କୁହାଯାଏ ଓଡ଼ିଆଙ୍କ ଜୀବନ ପଖାଳ କଂସାରେ । ଡହ ଡହ ଖରାବେଳେ ପଖାଳ ଦି ଗୁଣ୍ଡା ଖାଇ ତୋରାଣୀ ଟିକେ ପିଇଦେଲେ, ଆତ୍ମ ତୃପ୍ତି ହୋଇଯାଏ । ଗରିବ ଖଟିଖିଆ ଲୋକଟିଏ ହେଉ କି ଧନୀ ଲୋକ, ସମସ୍ତଙ୍କ ମନ ଲୋଡ଼େ ପଖାଳ । କାରଣ ପଖାଳ କଂସାରେ ଯେଉଁ ଶାନ୍ତି ଅଛି, ତାହା ବଡ଼ ବଡ଼ ରେଷ୍ଟୁରାଣ୍ଟରେ ବସି ଖାଇଲେ ବି ମିଳେ ନାହିଁ। ସେଥିପାଇଁ ଓଡ଼ିଆଙ୍କ ପାଇଁ ପଖାଳ ଏକ ଖାଦ୍ୟ ନୁହେଁ, ଏକ ଆବେଗ। ସେହି ଆବେଗକୁ ଏକତ୍ର ସାଉଁଟିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ ହେଉଛି ପଖାଳ ଦିବସ। ସେହି ଓଡ଼ିଆଙ୍କ ଜୀବନ ଧନ ପଖାଳ ସମ୍ପର୍କରେ ଆଜିର ଆଲେଖ୍ୟ।
ସମସ୍ତଙ୍କ ପ୍ରିୟ ପଖାଳ
“ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ
ଜଗନ୍ନାଥ ରସି ଖାଏ ମନେ ତୁ ଭାଳ
ଚାଖି ନାହିଁ ଯିଏ ଥରେ
ଧିକ ତା ଜନମରେ
ମଣିଷ ଯାକରେ ସେତ ଅଣ ପୁରୁଣା
ଆସ ଜୀବନ ଧନ ମୋର ପଖାଳ କଂସା ॥”
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ଏହି କେତୋଟି ଧାଡ଼ି ହିଁ ବର୍ଣ୍ଣନା କରୁଛି ପଖାଳ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭଲପାଇବା। ଆଉ ଏ ପଖାଳ ପ୍ରତି ଥିବା ନିସ୍ବାର୍ଥପର ପ୍ରେମ ଆଜି କେବଳ ଓଡ଼ିଶା କି ଓଡ଼ିଆଙ୍କଠି ସୀମିତ ହୋଇରହି ନାହିଁ ଦେଶ ବିଦେଶରେ ବି ଏହାର ଅନେକ ଚାହିଦା। ବିଦେଶରୁ ଆସୁଥିବା ଅତିଥିଙ୍କୁ ଆତିଥ୍ୟ ଚର୍ଚ୍ଚାରେ ପଖାଳ ପରଷା ଯାଉଛି । ଘରେ ନୁହେଁ ବଡ଼ ବଡ଼ ତାରକା ହୋଟେଲ, ରେଷ୍ଟୁରାଣ୍ଟର ମେନ୍ୟୁରେ ପଖାଳ ସାମିଲ ହୋଇଛି ।
ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଖାଳ ଖାଇଥାନ୍ତି ଏବଂ ଅତିଥିଙ୍କୁ ଭୋଜନରେ ପଖାଳ ପରଷନ୍ତି । ଏହାର ଅନେକ ପ୍ରମାଣ ବି ଦେଖିବାକୁ ମିଳିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରିୟ ଖାଦ୍ୟ ପଖାଳ ବୋଲି କହିଛନ୍ତି। ଗତ ବର୍ଷ ସେଲିବ୍ରେଟି ସେଫ୍ ବିକାଶ ଖନ୍ନା ତାଙ୍କ ଓଡ଼ିଶା ଗସ୍ତ ସମୟରେ ପଖାଳ ଖାଇ ଖୁବ୍ ପ୍ରଂଶସା କରିଥିବା ବେଳେ ରଣବୀର ବରାର୍ ମଧ୍ୟ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ସହ ଏପିକ୍ ଚ୍ୟାନେଲର ଲୋକପ୍ରିୟ “ରାଜା ରୋଷେଇ”ରେ ପଖାଳ ପ୍ରସ୍ତୁତି କରିବା ସହ ଏହାର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଟେଲିଭିଜନ ଦୁନିଆର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ତାଙ୍କ ସୋସିଆଲ ମିଡିଆରେ ପଖାଳ ଖାଉଥିବା ଭିଡିଓ ଅପଲୋଡ୍ କରିଥିଲେ, ଯାହା ଖୁବ କମ୍ ସମୟରେ ଭାଇରାଲ୍ ମଧ୍ୟ ହୋଇଥିଲା ।
ପଖାଳ ଚାହିଦା ଏତେ ଯେ ଓଡ଼ିଶାକୁ ଯିଏ ବି ଆସିଛି, ପଖାଳର ସ୍ବାଦ ନେବାକୁ ଭୁଲିନାହିନ୍ତି ଏବଂ ପଖାଳ ଖାଇପାରି ନଥିବା ଲୋକ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେଥିମଧ୍ୟରୁ କୁକିଂ କିଙ୍ଗ୍ କୁହାଯାଉଥିବା ସଞ୍ଜୀବ କପୁର ମଧ୍ୟ ପଖାଳ ଖାଇବାର ଇଚ୍ଛାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେହିପରି ଅନେକ ୟୁଟ୍ୟୁବର୍ ଏବଂ ଫୁଡ୍ ବ୍ଲଗର୍ ମଧ୍ୟ ତାଙ୍କ ଭିଡିଓରେ ପଖାଳର ବିଭିନ୍ନ ରେସିପି ସେୟାର୍ କରୁଥିବା ଦେଖିବାକୁ ମିଳୁଛି, ଯାହାକୁ ଭିୟୁଜ୍ ବି ଭଲ ମିଳୁଛି। ଏପରିକି କରୋନା ମହାମାରୀ ସମୟରେ ଏମ୍ସ ପକ୍ଷରୁ ଗବେଷଣା କରି କୁହାଯାଇଥିଲା କି, ପଖାଳରେ ରୋଗପ୍ରତିରୋଧକ ଶକ୍ତି ଅଧିକ ରହିଛି । ଏଇଠୁ ଜଣାପଡ଼ୁଛି ପଖାଳ କେବଳ ପାଟିକି ସୁଆଦ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଦିନକୁ ଦିନ ପଖାଳ ଆଉ କେବଳ ଗରିବର ହୋଇ ରହିନାହିଁ, ଆଜି ବି ସମସ୍ତେ ପଖାଳ ଖାଉଛନ୍ତି ଏବଂ ଅନ୍ୟକୁ ଖୁଆଇବାକୁ ବି ଭଲ ପାଉଛନ୍ତି। କହିବାକୁ ଗଲେ ପଖାଳର ଆଦର ଗରିବ, ଧନୀ, ଛୋଟ ଓ ବଡ଼ ସମସ୍ତଙ୍କ ପାଖରେ ରହିଛି ।
ପଖାଳ ମେନ୍ୟୁ
୨୦୧୧ ମସିହାରୁ କେତେକ ଖାଦ୍ୟପ୍ରେମୀଙ୍କ ଉତ୍ସାହକୁ ଦେଖି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଉଛି । ଫୁଡ୍ ବ୍ଲଗର ଅମରେଶ ଦାସଙ୍କ ପଖାଳ ଦିବସର ପ୍ରତିଷ୍ଠାତା ବୋଲି କୁହାଯାଏ। ଏହି ଦିନ ଘରଠାରୁ ଆରମ୍ଭ କରି ବିଭିନ୍ନ ହୋଟେଲ ଯାଏଁ ପଖାଳ ସାଙ୍ଗକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ପଖାଳ ଆଇଟମ୍ ବି ପ୍ରସ୍ତୁତ କରାଯାଇଥାଏ । ଆଜିକାଲି ଏହି ଦିନ ଏକାଠି ପଖାଳର ସୁଆଦ ନେବା ପାଇଁ ରାଜନେତା, ବିଧାୟକ, ମନ୍ତ୍ରୀ, ଖବରଦାତା ବି ଏକାଠି ହେଉଛନ୍ତି। ଭଳିକି ଭଳି ଓଡ଼ିଆ ଘରର ବ୍ୟଞ୍ଜନ ସମାହାରରେ ପଖାଳ ଅଧିକ ମନଲୋଭା ହେଉଛି। ସେହିପରି ଅନୁଷ୍ଠାନ ଓ ସମିତି ପକ୍ଷରୁ ପଖାଳ ଦିବସକୁ ଧୁମଧାମରେ ପାଳନ କରାଯାଉଛି। କେବଳ ପଖାଳ ଦିବସରେ ନୁହେଁ, ଖରା ଦିନରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହୋଟେଲ୍ମାନଙ୍କରେ ପରଷା ଯାଉଛି ପଖାଳ ମେନ୍ୟୁ ।
ପଖାଳର ଇତିହାସ
କୃଷିପ୍ରଧାନ ରାଜ୍ୟ ଓଡ଼ିଶାର ଅନ୍ତୁଡ଼ିଶାଳ ହେଉଛି ଧାନଚାଷ। ଧାନରୁ ଭାତ, ଭାତକୁ ପଖାଳିଲେ ପଖାଳ । ଧୋଇବାର ପ୍ରତିଶବ୍ଦ ହେଲା ପଖାଳିବା, ପଖାଳିତ ଏବଂ ସଂସ୍କୃତରେ ଏହା ପ୍ରକ୍ଷାଳନ । ଓଡ଼ିଆଙ୍କ ପଖାଳର ଇତିହାସ ହଜାର ହଜାର ବର୍ଷର । ରାମାୟଣ, ମହାଭାରତରେ ଏହା ବର୍ଣ୍ଣିତ ହୋଇଛି। ମହାଭାରତରେ ମହାତ୍ମା ବିଦୁରଙ୍କ ଘରେ ଶ୍ରୀକୃଷ୍ଣଙ୍କ ଶାଗ ପଖାଳର ବର୍ଣ୍ଣନା ରହିଛି । ଗୌତମ ବୁଦ୍ଧଙ୍କ ସମୟରେ ଓଡ଼ିଆଙ୍କ ପଖାଳ ବର୍ଣ୍ଣିତ । ତ୍ରିପିଟକ ମଝିମ ନିକାୟ ଅମୁସାରେ ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ, ଯାହାର ଅର୍ଥ ହେଉଛି ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର ସିଏ । ପାଖାପାଖି ଅଢେଇ ହଜାର ବର୍ଷ ଆଗରୁ ବୁଦ୍ଧଙ୍କ ଅମଳରେ ପଖାଳର ଲୋକପ୍ରିୟତା ଥିଲା ।
ପଖାଳରେ ଶାନ୍ତି କାଳିଆ ସାଆନ୍ତ
କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତା ମଧ୍ୟ ପଖାଳରେ ଶାନ୍ତି । ଖରାଦିନେ କାଳିଆ ଠାକୁରଙ୍କ ପାଖରେ ପଖାଳ ଲାଗି ହୋଇଥାଏ । ଚନ୍ଦନଯାତ୍ରା ସମୟରେ ଦହି ପଖାଳ ମଣୋହୀ କରି ମଦନମୋହନ ଚାପ ଖେଳ ପାଇଁ ବାହାରିଥାନ୍ତି । ଜଗନ୍ନାଥଙ୍କ ପ୍ରିୟ ଟଙ୍କ ତୋରାଣୀ ବି ମହାପ୍ରସାଦ ପଖାଳରୁ ତିଆରି ହୋଇଥାଏ । ବର୍ଷ ତମାମ ତାଙ୍କ ପାଖେ ଭୋଗ ହେଉଥିବା ୫୬ ପଉଟି ଭୋଗରେ ପଖାଳ ଲାଗି ହୋଇଥାଏ । ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ସୁବାସ ପଖାଳ, ଚୁପୁଡ଼ା ପଖାଳ, ପାଣି ପଖାଳ, ଦହି ପଖାଳ, ମିଠା ପଖାଳ, ମଲ୍ଲିଫୁଲ ପଖାଳ, ଟଭା ପଖାଳ ଓ ଘିଅ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି ।
ନାନା ରକମର ପଖାଳ
ଓଡ଼ିଶାର ଅଧିକାଂଶ ଲୋକେ ଦହି ପଖାଳ, ଲେମ୍ବୁ ପଖାଳ, ଛୁଙ୍କ ପଖାଳ, ସଜ ପଖାଳ ଆଦି ଖାଇବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳେ । ଗରମ ଭାତରେ ଥଣ୍ଡା ପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ, ତାହାକୁ ସଜ ପଖାଳ ବୋଲି କୁହାଯାଏ । ସଜ ପଖାଳରେ ଦହି କିମ୍ବା ଲେମ୍ବୁ ଚିପୁଡ଼ି ଖାଇଲେ, ସ୍ୱାଦ ଅନେକ ଗୁଣାରେ ବଢ଼ିଯାଏ । କେତେକ ଲୋକେ ସଜ ପଖାଳରେ ଭ୍ରୁସଙ୍ଗ ପତ୍ର ଛୁଙ୍କ ଦେଇ ସେଥିରେ ବସା ଦହି, ଆମ୍ବକଷା ଅଦା ଓ କଞ୍ଚା ଲଙ୍କା ମିଶାଇ ଖାଇଥାନ୍ତି । ସାଧାରଣତଃ ଓଡ଼ିଶାର ଲୋକେ ପଖାଳ କହିଲେ ବାସି ପଖାଳକୁ ହିଁ ବୁଝିଥାନ୍ତି । ରାତିରେ ଭାତ ରାନ୍ଧି ପରଦିନ କିମ୍ବା ୧୨ ଘଣ୍ଟାରୁ ଅଧିକ ସମୟ ରଖିଦେଲେ ଏହା ବାସି ପଖାଳରେ ପରିଣତ ହୋଇଯାଏ । ଏଥିରେ ଦହି କିମ୍ବା ଲେମ୍ବୁ ମିଶାଇବାକୁ ପଡ଼ି ନ ଥାଏ । ତେବେ ବାସି ପଖାଳ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ତେଣୁ ନିଜ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଖାଳ ଖାଇବା ଉଚିତ । ପଖାଳ ସାଙ୍ଗକୁ ମାଛ ଭଜା, ଶାଗ ଭଜା, ବଡ଼ି ଚୁରା, ବାଇଗଣ ପୋଡ଼ା, ଆଳୁ ଚଟଣୀ, ପାଗପାଣି ହୋଇଗଲେ ମଜା ଦୁଇ ଗୁଣା ହୋଇଯାଏ ।
ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା କୋଟି କୋଟି ଓଡ଼ିଆ ସମସ୍ତେ ପଖାଳ କଂସାକୁ ଭଲ ପାଆନ୍ତି। କୁହାଯାଏ ପଖାଳ ଦେଖିଲେ ଭୋକ ବଢ଼ିଯାଏ । ଯେତେ ବିଦେଶୀ ଖାଦ୍ୟ ଖାଇଲେ ବି ପଖାଳରେ ଥାଏ ସମସ୍ତଙ୍କ ଆତ୍ମତୃପ୍ତି। ପଖାଳ ଖାଇ ଦେଇ ଶେଷରେ ତୋରାଣି ପିଇଦେଲେ ପାଟିରୁ ଆପେ ଆପେ ବାହାରିଯାଏ “ଓଃ କି ଶାନ୍ତି” । ଆଉ ବିଦେଶରେ ଥିବା ଲୋକଟି ମଧ୍ୟ ନିଜକୁ ପରିଚୟ ଦେଇ “ଆମେ ପଖାଳଖିଆ ଓଡ଼ିଆ” କହିବାକୁ କେବେ ବି ସଙ୍କୋଚବୋଧ କରନ୍ତିନି। ଆସନ୍ତୁ ସମସ୍ତେ ମିଳିମିଶି ପଖାଳ ଦିବସର ଆନନ୍ଦ ଉଠାଇବା ଏବଂ ବ୍ଲଗଟି କେମିତି ଲାଗିଲା ଆମକୁ କମେଣ୍ଟ୍ ବକ୍ସରେ ଜଣାନ୍ତୁ।
କୁହାଯାଏ ଓଡ଼ିଆଙ୍କ ଜୀବନ ପଖାଳ କଂସାରେ । ଡହ ଡହ ଖରାବେଳେ ପଖାଳ ଦି ଗୁଣ୍ଡା ଖାଇ ତୋରାଣୀ ଟିକେ ପିଇଦେଲେ, ଆତ୍ମ ତୃପ୍ତି ହୋଇଯାଏ । ଗରିବ ଖଟିଖିଆ ଲୋକଟିଏ ହେଉ କି ଧନୀ ଲୋକ, ସମସ୍ତଙ୍କ ମନ ଲୋଡ଼େ ପଖାଳ । କାରଣ ପଖାଳ କଂସାରେ ଯେଉଁ ଶାନ୍ତି ଅଛି, ତାହା ବଡ଼ ବଡ଼ ରେଷ୍ଟୁରାଣ୍ଟରେ ବସି ଖାଇଲେ ବି ମିଳେ ନାହିଁ। ସେଥିପାଇଁ ଓଡ଼ିଆଙ୍କ ପାଇଁ ପଖାଳ ଏକ ଖାଦ୍ୟ ନୁହେଁ, ଏକ ଆବେଗ। ସେହି ଆବେଗକୁ ଏକତ୍ର ସାଉଁଟିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ 20ରେ ପାଳନ ହେଉଛି ପଖାଳ ଦିବସ। ସେହି ଓଡ଼ିଆଙ୍କ ଜୀବନ ଧନ ପଖାଳ ସମ୍ପର୍କରେ ଆଜିର ଆଲେଖ୍ୟ।