ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସାରଙ୍ଗୀ ବାଦନର ମୂର୍ଚ୍ଛନା ଶ୍ରୋତାମାନଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଥିଲା । ବିଖ୍ୟାତ ସାରଙ୍ଗୀ ବାଦକ ଉସ୍ତାଦ ସବିର ଖାନ୍ ଓ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ବିଜୟ କୁମାର ଜେନାଙ୍କ ପରିବେଷଣ ଆବେଗ ଭରୁଥିଲା । ରାଜାରାଣୀ ମନ୍ଦିରର ପ୍ରାଙ୍ଗଣ ମୁଖରିତ ହୋଇ ଉଠିଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଏଭଳି ଅବସର ଜୁଟିଥିଲା । ଦ୍ୱିତୀୟ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ସାରଙ୍ଗୀ ବାଦନ । ଏହାକୁ ପରିବେଷଣ କରିଥିଲେ ସାରଙ୍ଗୀ ବାଦକ ଉସ୍ତାଦ ସବିର ଖାନ୍ । ପ୍ରଥମେ ସେ ରାଗ କୋଷିକଣା, ତିନ୍ ତାଲ, ରୂପକ୍ ତାଲ ସହିତ ବିଭିନ୍ନ ତାଳ ଓ ରାଗ ସମନ୍ବୟରେ ସାରଙ୍ଗୀ ବାଦନ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ତବଲାରେ ଏମ୍. ଆର. ନଜର। ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା, ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ବିଜୟ କୁମାର ଜେନାଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାବର ନିଖୁଣ ତଥା ସୁନ୍ଦର ପରିବେଷଣ । ପ୍ରଥମେ ଶ୍ଳୋକ ‘ନୀଳାଦ୍ରୌ ଶଙ୍ଖ ମଧ୍ୟେ’ ପରେ ପରେ ରାଗାଙ୍ଗ ପର୍ଯ୍ୟାୟରେ କବି ରାମକୃଷ୍ଣଙ୍କ ରଚନାରୁ ଉଦ୍ଧୃତ ପ୍ରବନ୍ଧ ‘ଆଜ ମୁଁ ଦେଖିଲି ଘନଶ୍ୟାମକୁ ଗୋ’। ତାଙ୍କର ଦ୍ୱିତୀୟ ପ୍ରସ୍ତୁତିରେ ଥିଲା କବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦରୁ ଉଦ୍ଧୃତ ସଖିହେ କେଶୀ ମଥନ ମୁଦାରମ ଯାହା ରାଗ ମିଶ୍ର ପାହାଡ଼ି ଓ ତାଳ ଯତି ଉପରେ ପର୍ଯ୍ୟବସିତ ଥିଲା। ତୃତୀୟ ପ୍ରସ୍ତୁତିରେ ଥିଲା ଭାବାଙ୍ଗ ପର୍ଯ୍ୟାୟରେ ପ୍ରବନ୍ଧ ବରଜ ବିଧୂରେ ଅନା, ଅନା ଫେରି ସହିରେ ଯାହା ରାଗ ମାରୁୱା ଓ ତାଳ ଏକତାଳିରେ ନିବଦ୍ଧ । ତାଙ୍କର ଚତୁର୍ଥ ପ୍ରସ୍ତୁତି ଥିଲା ଛାନ୍ଦ ପ୍ରବନ୍ଧ ଆହା ଧନୁର୍ଦ୍ଧରବୀର ବର ଧନୁଶର ନଥିଲା କି କର । ଶେଷ ପ୍ରସ୍ତୁତିରେ ଥିଲା କବି ଗୋପାଳ କୃଷ୍ଣଙ୍କ ରଚନାରେ ନାଟ୍ୟାଙ୍ଗ ଧୀର ସମୀରେ ଡାକୁଛି ତୋ ନାଁରେ ଯାହା ତାଳ ରୂପକ ଓ ରାଗ ଭୈରବୀ ଉପରେ ନିବଦ୍ଧ ଥିଲା । ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଗୁରୁ ବିଜୟ କୁମାର ଜେନା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ମର୍ଦ୍ଦଳରେ ଗୁରୁ ସଚ୍ଚିଦାନନ୍ଦ ଦାସ, ବଂଶୀରେ ଗୁରୁ ଶ୍ରୀନିବାସ ଶତପଥୀ, ହାରମୋନିୟମ୍ରେ ବାଳକୃଷ୍ଣ ଜେନା ଏବଂ ତାନପୁରାରେ ବୈଷ୍ଣବୀ ଘୋଷ ସହଯୋଗ କରିଥିଲେ ।