mahalaya

ଶରତ ଋତୁର ଶୁଭାଗମନରେ ସଜେଇ ହୁଏ  ଧରଣୀ ରାଣୀ । ଚାରିଆଡ଼େ ସବୁଜିମା ଓ କାଶତଣ୍ଡୀର ଧବଳ ଆବରଣରେ ହସି ଉଠେ ପ୍ରକୃତି। ଆଉ ଆଶ୍ବିନ ମାସ ମନରେ ଭରେ ପାର୍ବଣର ଭକ୍ତି ଓ ଶ୍ରଦ୍ଧା । ଭକ୍ତଙ୍କ ଭିଡ଼ରେ ଧୀରେଧୀରେ ଚଞ୍ଚଚଞ୍ଚଳ ହୋଇ ଉଠେ ଦେବାଦେବୀ ମନ୍ଦିର ଓ ଶକ୍ତିପୀଠ, ରାସ୍ତାଘାଟ ଓ ପୁରପଲ୍ଲୀ । ଓଡ଼ିଶାର ବାର ମାସ ତେର ପର୍ବ ମଧ୍ୟରେ ଏହି ଶସ୍ୟ ଶ୍ୟାମଳା ଆଶ୍ବିନ ମାସରେ ପଡ଼େ “ମହାଳୟା ଅମାବାସ୍ୟା” ।  

ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ “ମହାଳୟା” ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୂର୍ବପୁରୁଷ ଶାନ୍ତି ହେବା ସହ ପୁଣ୍ୟ ଲାଭ ଏବଂ ଶୁଭ ଫଳ ମିଳୁଥିବା ବିଶ୍ୱାସ କରାଯାଏ ।

ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ହିଁ “ମହାଳୟା ଅମାବାସ୍ୟା” । ଏହାକୁ ମଧ୍ୟ ‘ମହାଳୟା ଶ୍ରାଦ୍ଧ’, ସାମ୍ବତ୍ସରିକ ଶ୍ରାଦ୍ଧ’ ବା ‘ପାର୍ବଣ ଶ୍ରାଦ୍ଧ’ ବା ‘ମଉଳା ଶ୍ରାଦ୍ଧ’  କୁହାଯାଏ । ଏଥିସହ ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ “ପିତୃପକ୍ଷ” କୁହାଯାଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଶାସ୍ତ୍ରରେ ରହିଛି ଯଦି କୌଣସି ବ୍ୟକ୍ତି ନିଜ ପୂର୍ବପୁରୁଷଙ୍କ ଦେହାନ୍ତ ତିଥି ଜାଣି ନ ଥିଲେ, ଏହି ପୂର୍ବଜଙ୍କ ଶ୍ରାଦ୍ଧ କର୍ମ ଆଶ୍ୱୀନ ଅମାବାସ୍ୟାରେ କରାଯାଇପାରିବ । ଶ୍ରାଦ୍ଧ ତିଥି ଥିବା ଦିନ ସୂର୍ଯ୍ୟୋଦୟରୁ ଆରମ୍ଭ କରି ମଧ୍ୟାହ୍ନ ପୂର୍ବର ଅବଧି ସମୟ ମଧ୍ୟରେ ନିଜ ପୂର୍ବପୁରୁଷଙ୍କ ନିମନ୍ତେ ଶ୍ରାଦ୍ଧ, ତର୍ପଣ ଆଦି କରିବା ଉଚିତ । ଏହି ଦିନ ପୂର୍ବପୁରୁଷ ଶ୍ରାଦ୍ଧ ଗ୍ରହଣ କରିବା ଲାଗି ପୃଥିବୀ ପୃଷ୍ଠକୁ ଆସିଥାନ୍ତି ବୋଲି କୁହାଯାଏ । ଓଡ଼ିଶାର କେତେକ ଅଞ୍ଚଳରେ ପିତୃପକ୍ଷ ଶ୍ରାଦ୍ଧ ଦିବସରେ ବ୍ରାହ୍ମଣକୁ ନିମନ୍ତ୍ରଣ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ, ଯଜ୍ଞ ଓ ଭୋଜନ କରାଯାଏ । ଏହି ଦିନ ଘରର ବଡ଼ ପୁଅ ତଥା ମୁଖ୍ୟ ସ୍ନାନାଦି ଆଦି ନିତ୍ୟକର୍ମ ସାରି ଶ୍ରାଦ୍ଧ କର୍ମରେ ବସିଥାନ୍ତି । ଶ୍ରାଦ୍ଧ କର୍ମ ଶେଷ ହେବା ପରେ ବ୍ରାହ୍ମଣ ଭୋଜନ ସହିତ ଦକ୍ଷିଣା ଦେଇ ଆଶୀର୍ବାଦ ନିଆଯାଇଥାଏ ।

ଲଗାତାର 15 ଦିନ ଧରି ଥିବା ପିତୃପକ୍ଷରେ ନିୟମିତ ପୂର୍ବପୁରୁଷଙ୍କୁ ପିଣ୍ଡଦାନ, ତର୍ପଣ, ଧର୍ମ-କର୍ମ ଓ ଦାନ ଆଦି କରାଯାଇଥାଏ । ମହାଳୟା ଶ୍ରାଦ୍ଧରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଆଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ କରାଯାଏ । ସେହିପରି ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ ।

କିମ୍ବଦନ୍ତି କୁହେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା। କାରଣ, ଜୀବିତାବସ୍ଥାରେ କର୍ଣ୍ଣ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା “ପିତୃପକ୍ଷ” ।

ଓଡ଼ିଶାର ବିଭିନ୍ନ ଘାଟରେ ପିଣ୍ଡଦାନ କରିବାର ପରମ୍ପରା ରହିଛି । ପୁରାଣ ଅନୁସାରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ହେଉଛନ୍ତି ପିତୃଗଣମାନଙ୍କର କନ୍ୟା । ତେଣୁ ବିରଜା ମନ୍ଦିର ନାଭିଗୟା ଓ ବୈତରଣୀ କୂଳ ଦଶ୍ବାସମେଧ ଘାଟରେ ଏବଂ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବଡ଼ ଦେଉଳରେ ବାଇଶି ପାହାଚରେ ପିଣ୍ଡଦାନ କରାଯାଏ । କେବଳ ଜଣାଶୁଣା ମନ୍ଦିର ନୁହେଁ, ମହାଳୟା ଦିନ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଛୋଟ ବଡ଼ ମନ୍ଦିରରେ ଭକ୍ତମାନେ ବିଭିନ୍ନ ରୀତିନୀତି କରୁଥିବା ଦେଖିବାକୁ ମିଳିଥାଏ । ଓଡ଼ିଶାରେ ମହାଳୟା ଶ୍ରାଦ୍ଧ ଦିନ କଦଳୀ ପତ୍ରରେ ଚାଉଳ, କଦଳୀ, ରାଶି, ଫୁଲ, ଚନ୍ଦନ ଓ ତୁଳସୀ ପତ୍ର ଆଦି ଦେଇ ପୂର୍ବପୁରୁଷଙ୍କୁ ତର୍ପଣ କରାଯାଏ । ସେହିପରି ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ “ଦଶହରା ବଳଦ ଯାତ୍ରା”ର ଆରମ୍ଭ ହୋଇଥାଏ । ଏହି ଦିନ ସମ୍ବଲପୁରର ସମଲେଶ୍ୱରୀଙ୍କ “ଧବଳମୁଖୀ ବେଶ” ହୋଇଥାଏ ।

Spread the love