତଥା ବ୍ରାହ୍ମଣ ଶାସନ ଗ୍ରାମରେ ଥିବା ବିଭିନ୍ନ ଦେବାଦେବୀ, ମନ୍ଦିର ଓ ପୂଜାପୀଠମାନଙ୍କର ଏହି ଚନ୍ଦନ ଯାତ୍ରା ଖୁବ୍ ଧୁମଧାମରେ ପାଳିତ ହୋଇଥାଏ। ସେଥିମଧ୍ୟରୁ ଶ୍ରୀମନ୍ଦିର ସହ ଲିଙ୍ଗରାଜ ମନ୍ଦିର, ଶାରଳାଙ୍କ ମନ୍ଦିର, ଅଲରାନାଥ, ସାକ୍ଷୀଗୋପାଳଠାରେ ମଧ୍ୟ ଚନ୍ଦନ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥାଏ।
ବୈଶାଖର ନିଦାଘ ଖରାରେ ତାତି ଉଠେ ଧରଣୀ। ମନୁଷ୍ୟ, ପ୍ରାଣୀ ଓ ଉଦ୍ଭିଦ ପରି ସକଳ ଜଗତ ଖୋଜନ୍ତି ଶୀତଳ ଜଳ, ଶୀତଳ ଛାୟା ଓ ଶୀତଳ ଉପଚାର। ସେହିପରି ଆମ ଯାତରସିଆ ମହାବାହୁ ମଧ୍ୟ ଦାରୁଣ ଉତ୍ତାପରୁ ରକ୍ଷା ପାଇଁ ଶ୍ରୀଅଙ୍ଗକୁ ଶୀତଳ କରିବାର ଉଦ୍ଦେଶ୍ୟ ନେଇ ଚନ୍ଦନ ଯାତ୍ରା ନାମରେ ମାନବୀୟ ଲୀଳା ଖେଳନ୍ତି ।