ଆଜିକୁ ଠିକ୍ ୮୮ ବର୍ଷ ପୂର୍ବେ ୧୯୩୬ ମସିହାରେ ଭାଷାଭିତ୍ତିକ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ଆବିର୍ଭାବ ହୋଇଥିଲା, ଯାହା ଓଡ଼ିଶା ଇତିହାସର ସବୁଠାରୁ ସ୍ମରଣୀୟ ଘଟଣା । କାରଣ ଭାଷା ହିଁ ଏକ ଜାତିର ପରିଚୟ । ଏହି ମର୍ମକୁ ବୁଝି ଉନବିଂଶ ଶତାବ୍ଦୀରେ ଆଗେଇ ଆସିଥିଲେ କେତେ ଜଣ ଶିକ୍ଷିତ ଯୁବଗୋଷ୍ଠୀ ଏବଂ ସ୍ୱପ୍ନ ଦେଖିଥିଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ । ଦୀର୍ଘ ବର୍ଷର ଆନ୍ଦୋଳନ ପରେ ୧୯୩୬ ମସିହା ଏପ୍ରିଲ ୧ରେ ଜନ୍ମଲାଭ କଲା ଓଡ଼ିଶା ।
ନଅଙ୍କ ଦୁର୍ଭିକ୍ଷ ଦେଖାଇଲା ଓଡ଼ିଶା ନିର୍ମାଣର ସ୍ୱପ୍ନ
୧୫୬୮ ପର୍ଯ୍ୟନ୍ତ ଓଡ଼ିଶା ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ମର୍ଯ୍ୟାଦା ପାଇଥିଲା । ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କର ଯାଜପୁର ଗୋହିରାଚିକିରି ରଣକ୍ଷେତ୍ରରେ ପରାଜୟ ଓ ନିଧନ ହେବା ପରେ ଓଡ଼ିଶା ଆଫଗାନ, ମୋଗଲ, ମରହଟ୍ଟା ଓ ପରିଶେଷରେ ୧୮୦୩ରେ ବ୍ରିଟିଶମାନଙ୍କ ଦ୍ୱାରା ଅଧିନ ହେବା ପରେ ନିଜସ୍ୱ ପରିଚୟ ହରାଇବାକୁ ଲାଗିଲା । ବ୍ରିଟିଶଙ୍କ ଇଂରାଜୀ ଭାଷା ଓ ଅନ୍ୟାନ୍ୟ ଭାଷାର ବହୁଳ ମାତ୍ରାରେ ପ୍ରଚାର ହେବା ଫଳରେ ଓଡ଼ିଆ ଭାଷା ଧୀରେଧୀରେ ନିଜ ଅସ୍ତିତ୍ୱ ଭୁଲିବାକୁ ବସିଲା । ଏହାପରେ ଧୀରେ ଧୀରେ ଓଡ଼ିଆ ଭାଷା ଓ ଜାତିର ଗୁରୁତ୍ୱକୁ ବୁଝିବାକୁ ଲାଗିଲେ ଓଡ଼ିଆ । ପ୍ରଥମ ଥର ଓଡ଼ିଆ ଭାଷା ଆନ୍ଦୋଳନକୁ ଖୋରାକ ଯୋଗାଇଥିଲା ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ । ଭାଷା ଓ ଜାତି ହିଁ କେତେ ଗୁରୁତ୍ବପୂର୍ଣ୍ଣ, ତାହା ବୁଝିବାକୁ ଆଉ ଓଡ଼ିଆ ଲୋକ ଡେରି କରିନଥିଲେ ଏବଂ ପରିବର୍ତ୍ତନରେ ଆଶାରେ ଆଗେଇ ଆସିଥିଲେ କେତେଜଣ ଶିକ୍ଷିତ ଯୁବଗୋଷ୍ଠୀ ।
ରେଭେନ୍ସା କଲେଜର ଭୂମିକା
ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ୧୮୬୭ରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ କରାଗଲା ଏବଂ ଏହା କଲିକତା ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ ହେଲା । ୧୮୬୮ରେ ଏଠାରେ ମାତ୍ର ୬ ଜଣ ଛାତ୍ରଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହୋଇଥିଲା । ଉକ୍ତ ବର୍ଷ ମଧୁସୂଦନ ଦାସ ଏହି ଅନୁଷ୍ଠାନରୁ ପାସ୍ କଲେ ଏବଂ ପରେ ୧୮୭୦ରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏ. ପାସ୍ କରି ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ । ତେବେ ୧୮୭୬ରେ କଟକ ଉଚ୍ଚ ବିଦ୍ୟାଳୟକୁ ସ୍ନାତକ ମହାବିଦ୍ୟାଳୟ ରୂପେ ଉନ୍ନୀତ କରାଯାଇଥିଲା ଏବଂ ରେଭେନ୍ସା କଲେଜ ଭାବରେ ପରିଚିତ ହେଲା । ସେହି କଲେଜରୁ ବହୁ ଓଡ଼ିଆ ଯୁବକ ଉଚ୍ଚତର ଶିକ୍ଷା ଲାଭ କରି ଓଡ଼ିଆ ଆନ୍ଦୋଳନକୁ ଆଗକୁ ନେଇଥିଲେ ।
ଉତ୍କଳ ସଭାରୁ ଉତ୍କଳ ସମ୍ମିଳନୀର ଜନ୍ମ
ଗୌରୀଶଙ୍କର ରାୟ, ମଧୁସୂଦନ ଦାସ ଏବଂ ଚୌଧୁରୀ କାଶୀନାଥ ଦାସଙ୍କ ନେତୃତ୍ୱରେ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ୧୮୮୨ମସିହାରେ କଟକରେ ‘ଉତ୍କଳ ସଭା’ ଗଠନ ହେଲା ଏବଂ ଏହି ସଭା ମାଧ୍ୟମରେ ଓଡ଼ିଆ ଭାଷା ଆନ୍ଦୋଳନ ଅଧିକ ଗତିଶୀଳ ହେଲା । ୧୮୮୮ରେ ମଧ୍ୟପ୍ରଦେଶ, ମାଦ୍ରାସ ଏବଂ ବଙ୍ଗରେ ମିଶିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଅଲଗା କରିବା ପାଇଁ ଉତ୍କଳ ସଭା ପକ୍ଷରୁ ଦାବି କରାଯାଇଥିଲା । ଏହାପରେ ଧୀରେଧୀରେ ଜାତୀୟ କଂଗ୍ରେସର ବିଭିନ୍ନ ଅଧିବେଶନ ଏବଂ ବିଭିନ୍ନ ଜାତୀୟ ସମ୍ମିଳନୀରେ ଓଡ଼ିଆଙ୍କ ନେତୃତ୍ୱ ଓଡ଼ିଆ ଜାତୀୟତା ଜାଗରଣ ପାଇଁ ସହାୟକ ହୋଇଥିଲା । ଏହିପରି ଭାବରେ ବିଭିନ୍ନ କୋଣ ଅନୁକୋଣରେ ଓଡ଼ିଆ ଭାଷା ଆନ୍ଦୋଳନ ଆଗେଇ ଚାଲିଲା, ଯାହାର ଫଳସ୍ୱରୂପ ଉତ୍କଳ ସଭାରୁ ୧୯୦୩ ମସିହାରେ ‘ଉତ୍କଳ ସମ୍ମିଳନୀ’ ଜନ୍ମ ହେଲା ।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଓଡ଼ିଆ ଭାଷା ଆନ୍ଦୋଳନ ତୀବ୍ରତର ହୋଇଥିଲା । କଟକର ଇଦ୍ଗା ପଡ଼ିଆରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ମଧୁବାବୁଙ୍କ ନେତୃତ୍ୱରେ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ସଭାପତିତ୍ୱ କରିଥିଲେ । ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଓଡ଼ିଆ ଅଞ୍ଚଳର ଏକତ୍ରିକରଣ ଥିଲା । ଉତ୍କଳ ସମ୍ମିଳନୀର ମୋଟ ୧୬ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିଟି ଅଧିବେଶନରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣକୁ ନେଇ ସରକାରଙ୍କ ନିକଟରେ ଦାବି କରାଯାଇଥିଲା ।
ଉତ୍କଳ ସମ୍ମିଳନୀର ପ୍ରଭାବ ଦ୍ୱାରା ୧୯୧୧ ଜାନୁଆରୀରେ ଓଡ଼ିଶା ସହିତ ଗଞ୍ଜାମର ମିଶ୍ରଣର ଏକ ଜନଆନ୍ଦୋଳନର ସୂତ୍ରପାତ ହେଲା ଏବଂ ୧୯୧୨ ମାର୍ଚ୍ଚରେ ଗଞ୍ଜାମ ମିଶ୍ରଣ ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଅପରପକ୍ଷେରେ ୧୯୧୧ ବଙ୍ଗ ବିଭାଜନ ଫଳସ୍ୱରୂପ ଗଢ଼ି ଉଠିଥିବା ବିହାର-ଓଡ଼ିଶା ରାଜ୍ୟ ଗଠନକୁ ମଧୁବାବୁ ବିରୋଧ କରିଥିଲେ । ସେପଟେ ଇଂରେଜ ସରକାରଙ୍କ ମନମୁଖୀ ଶାସନକୁ ବିରୋଧ କରି ଓଡ଼ିଶାର ଦକ୍ଷିଣାଞ୍ଚଳରେ ପ୍ରତିବାଦର ସ୍ୱର ଉଠିଲା ଏବଂ ୧୯୧୪ରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ପାରଳା ମହାରଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସମସ୍ତ ଓଡ଼ିଆଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବାର ଆହ୍ୱାନ ଦେଲେ । ଏହା ପରେ ବିଭିନ୍ନ କମିଟି ଜରିଆରେ ଇଂରେଜ ସରକାରଙ୍କ ଆଗରେ ଓଡ଼ିଶା ପ୍ରଦେଶର ଗଠନର ଯଥାର୍ଥକୁ ବୁଝାଇଥିଲେ । ଏହାସହ ଏହି ସମ୍ମିଳନୀ ପକ୍ଷରୁ ଗୀତ, ସଙ୍ଗୀତ, ଦେଶ ବନ୍ଦନା ଓ ସ୍ଲୋଗାନ ଜରିଆରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଆଙ୍କ ପ୍ରତି ଜାତୀୟତା ମନୋଭାବକୁ ଜାଗ୍ରତ କରାଯାଉଥିଲା, ଯାହା ଦିନକୁ ଦିନ ଜନଆନ୍ଦୋଳନ ରୂପ ନେବାକୁ ଲାଗିଲା । ଏହା ଫଳସ୍ୱରୂପ ବ୍ରିଟିଶ ସରକାରଙ୍କ ପକ୍ଷରୁ ଓଡ଼ିଆ ଲୋକଙ୍କ ମତ ନେବା ପାଇଁ ଏକ କମିଟି ଗଠନ କରାଗଲା । ପରେ ୧୯୨୮ରେ ‘ସାଇମନ କମିଶନ’ ଓଡ଼ିଆମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସୁପାରିଶ କରିଥିଲେ । ଏହାପରେ ଦିନକୁ ଦିନ ଓଡ଼ିଶା ଗଠନର ଆଶା ବଳବତ୍ତର ହେବାକୁ ଲାଗିଲା । ଏହି କମିଶନର ରିପୋର୍ଟ ଆଧାରରେ ୧୯୩୦ରେ ଲଣ୍ଡନରେ ପ୍ରଥମ ଗୋଲଟେବୁଲ ବୈଠକ ବସିଥିଲା । ଏଥିରେ ରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଆମାନଙ୍କର ପ୍ରତିନିଧିତ୍ୱ କରି ଓଡ଼ିଶା ପ୍ରଦେଶ ଗଠନ ସପକ୍ଷରେ ମତ ରଖିଥିଲେ । ବୈଠକରେ ଓଡ଼ିଶା ଗଠନର ଯୁକ୍ତିର ସଫଳ ରୂପାୟନ ଭାବେ ୧୯୩୧ରେ ଏକ ସୀମା ନିର୍ଦ୍ଧାରଣ କମିଟି ଗଠନ କରାଯାଇଥିଲା । ଏହାପରେ ନୂତନ ଓଡ଼ିଶା ଗଠନର ପ୍ରକ୍ରିୟାକୁ କୃଷ୍ଣଚନ୍ଦ୍ର ଗଜପତି ତ୍ୱାରନ୍ୱିତ କରି ପରିଶେଷରେ ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଏକତ୍ର ହୋଇ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଢ଼ି ଉଠିଲା ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର
ଉତ୍କଳ ସମ୍ମିଳନୀର ଶେଷ ବୈଠକ ୧୯୩୫ ମସିହା ଫେବୃଆରୀ ୧୧ରେ କଟକଠାରେ ବସିଥିଲା । କିନ୍ତୁ ଦୁଃଖର ବିଷୟ ସ୍ୱତନ୍ତ୍ର ଓଡ଼ିଶା ଗଠନ ପୂର୍ବରୁ ୧୯୩୪ ମସିହା ଫେବୃଆରୀ ୪ତାରିଖରେ ନବଉତ୍କଳର ବିନ୍ଧାଣୀ ମଧୁବାବୁ ପ୍ରାଣତ୍ୟାଗ କରିଥିଲେ । ଓଡ଼ିଶା ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଜେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ୱଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ ଓ ନୀଳମଣି ବିଦ୍ୟାରତ୍ନଙ୍କ ପରି ଅନେକଙ୍କ ଅବଦାନ ଆଜି ବି ଅବିସ୍ମରଣୀୟ ହୋଇରହିଛି । ସେହିପରି ଓଡ଼ିଶା ପ୍ରଦେଶ ଗଠନର ଇତିହାସରେ ନାରୀନେତ୍ରୀଙ୍କ ଅବଦାନ ମଧ୍ୟ କମ୍ ନୁହେଁ। ନାରୀକବି କୁନ୍ତଳାକୁମାରୀ ସାବତ, ସରଳା ଦେବୀ ଏବଂ ଶୈଳବାଳା ଦାସ ମଧ୍ୟ ଓଡ଼ିଶା ଗଠନରେ ମହନୀୟ ଭୂମିକା ନିର୍ବାହ କରିଥିଲେ । ଟି. ରେଭେନ୍ସା, ହେନେରି ରିକେଟ୍ସ ଓ ଜନ୍ ବିମ୍ସଙ୍କ ପରି କେତେକ ଇଂରେଜ ଅଧିକାରୀ ମଧ୍ୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନକୁ ଉତ୍ସାହିତ କରିଥିଲେ ।
୧୯୩୬ ମସିହା ଏପ୍ରିଲ ପହିଲା ହେଉଛି ପ୍ରତିଟି ଓଡ଼ିଆଙ୍କ ପାଇଁ ଥିଲା ଗର୍ବ ଓ ଗୌରବର ଦିନ । ସେହି ଦିନକୁ ମନେ ପକାଇ ପ୍ରତିବର୍ଷ ଏପ୍ରିଲ ପହିଲାରେ ପାଳିତ ହେଉଛି ଉତ୍କଳ ଦିବସ । କିନ୍ତୁ କେବଳ ଗୋଟିଏ ଦିନ ଆମ ଭାଷାକୁ ମନେ ପକାଇଲେ ହେବ ନାହିଁ, ବରଂ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ମଧ୍ୟ ପ୍ରତିଟି ଓଡ଼ିଆଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ୍ । ଏହି ଆଲେଖ୍ୟରେ ଅତି ସଂକ୍ଷିପ୍ତ ଓଡ଼ିଆ ଭାଷା ଆନ୍ଦୋଳନର ରୂପରେଖକୁ ଆଲୋଚନା କରାଯାଇଛି । ତେବେ ଏହି ଲେଖାଟି ଆପଣଙ୍କୁ କେମିତି ଲାଗିଲା, ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ ।