ସବୁଜ ସୁନ୍ଦରତା ପାଇଁ ସମର୍ପିତ ଶୁଭ୍ରାଂଶୁ

ଗଛ ହସିଲେ, ଜୀବନ ହସିବ । ଏହାର ମର୍ମକୁ ସମସ୍ତେ ବୁଝନ୍ତି, କିନ୍ତୁ ପ୍ରକୃତି ବା ପରିବେଶର ସୁରକ୍ଷା କଥା ଚିନ୍ତା କରିବାକୁ ସମସ୍ତଙ୍କ ପାଖରେ ସମୟର ଅଭାବ । ହେଲେ ଢେଙ୍କାନାଳର ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ସମସ୍ତଙ୍କଠୁ ଭିନ୍ନ । ସେ ସର୍ବଦା ମାନବ ସମାଜର ଆସନ୍ତାକାଲି ପାଇଁ ଚିନ୍ତିତ ଓ ବ୍ୟଥିତ । ବଣଜଙ୍ଗଲ ଓ ଜୀବଜନ୍ତୁଙ୍କ ପାଇଁ କ’ଣ ଆବଶ୍ୟକ ସେ ଭଲ ଭାବରେ ଜାଣିଛନ୍ତି ଓ ବୁଝିଛନ୍ତି । ତେଣୁ ଶୁଭ୍ରାଂଶୁ ‘ୱାନ୍ ମ୍ୟାନ୍ ଆର୍ମି’ ସାଜି ପରିବେଶ ପ୍ରତି ଯଥାସମ୍ଭବ ଦାୟିତ୍ବ ଓ କର୍ତ୍ତବ୍ୟ କରିଚାଲିଛନ୍ତି ।

ଢେଙ୍କାନାଳ ଜିଲ୍ଲାର କୁଞ୍ଜକାନ୍ତ ଅଞ୍ଚଳରେ ରୁହନ୍ତି ଶୁଭ୍ରାଂଶୁ ଶତପଥୀ । ବାପା ଉଦୟନାଥ ଶତପଥୀ ଜଣେ ଅବସରପ୍ରାପ୍ତ ବନ ଅଧିକାରୀ ।  ଏଥିରୁ ହିଁ ବୁଝିପାରୁଥିବେ ଶୁଭ୍ରାଂଶୁ ପ୍ରକୃତି ଆଡ଼କୁ ସବୁବେଳେ କାହିଁକି ଟାଣି ହୋଇଯାଆନ୍ତି । କାରଣ ତାଙ୍କର ପିଲାବେଳ ବଣଜଙ୍ଗଲରେ କଟିଛି । ଆଉ ମାଆ ସ୍ବର୍ଗତଃ ରାଜଲକ୍ଷ୍ମୀ ମଧ୍ୟ ଜଣେ ପ୍ରକୃତି ପ୍ରେମୀ । ବାପାମାଆ ଉଭୟଙ୍କ ପରିବେଶ ପ୍ରେମ ଶୁଭ୍ରାଂଶୁଙ୍କଠି ବେଶ୍ ପ୍ରତିଫଳତି ହୋଇଛି । ତେଣୁ ମା’ଙ୍କ ପଦ ଅନୁସରଣ କରି ଗ୍ରୀଷ୍ମଦିନେ ତୃଷ୍ଣାର୍ତ୍ତ ପଶୁପକ୍ଷୀଙ୍କ ତୃଷ୍ଣା ମେଣ୍ଟାଉଛନ୍ତି ତ କେତେବେଳେ ପରିବେଶ ସୁରକ୍ଷା ପ୍ରତି ଲୋକଙ୍କୁ କରାଉଛନ୍ତି ସଚେତନ । ଏଥିସହ ସବୁଜ ସୁନ୍ଦର ଦୁନିଆ ଗଢ଼ିବା ପାଇଁ ପ୍ରତିଦିନ ପ୍ରୟାସ କରିଚାଲିଛନ୍ତି । ଏଥିରେ ତାଙ୍କୁ ସାହାଯ୍ୟ କରିଛି ତାଙ୍କ ଦୃଢ଼ ଇଚ୍ଛାଶକ୍ତି ।

ଶୁଭାଂଶୁ 2010-11ରେ କିଟ୍ ଫିଲ୍ମ ସ୍କୁଲରେ ପଢ଼ୁଥିବା ସମୟରେ ‘ଦେ ରିୟଲି ନିଡ୍ ଅସ୍’ ଏବଂ ‘ଲେଟ୍ ଦେମ୍ ବ୍ରେଥ୍’ ନାମକ ଦୁଇଟି ପରିବେଶ ସୁରକ୍ଷା ଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର  ନିର୍ମାଣ କରିଥିଲେ । ଅତି କମ୍ ବୟସରେ ପରିବେଶକୁ ବୁଝିବାର ଶକ୍ତି ଓ ଭଲପାଇବା ଏହି ଫିଲ୍ମକୁ ଦେଖିଲେ ହିଁ ଜଣାପଡ଼ୁଥିଲା, ଯେଉଁଥିପାଇଁ ସେ ବିଶ୍ବ ଦରବାରରେ ସମ୍ମାନିତ ହୋଇଛନ୍ତି । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇବା ସହ youngest film maker ଭାବେ ପୁରା ବିଶ୍ବରେ ପରିଚିତ ହେଲେ । ଏହାସହ ତାଙ୍କର ଏହି ଦୁଇଟି ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ସେ ବିଶ୍ବରେ ଅଷ୍ଟମ ଭାରତୀୟ ତଥା ପ୍ରଥମ ଓଡ଼ିଆ ଭାବେ ଆମେରିକାରୁ ପୁରସ୍କାର ଜିତି ରାଜ୍ୟ ପାଇଁ ସମ୍ମାନ ଆଣିଛନ୍ତି । ତେବେ ଏହି ସଫଳତା ତାଙ୍କୁ ଧୀରେଧୀରେ ଆହୁରି ଅଧିକ ନିକଟତର କରିଥିଲା ଜୀବଜନ୍ତୁ ଓ ବଣଜଙ୍ଗଲ । ତେଣୁ ପେଶାଗତ ବୃତ୍ତିକୁ ଚୟନ ନକରି ଶୁଭ୍ରାଂଶୁ ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ଆରମ୍ଭ କରିଚାଲିଲେ । ଏଥିସହ ସେ ଜୀବଜନ୍ତୁଙ୍କ ଫଟୋ ଉଠାଇବାକୁ ମଧ୍ୟ ବେଶ ଭଲପାଆନ୍ତି । ତେଣୁ ଫଟୋଗ୍ରାଫି ଜରିଆରେ ଲୋକଙ୍କୁ ସଚେତନ କରାଇଛନ୍ତି । ଏପରିକି ସଂରକ୍ଷିତ ଜଙ୍ଗଲ ଓ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ଲେଖା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାକୁ  ଭୁଲୁ ନାହାନ୍ତି ।

ପ୍ରକୃତି ପ୍ରେମୀ ଶୁଭ୍ରାଂଶୁଙ୍କ ସବୁଠୁ ବଡ଼ ସଫଳ ପଦକ୍ଷେପ ହେଉଛି ଖରାଦିନେ ବିଭିନ୍ନ ସ୍ଥାନରେ ଶୋଷିଲାଙ୍କ ପଶୁପକ୍ଷୀଙ୍କ ପାଇଁ ମାଟିପାତ୍ର ରଖିବା। ସେ ନିଜେ ଘରର ଛାତ, ଅଗଣା ଓ ବାରିଆଡ଼େ ମାଟିପାତ୍ରରେ ପାଣି ରଖିବାର ବ୍ୟବସ୍ଥା କରିବା ସହ ସାହି ପଡ଼ିଶାରୁ ଆରମ୍ଭ କରି ବୁଲି ବୁଲି ସ୍କୁଲ, କ୍ଲବ ଓ ବିଭିନ୍ନ ଅନୁଷ୍ଠାନର ଲୋକଙ୍କୁ ଏସମ୍ପର୍କରେ ପରାମର୍ଶ ଦେଉଛନ୍ତି । ଯାହା ଫଳରେ ଏପର୍ଯ୍ୟନ୍ତ ପ୍ରାୟ 25 ହଜାରରୁ ଅଧିକ ମାଟିପାତ୍ର ବାଣ୍ଟି ପାରିଥିବା କହିଛନ୍ତି  ।  ଏହାସହ ଜଙ୍ଗଲ ନିଆଁ ଆୟତ୍ତ ଓ ପ୍ଲାଷ୍ଟିକ ବର୍ଜନକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି ପାଇଁ ଶୁଭ୍ରାଂଶୁଙ୍କ ପ୍ରଚେଷ୍ଟାରେ 2018ରେ ପ୍ରଥମ ଥର ପାଇଁ  ଆୟୋଜିତ ହୋଇଥିଲା ସବୁଠୁ ବଡ଼ ମାନବ ଶୃଙ୍ଖଳ । ପ୍ରକୃତି ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଓ ପଶୁପକ୍ଷୀ ବଞ୍ଚାଅ ଅଭିଯାନ ପାଇଁ ଜାତିସଂଘ ପକ୍ଷରୁ ତାଙ୍କୁ ୟୁଏନ୍ ଏନଭରମେଣ୍ଟ୍ ଆୱର୍ଡ ମିଳିଛି ।

ଜୀବଜନ୍ତୁଙ୍କ ସହ ଉଦୀୟମାନ ଯୁବକ ଶୁଭ୍ରାଂଶୁ ସବୁଜ ପୃଥିବୀ ଗଢ଼ିବା ପାଇଁ ଟେକ୍ନୋଲୋଜିର  ସାହାରା ନେଇଛନ୍ତି । ଏହି ଟେକ୍ନୋଲୋଜିକୁ ସେ ବନୀକରଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଜଙ୍ଗଲ ଅବକ୍ଷୟ ହୋଇଥିବା ଦୁର୍ଗମ ସ୍ଥାନରେ ସେ ଡ୍ରୋନ ସାହାଯ୍ୟରେ ମଞ୍ଜି ଗୋଳା ବା ସିଡବଲ୍ ବୁଣୁଛନ୍ତି । ଯେଉଁସ୍ଥାନକୁ ଜଣେ ସାଧାରଣ ମଣିଷ ପହଞ୍ଚିପାରିବ ନାହିଁ, ସେହି ସ୍ଥାନରେ ଡ୍ରୋନ ମଞ୍ଜି ବୁଣୁପାରୁଛି । ଶୁଭ୍ରାଂଶୁ ଢେଙ୍କାନାଳର କପିଳାସ ଓ ସପ୍ତଶଯ୍ୟା, ଖୋର୍ଦ୍ଧାର ବରୁଣେଇ, ଭୁବନେଶ୍ବରର ଚନ୍ଦକା ଆଦି ଅନେକ ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଏଭଳି ଅଭିନବ ପନ୍ଥା ଆପଣାଇଛନ୍ତି । ଏଥିସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କର୍ମଶାଳା ଆୟୋଜନ କରି ସିଡବଲ୍ ପ୍ରସ୍ତୁତି କୌଶଳ ଓ ଏହାର ପ୍ରୟୋଗ ସମ୍ପର୍କରେ  ପ୍ରଶିକ୍ଷଣ ଦେଉଛନ୍ତି । ଏପର୍ଯ୍ୟନ୍ତ ସେ ପ୍ରାୟ ଏକ ଲକ୍ଷରୁ ଅଧିକ ସିଡବଲ୍ ବୁଣିଛନ୍ତି ବୋଲି ଶୁଭ୍ରାଂଶୁ କହିଛନ୍ତି ।

ସବୁଜ ସୁନ୍ଦର ଦୁନିଆ ହିଁ  ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀଙ୍କ ଏକମାତ୍ର ଲକ୍ଷ୍ୟ । ତେଣୁ ଦାମିକିଆ ଚାକିରି ପଛରେ ନଧାଇଁ ସେ ଏକ ସୁସ୍ଥ ପରିବେଶ ଗଢ଼ିତୋଳିବାରେ ଲାଗିଛନ୍ତି ଓ ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଓଡ଼ିଶାର ରୀତିନୀତି, ପରମ୍ପରା ଓ କଳାସଂସ୍କୃତି ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ, ଆମ ‘ନିୟୁ ଦିଲ୍ଲୀ ଓଡ଼ିଆ ସମାଜ’ ୱେବସାଇଟକୁ ଭିଜିଟ୍ କରନ୍ତୁ ଏବଂ ନୂଆ ନୂଆ ବ୍ଲଗ୍ ପଢ଼ନ୍ତୁ ।

Spread the love