bajiraut

ସ୍ବାଧିନତା ସଂଗ୍ରାମର ଇତିହାସ ହେଉଛି ଲହୁଲୁହର କାହଣୀ । ଦରିଆପାରିର ବଳୀ, ଆଜୀବନ ବନ୍ଦୀ , ଫାଶୀଖୁଣ୍ଟ, କଳାପାଣି ଏବଂ ବୁଲେଟର ହୋଲି ଖେଳରେ ଅଗଣିତ ମୁକ୍ତି ସଂଗ୍ରାମୀ ଯୋଦ୍ଧା ସହିଦ ହୋଇଛନ୍ତି । ସେମାନଙ୍କର ଏକମାତ୍ର ସ୍ୱପ୍ନ ଥିଲା  ‘ସ୍ବାଧୀନ ଭାରତ’ ।  ସେହି ସ୍ବପ୍ନକୁ ଅତି କିଶୋର ବୟସରୁ ଦେଖିଥିବା ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଅନନ୍ୟ ଫର୍ଦ୍ଦ ହୋଇ ଯୋଡ଼ି ରହିଛି ।

ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତ ବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ଶୋଷଣ ଓ ଅତ୍ୟାଚାରରେ ଜର୍ଜରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।  

        ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ । ୧୯୨୫ ଡିସେମ୍ବର ୧୮ ତାରିଖରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ ରାଜା ଶଙ୍କର ପ୍ରତାପ ସିଂହଦେଓ ମହୀନ୍ଦ୍ର ବାହାଦୁର । ସେ ଥିଲେ ଅତ୍ୟନ୍ତ ଅତ୍ୟାଚାରୀ । ଗଡ଼ଜାତର ରାଜା ଇଂରେଜ ସରକାରଙ୍କ ସହ ସାଲିସ୍ ଓ ମାଲିସ କରି ତାଙ୍କର ପ୍ରତିନିଧି ଭାବେ ଶାସନ କରୁଥିଲେ । ରାଜାଙ୍କ କର୍ମଚାରୀ ଓ ପୋଲିସ୍ ଫୌଜମାନେ ଗରିବ ଓ ନୀରିହ ପ୍ରଜାମାନଙ୍କ ଉପରେ ବେଠି,  ଜୁଲମ ଓ ଶୋଷଣର ଚରମ ସୀମାରେ ପହଁଚି ଯାଇଥିଲା । ପ୍ରଜାପୀଡ଼ନର ମୂକ ସାକ୍ଷୀ ଥିଲା ‘ଯତନ୍ ନଗର’ । ତେବେ ଏହି ଅତ୍ୟାଚାର ଓ ଶୋଷଣକୁ ବିରୋଧ କରି ଗଠିତ ହୋଇଥିଲା ପ୍ରଜାମଣ୍ଡଳ । ଢେଙ୍କାନାଳର ଲୌହମାନବ ମହେଶ ଚନ୍ଦ୍ର ସୁବାହୁ ସିଂହ, ଢେଙ୍କାନାଳର ସୁଭାଷ ବୀର ବୈଷ୍ଣବ ପ୍ରମୁଖ ସଂଗ୍ରାମୀମାନେ ଏହି ଆନ୍ଦୋଳନକୁ ଚଳାଇଲେ । ସେତେବେଳେ ବାଜି ରାଉତ ସେହି କୋମଳ ବୟସରେ ପ୍ରଜାମଣ୍ଡଳରେ ଯୋଗ ଦେଇଥିଲେ ।

                             ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ବାଜି ରାଉତ । ମାତୃଭୂମିର ରକ୍ଷା ପାଇଁ ମାତ୍ର 12 ବର୍ଷ ବୟସରେ ପ୍ରାଣବଳି ଦେଇଥିଲେ । ଢେଙ୍କାନାଳ ଜିଲ୍ଳା ଭୁବନ ଠାରୁ ପ୍ରାୟ ୩ କିଲୋମିଟର ଦୂର ବ୍ରହ୍ମଣୀ ନଦୀ କୂଳରେ ଅବସ୍ଥିତ ନୀଳକଣ୍ଠପୁର ଗ୍ରାମର ଏକ ଖଣ୍ଡାୟତ ପରିବାରରେ ୫ ଅକ୍ଟୋବର ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ ବାଜି ରାଉତ (ବାଜିଆ) । ବାପା ହରି ରାଉତଙ୍କୁ ଶୈଶବରୁ ହରାଇବା ପରେ ମା’ ରାଣୀଆ ବାଜିଆଙ୍କ ଲାଳନପାଳନ କରିଥିଲେ । ଏଥିସହ ପେଟ ପୋଷିବା ପାଇଁ ବାଜିଆ ମଧ୍ୟ ତାଙ୍କର କୌଳିକ ବୃତ୍ତି ନୌକ ବାହିବା ଓ ମାଛ ଧରିବାକୁ ଆପଣାଇ ନେଇଥିଲେ ।

                           1938 ମସିହା ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ଭୁବନରେ ପ୍ରଜାମଣ୍ଡଳର ଏକ ବଡ଼ ସଭା ଅନୁଷ୍ଠିତ ହେଉଥାଏ । ଏହି ସଭାରେ ପ୍ରାୟ ପାଞ୍ଚ ହଜାର କର୍ମୀ ଯୋଗ ଦେଇଥିଲେ । ସଭାକୁ ଭଣ୍ଡୁର କରିବା ପାଇଁ ପ୍ରଜାମଣ୍ଡଳର କର୍ମୀମାନଙ୍କୁ ରାଜା ଅନ୍ୟାୟ ଭାବେ ବନ୍ଦୀ କରିବାରୁ ଲୋକେ ଗାଁ ଗହଳିରୁ ବନ୍ଧ ଭାଙ୍ଗିଲା ପରି ଢେଙ୍କାନାଳ ଗଡ଼କୁ ମାଡ଼ିଆସିଥିଲେ । ଏହି ଜନସମାବେଶରେ ଯୋଗ ଦେଇଥିଲା ବାଜି ରାଉତ । ହାତରେ କପିଳାସ ଠେଙ୍ଗା ଓ ମୁଣ୍ଡରେ ନାଲି ଗାମୁଛା ବାନ୍ଧି ଗୀତ ଗାଇ ଗାଇ ଧ୍ୱନି ଦେଇ ଲୋକଙ୍କୁ ଗୋରା ସରକାରଙ୍କ ବିରୋଧରେ ମତାଇ ଚାଲୁଥାନ୍ତି । ପରେ ସାଧାରଣ ନିରୀହ ଲୋକଙ୍କର ବିଜୟ ଘଟିଲା । ରାଜା ଅସହାୟ ହୋଇ ଗୋରା ସରକାରଙ୍କଠାରେ ଶରଣ ପଶିଲେ। ଏହାପରେ କଟକରୁ ଆସି ପହଞ୍ଚିଲେ ଢେଙ୍କାନାଳରେ ପଲିଟିକାଲ ଏଜେଣ୍ଟ ବେଜେଲେଗେଟ୍‌ ଏବଂ ଘୋଷଣା କଲେ ଢେଙ୍କାନାଳ ଆନ୍ଦୋଳନକୁ ନିଜେ ଦମନ କରିବେ । ଏହାପରେ ଢେଙ୍କାନାଳର ଗାଁଗଣ୍ଡାରେ ଇଂରେଜ ସରକାରଙ୍କ ବର୍ବର ଅତ୍ୟାଚାର ଆରମ୍ଭ ହେଲା । ପ୍ରଜାମାନଙ୍କ ସହ ହେଲା ମୁହାଁମୁହିଁ ଯୁଦ୍ଧ । ଅନେକ ଲୋକ ଗୁଳିରେ ପ୍ରାଣ ହରାଇ ବି ଛାଡୁ ନ ଥାନ୍ତି । ଏହାପରେ ଭୁବନ ଗ୍ରାମରୁ ମୃତ ଆହତ କର୍ମୀଙ୍କ ସହ ପୋଲିସ ଫୌଜ ଆସି ପହଞ୍ଚିଥିଲେ ଅକ୍ଟୋବର ୧୧ ତାରିଖ ଭୋର ୪ଟା ସମୟରେ ନୀଳକଣ୍ଠପୁରସ୍ଥିତ ବ୍ରାହ୍ମଣୀନଦୀର ଡଙ୍ଗା ଘାଟରେ । ଭୁବନରୁ ଖବର ପହଞ୍ଚିଲା ଫିରିଙ୍ଗି ଅର୍ଥାତ ଇଂରେଜ ଯାଉଛନ୍ତି, ଯେମିତି ସେମାନେ ନଦୀ ପାର ନହୁଅନ୍ତି  । ସେମାନଙ୍କୁ ଡଙ୍ଗା ପାର କରାଇ ନ ଦେବାପାଇଁ ପ୍ରଜାମଣ୍ଡଳ କର୍ମୀମାନେ ସେଠାରେ ଥିବା ରାଜାଙ୍କ ଡଙ୍ଗାକୁ ବୁଡାଇ ଦେଇଥିଲେ । ଆଉ ଥିଲା ଗୋଟିଏ ମାତ୍ର ଡଙ୍ଗା । ସେହି ଡଙ୍ଗାରେ ସେମାନଙ୍କୁ ପାର କରିବା ପାଇଁ ମନା କରି କେତେଜଣ ଗ୍ରାମବାସୀ ଡଙ୍ଗାର ଦଉଡି ଛାଡି ନ ଥିଲେ । ଡଙ୍ଗାର ମଙ୍ଗ ଉପରେ ବସିଥାନ୍ତି ବାଜି ରାଉତ ।

       ଫୌଜମାନେ କହୁଥାଆନ୍ତି ଡଙ୍ଗା ଆଣ । ବାଜିଆ ଗର୍ଜନ କରି କହୁଥାଏ, “ପ୍ରଜାମଣ୍ଡଳର ଆଦେଶ ନାହିଁ ତୁମମାନଙ୍କୁ ଡଙ୍ଗାରେ ପାର କରିବା ପାଇଁ” । ଫୌଜମାନେ କହୁଥାଆନ୍ତି, “ଡଙ୍ଗା ନ ଆଣିଲେ ଗୁଳି କରିବୁ।” ବାଜିଆ ଦୃଢ଼କଣ୍ଠରେ କହୁଥାଏ “ରଖ୍ ତୋ ଗୁଳି । ତୁମେମାନେ ମଣିଷଖିଆ ରାକ୍ଷସ । ଆମ ମା’ ଭଉଣୀଙ୍କର ଇଜ୍ଜତ ଲୁଟୁଛ । ତୁମକୁ ପାରି କରାଯିବ ନାହିଁ ।” ଏତିକିବେଳେ ଢେଙ୍କାନାଳ ରାଜାଙ୍କ ପୋଲିସ ରବି ସ୍ବାଇଁ ବାଜି ରାଉତ ମୁଣ୍ଡକୁ ଲକ୍ଷ୍ୟକରି ଚଳାଇଦେଲା ଗୁଳି- ଗୁଡୁମ୍‌, ଗୁଡୁମ୍‌ । ବାସ୍‌, ବାଜିଆ ଟଳିପଡ଼ିଲା। ପୋଲିସ୍ ଫଉଜ ଅନ୍ୟ ଉପାୟ ନ ଦେଖି ପ୍ରଜାମଣ୍ଡଳ କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ସେହିଠାରେ ବାଜିରାଉତ ସମେତ ୫ ଜଣ ମୃତ୍ୟୁବରଣ କରିଥିଲେ । ବିଶେଷତଃ କୋମଳମତି ବାଜି ରାଉତର ମୃତ୍ୟୁରେ ସମସ୍ତେ ମ୍ରିୟମାଣ ହୋଇପଡିଥିଲେ । ଏହି ଜଘନ୍ୟ ଗୁଳିକାଣ୍ଡକୁ ସର୍ବତ୍ର ନିନ୍ଦା କରାଯାଇଥିଲା । ବାଜି ରାଉତ ଏବଂ ଅନ୍ୟ ଚାରି ସହିଦଙ୍କର ମୃତ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ କଟକର ଖାନନଗର ଶ୍ମଶାନରେ ଅକ୍ଟୋବର ୧୨ ତାରିଖ ଦିନ ଦାହ କରାଯାଇଥିଲା । ଶ୍ମଶାନରୁ ଫେରି କବି ସଚ୍ଚି ରାଉତରାୟ ରଚନା କରିଥିଲେ ଖଣ୍ଡ କାବ୍ୟ ‘ବାଜିରାଉତ’

“ନୁହେଁ ବନ୍ଧୁ ନୁହେଁ ଏହା ଚିତା

ଏ ଦେଶ ତିମିର ତଳେ ଏ ଅଲିଭା ମୁକତି ସଳିତା

ନୁହେଁ ଏହା ଜଳିବା ପାଇଁ

ଏହାର ଜନମ ଏଥି ଜାଳିପୋଡ଼ି ଦେବାକୁ ଧସାଇ

ଏ ଶିଖା ଦେଇଛି ଆଜି

ଇତିହାସେ ହାତଟେକି ଦାନ

ଶତାବ୍ଦୀର ଶ୍ରେଷ୍ଠ ଫୁଲ

ମୁକୁଳିତ ମୃତ୍ୟୁହୀନ ପ୍ରାଣ ।”

      ବାଜିରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନରେ ବାଜିରାଉତ ମେମୋରିଆଲ୍ କଲେଜ, ନୀଳକଣ୍ଠପୁରରେ ବାଜିରାଉତ ସ୍ମୃତି ସ୍ତମ୍ଭ ଓ ଢେଙ୍କାନାଳର ବାଜି ଛକ । ସ୍ବାଧୀନତା ପାଇଁ ମାତ୍ର 12 ବର୍ଷ ବୟସରେ ପ୍ରାଣବଳି ଦେଇଥିବା ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ବଳିଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିଛି ଓ ରହିବ । ସେହିପରି ବର୍ତ୍ତମାନର ସ୍ବାର୍ଥଭିତ୍ତିକ ସମାଜ ଏବଂ ଅନ୍ୟାୟକୁ ବିରୋଧ ନକରିପାରିବାର ମନୋବୃତ୍ତି ବା ଇଚ୍ଛାଶକ୍ତି ବଢୁଥିବା ବେଳେ ବାଜି ରାଉତଙ୍କ ବିରୋଧ କତରିବାର ଦୃଢ ମନୋବଳ ଯୁବପିଢିଙ୍କ ପାଇଁ ପ୍ରେରଣାଦାୟୀ । ତେଣୁ ସମସ୍ତେ ଆଗେଇ ଆସି ଅନ୍ୟାୟ ଓ ଅତ୍ୟାଚାର ଖିଲାପରେ ସ୍ବର ଉତ୍ତୋଳନ କରିବା ଓ ଏକ ସୁସ୍ଥ ସମାଜ ଗଠନ କରିବା ।   

Spread the love