ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜାବାଜ.. । ରଜ ସମୟରେ ଗାଁଠାରୁ ଆରମ୍ଭ କରି ସହରଯାଏ ଶୁଣିବାକୁ ମିଳେ ଏହି ଦୋଳି ଗୀତ । ଓଡ଼ିଶାର ଜାତୀୟ ପର୍ବ ରଜ ଆସିଲେ ଉତ୍ସବ ମୁଖର ହୋଇଉଠେ ସାରା ଓଡ଼ିଶା । ଓଡ଼ିଆମାନଙ୍କ ସାମାଜିକ ଓ ଗଣପର୍ବ ରଜ ଆସିଥାଏ ଖୁସିର ଫରୁଆ ନେଇ । କୃଷିଭିତ୍ତିକ ପର୍ବ ରଜ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ରଜବତୀ ହେବା । ବର୍ଷାର ଆଗମନରେ ମାଟି ମା’ରଜସ୍ୱଳା ହେବା ଓ ନୂଆ ଶସ୍ୟ ଜନ୍ମ ଦେବାର ସାଙ୍କେତିକ ଭାବ ଏହା କରିଥାଏ ବହନ ।
ବସୁଧା ମାତାକୁ ପୂଜା କରିବାର ଅନନ୍ୟ ପରମ୍ପରା
ଆଷାଢ଼ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ହୋଇଥାଏ ଅପୂର୍ବ ମିଳନ । ମାଟି ମା’ହୁଏ ରଜସ୍ୱଳା । ଜଣେ ନାରୀକୁ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମର ଆବଶ୍ୟକତା ରହିଛି, ଠିକ୍ ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ଧରିତ୍ରୀ ମା’କୁ ରଜ ତିନି ଦିନ ବିଶ୍ରାମ ଦିଆଯାଏ । ଏହି ସମୟରେ ଭୂମିରେ ଲଙ୍ଗଳ ଚଳାଇବା କିମ୍ବା ଅନ୍ୟ କୃଷି କାମ କରିବାରେ ରହିଛି ବାରଣ ।
ରଜପର୍ବ ପାଳନରେ ମସଗୁଲ ସାରା ଓଡ଼ିଶା
ସାଧାରଣତଃ ମୁଖ୍ୟ ରଜ ପର୍ବ ୩ ଦିନ ହୋଇଥିବାବେଳେ ମୋଟ୍ ୫ ଦିନ ଧରି ଏହା ପାଳନ କରାଯାଏ । ପହିଲି ରଜର ପୂର୍ବଦିନ ପଡ଼ିଥାଏ ସଜବାଜ । ଏହି ଦିନ ଘର ଓ କୃଷି କର୍ମରେ ବ୍ୟବହୃତ ଉପକରଣ ଧୋଇ ପରିଷ୍କାର କରାଯାଏ । ପିଲାଙ୍କ ପାଇଁ ଦୋଳି ବନ୍ଧାଯିବା ସହ କୁଆଁରୀ ଝିଅମାନେ ଅଳତା, କଜଳ, ମେହେନ୍ଦୀ, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ହୋଇଥାନ୍ତି ସଜବାଜ । ଏହାର ପରଦିନ ମାସନ୍ତରେ ପଡ଼େ ପହିଲି ରଜ । ଏହି ଦିନ ଝିଅମାନେ ନୂଆ ବସ୍ତ୍ର ପିନ୍ଧି ସଜାବାଜ ହୋଇ ଦୋଳି ଖେଳିଥାନ୍ତି । ରଜ ପଟିରେ ଶିଳ ପୁଆ ପୂଜା କରି ଏକାଠି ବସି ପିଠାପଣା ଖାଇଥାନ୍ତି । ଆଷାଢ଼ ମାସର ପ୍ରଥମ ଦିନ ହେଉଛି ରଜ ସଂକ୍ରାନ୍ତି । ସଂକ୍ରାନ୍ତି ପରଦିନ ପଡ଼େ ଶେଷ ରଜ ବା ଭୂମି ଦହନ ଓ ଶେଷରେ ଆଷାଢ଼ ମାସର ତୃତୀୟ ଦିନରେ ପଡ଼େ ବସୁମତୀ ସ୍ନାନ ।
ମହିଳାଙ୍କୁ କାମରୁ ମିଳିଥାଏ ବିରତି, ଜମିଥାଏ ଖେଳ
ବସୁଧା ମା’ସହିତ ସମଗ୍ର ମାତୃଜାତିକୁ ଏହି ରଜ ପର୍ବ ଉତ୍ସର୍ଗ କରାଯାଇଛି । ରଜ ତିନି ଦିନ କୁମାରୀ ଝିଅମାନେ ରଜସ୍ୱଳା ନାରୀଙ୍କ ଭଳି ଭୂମିରେ ଚାଲନ୍ତି ନାହିଁ କିମ୍ବା ସ୍ନାନ କରନ୍ତି ନାହିଁ । ଲୁଣ ଖାଆନ୍ତି ନାହିଁ, କେବଳ ଫଳମୂଳ ଓ ମିଠା ସେବନ କରିବାର ବିଧି ରହିଛି । ରଜରେ ନାରୀମାନଙ୍କୁ ଗୃହକର୍ମରୁ ମିଳିଥାଏ ବିରତି । ଯୁବତୀମାନେ ନୂଆ ବସ୍ତ୍ର ଓ ଅଳଙ୍କାର ପରିଧାନ କରି ବନ୍ଧୁ ବାନ୍ଧବ ଓ ସାଙ୍ଗସାଥୀଙ୍କ ଘରକୁ ବୁଲିବାକୁ ଯାଇଥାନ୍ତି । ତାସ୍, କ୍ୟାରମ୍, ପଶା, ଲୁଡ଼ୁ, ବାଗୁଡ଼ି, ଦୋଳି, ପୁଚି ଖେଳରେ ତିନି ଦିନ କେମିତି ବିତିଯାଏ ଜଣାପଡ଼େନି ।
ରଜ ଦୋଳି ଗୀତ
ରଜରେ କୁମାରୀମାନଙ୍କ ରଜ ଦୋଳି ଗୀତ ସବୁଠାରୁ ବଡ଼ ଆକର୍ଷଣ । ଦୋଳି ଖେଳିବା ସମୟରେ ସେମାନେ ଓଡ଼ିଶାର ସାମାଜିକ ଚଳଣୀ, ପରମ୍ପରା ଆଦିକୁ ନେଇ ଉଦ୍ଦିଷ୍ଟ ଲୋକଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ପ୍ରଚଳନ ହୋଇ ଆସୁଛି ।
ପୋଡ଼ ପିଠା ଓ ପାନ ବିନା ରଜ ଅଧୁରା
ପୋଡ଼ ପିଠା ଓ ଖିଲି ପାନ ବିନା ଅଧୁରା ରଜ । ରଜରେ ଲୋକେ ନିଜ ବନ୍ଧୁ ଓ ପରିଜନଙ୍କୁ ଶ୍ରଦ୍ଧା ପୂର୍ବକ ମୁଖବାସ ସୁମିଷ୍ଟ ପାନ ଦେଇଥାନ୍ତି । ଏହି ପାନରେ ୧୦ରୁ ୧୨ ପ୍ରକାରର ସୁବାସିତ ମସଲା ବ୍ୟବହାର କରାଯାଏ । ପରସ୍ପର ପ୍ରତି ଭଲ ପାଇବା, ସ୍ନେହଁର ପ୍ରତୀକ ଭାବେ ଏହାକୁ ଗ୍ରହଣ କରାଯାଏ ।
ସହରୀ ଲୋକଙ୍କ ନିଆରା ରଜ ପାଳନ
ରଜ ପାଇଁ ଗାଁ ଯେମିତି ଉତ୍ସବ ମୁଖର ହୋଇଯାଏ, ସହର ବି ସେମିତି ସଜେଇ ହୋଇଥାଏ । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେଲାଣି ଲୋକେ ରଜ ମଉଜ କରିପାରୁ ନ ଥିଲେ । ତେବେ ଏବର୍ଷ ଏଥିରୁ ମିଳିଛି କିଛିଟା ଆଶ୍ୱସ୍ତୀ । ସହରରେ ଗାଁର ମହକ ଦେବା ଲାଗି ପାନ୍ଥନିବାସଠାରୁ ଆରମ୍ଭ କରି କେତେକ ବଡ଼ ମଲ୍ରେ ପାଳନ ହେଉଛି ରଜ ଉତ୍ସବ । କେଉଁଠି ପିଲାମାନେ ଦୋଳିରେ ଝୁଲି ମଜା ନେଉଛନ୍ତି ତ ଆଉ କେଉଁଠି ରଜ ପାନ, ରଜ ପିଠା ଖାଇ ରଜ ଉତ୍ସବ ପାଳନ କରୁଛନ୍ତି । ଏଥରର ରଜ ବଜାରକୁ ସରଗରମ କରିବା ଲାଗି ରିଲିଜ ହୋଇଛି ଅନେକଗୁଡ଼ିଏ ଓଡ଼ିଆ ସିନେମା । ସେଥିମଧ୍ୟରେ ରହିଛି ଦିଲ୍ ମୋର ମାନେନା, ଏକା ତୁ ଏକା ମୁଁ, ଗୁପ୍ ଚୁପ୍, ଚୋରଣୀ ୨ ଭଳି ସିନେମା, ଯାହା ଦର୍ଶକଙ୍କୁ ଯୋଗାଇପାରେ ମନୋରଞ୍ଜନର ଖୋରାକ ।
ରଜ ପର୍ବର ସାମାଜିକ ଦିଗ
ବଦଳି ଚାଲିଛି ଯୁଗ, ଏହା ସହିତ ବଦଳି ଚାଲିଛି ଲୋକଙ୍କ ଜୀବନଶୈଳୀ ଓ ପରସ୍ପର ପ୍ରତି ଥିବା ଆତ୍ମିୟତା । କର୍ମ ଅନ୍ୱେଷଣରେ ଲୋକଙ୍କୁ ଘରଠାରୁ ଦୂରରେ ରହିବାକୁ ପଡ଼ୁଛି । ଏପରି ସ୍ଥିତିରେ ରଜ ଭଳି କେତେକ ସାମାଜିକ ପର୍ବରେ ସମସ୍ତେ ଏକାଠି ହେବାକୁ ଗାଁକୁ ଯିବାକୁ କରିଥାନ୍ତି ଚେଷ୍ଟା । ଗାଁରେ ରଜ ଛୁଟି କାଟିବା ସହିତ ମଉଜ ମଜଲିସରେ ତିନି ଦିନ ବିତାଇଥାନ୍ତି । ଏହା ସେମାନଙ୍କୁ ସାମାଜିକ ମୂଲ୍ୟବୋଧ ପ୍ରତି କରିପାରୁଛି ଅଧିକ ଯତ୍ନଶୀଳ । ତେଣୁ ଓଡ଼ିଆ ସଂସ୍କୃତି, ପରମ୍ପରାକୁ ମଜବୁତ କରୁଥିବା ବିଭିନ୍ନ ପର୍ବ ପର୍ବାଣୀକୁ ସମସ୍ତେ ଆଦରରେ ପାଳନ କରିବାର ରହିଛି ଆବଶ୍ୟକତା ।