“ବରଷା ପାଗକୁ ମୁଢ଼ି ନଡ଼ିଆ,
ଖାଇଲେ ଲାଗିବ ଭାରି ବଢ଼ିଆ”
‘ମୁଢ଼ି’, ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ । ଖରା ହେଉ କି ଶୀତ, ସକାଳ ହେଉ କି ସନ୍ଧ୍ୟା, କେବେ ବି କମିନି ଏହାର ଆଦର । ଧନୀଠୁ ଗରିବ, ପିଲାଠୁ ବୁଢ଼ୀ, ସଭିଙ୍କ ପ୍ରିୟ ଆମ ଗାଉଁଲି ମୁଢ଼ି । ଘର ହେଉ କି ଖଟି ଅବା ମେଳା, ମହୋତ୍ସବ, ଯାନିଯାତ୍ରା ସବୁଠି ଥାଏ ମୁଢ଼ିର ପସରା । ବିଶେଷ କରି ରିମଝିମ ବର୍ଷାରେ, ଭିଜା ଭିଜା ସନ୍ଧ୍ୟାରେ ମୁଢ଼ିର ମଜା ଟିକେ ନିଆରା । ଝାଲମୁଢ଼ି ହେଉ କି ମୁଢ଼ି ବାରମଜା ଥରେ ଯିଏ ଏହାକୁ ପାଟିରେ ପକାଇଛି, ଆର ଥର ପାଇଁ ଆଗ୍ରହ ଦେଖାଇଛି ।
ଭାରତୀୟ ବିସ୍କୁଟ ‘ମୁଢ଼ି’
କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ଭାତ ହେଉଛି ପ୍ରମୁଖ ଖାଦ୍ୟ । ଏହା ଚାଉଳରୁ ପ୍ରସ୍ତୁତ । ଚାଉଳରୁ ଚୁଡ଼ା ଏବଂ ମୁଢ଼ି ମଧ୍ୟ ତିଆରି ହୋଇଥାଏ । ଏହି ଦୁଇଟିଯାକ ଓଡ଼ିଆଙ୍କ ପସନ୍ଦ । ଘରେ କିଛି ନଥିଲେ ବି ଚୁଡ଼ା ଓ ମୁଢ଼ି ବର୍ଷସାରା ପାଇଁ ସାଇତା ହୋଇରହିଥିବ । ଏମିତିକି ବନ୍ୟା, ବାତ୍ୟା ବେଳେ ଲୋକେ ଆଗ ଆଣିକି ଚୁଡ଼ା ଓ ମୁଢ଼ିକୁ ରଖିଥାନ୍ତି । ଯଦି କିଛି ଖାଇବାକୁ ନମିଳେ, ଏଥିରେ ପେଟ ପୁରିଯାଏ । ସେଥିପାଇଁ ଦେଶର ପ୍ରତିଷ୍ଠିତ ବୈଜ୍ଞାନିକ ତଥା ଦେଶର ପ୍ରଥମ ଔଷଧ କମ୍ପାନୀ ବେଙ୍ଗଲ କେମିକାଲ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସର ପ୍ରତିଷ୍ଠାତା ଡ. ପ୍ରଫୁଲ୍ଲ ଚନ୍ଦ୍ର ରାୟ ମୁଢ଼ିକୁ ସ୍ବାସ୍ଥ୍ୟୋପଯୋଗୀ ଦର୍ଶାଇ ‘ଭାରତୀୟ ବିସ୍କୁଟ’ ଭାବେ ସମ୍ବୋନ୍ଧିତ କରିଥିଲେ ।
ସବୁଥିରେ, ସବୁଠି ଓ ସମସ୍ତଙ୍କ ନିମନ୍ତେ
କାଇଁ କେଉଁ କାଳରୁ ଲୋକଙ୍କ ନିତିଦିନିଆ ଜଳପାନରେ ମୁଢ଼ି ବେଶ୍ ଆଗରେ ରହିଛି । ନାଲି ଚା’ ସାଙ୍ଗକୁ ମୁଢ଼ି ସକାଳର ପ୍ରମୁଖ ଜଳଖିଆ । ଘରେ ନଡ଼ିଆ କୋରା କିମ୍ବା ଘିଅ ମରାଗଲେ ହେଲେ ମୁଢ଼ି ଖୋଜା ପଡ଼େ । ବରା, ପିଆଜି, ପକୁଡ଼ି ଓ ଆଳୁଚପରେ ବି ମୁଢ଼ି ଦରକାର। ଗରମ ଗରମ ସିଝା କ୍ଷୀରରେ ଏବଂ ମୁଢ଼ି, କଦଳୀ ଓ କ୍ଷୀର ଚକଟି ଖାଇବାର ଆନନ୍ଦ କହିଲେ ନସରେ । ଏପରିକି କେବଳ ଗରମ ସୋରିଷ ତେଲ ଓ କଞ୍ଚାଲଙ୍କା ପକାଇ ଦେଲେ ବି ଚଳିଯାଏ । ଏମିତିକି ଘରେ ବଳିଯାଇଥିବା ଚିକେନ୍ ଓ ମଟନ୍ ତରକାରୀ, ଡାଲମା, ଘୁଗୁନିରେ ବି ମୁଢ଼ି ପକାଇ ଖାଇବାକୁ ସମସ୍ତେ ବହୁତ ଭଲ ପାଆନ୍ତି । ଘରଠୁ ଦୂରକୁ ଗଲେ ଖାଦ୍ୟ ତାଲିକାରେ ପ୍ରଥମେ ମୁଢ଼ି ଆସେ ।
ସହରିଆ ଲୋକ ମଧ୍ୟ ମୁଢ଼ି ମୋହରୁ ନିଜକୁ ଦୂରେଇ ପାରନ୍ତି ନାହିଁ । ଏଠାରେ ମୁଢ଼ିକୁ ଭିନ୍ନ ଢଙ୍ଗରେ ପରଷା ଯାଏ, ଯାହାକୁ “ଝାଲମୁଢ଼ି” କୁହାଯାଏ । ଅନ୍ୟ ରାଜ୍ୟରେ ଏହା “ଭେଲ୍ ପୁରୀ” ନାଁରେ ଜଣାଶୁଣା । ଏଥିରେ ପିଆଜ, ସୋରିଷ ତେଲ, କଞ୍ଚା ଲଙ୍କା, ମିକ୍ସଚର ମିଶାଯାଇଥାଏ । ଆଉ ଏବେ ଏହାକୁ ଆହୁରି ଅଧିକ ସୁଆଦିଆ କରିବା ପାଇଁ ଏଥିରେ ମଟରସିଝା, ଟମାଟୋ ଓ କାକୁଡ଼ି ମିଶାଇ ବାହାରେ ବିକ୍ରି କରାଯାଉଛି । ସାଙ୍ଗସାଥୀ, ଖଟି, ହଷ୍ଟେଲ୍, ଅଫିସ, ଖେଳ ପଡ଼ିଆ ଏବଂ ଗସ୍ତ ସମୟରେ ଝାଲମୁଢ଼ିର ଚାହିଦା ଅଧିକ ରହିଥାଏ । ଆଜିକାଲି ବାହାଘର ଭୋଜି, ବଡ଼ ବଡ଼ ନାମୀଦାମୀ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟର ମେନ୍ୟୁରେ ଏହି ଝାଲମୁଢ଼ି ସାମିଲ ହେବାକୁ ଲାଗିଲାଣି ।
ଗୁଡ଼କୁ ପାଗ କରି ସେଥିରେ ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ “ମୁଢ଼ି ମୁଆଁ” ପ୍ରସ୍ତୁତ କରାଯାଏ । ଏହା ମୁଢ଼ିର ସ୍ବାଦକୁ ଆହୁରି ଦ୍ବିଗୁଣିତ କରିଥାଏ। ଆଗରୁ ଘରେ ଏହା ତିଆରି ହେଉଥିବା ବେଳେ ଆଜିକାଲି ଦୋକାନଗୁଡ଼ିକରେ ମୁଢ଼ିମୁଆଁ ମିଳୁଛି। ବାଲେଶ୍ବରର କେତେକ ଅଞ୍ଚଳରେ ଚାଉଳକୁ ଭାଜି “କଡ଼କା” ପ୍ରସ୍ତୁତ କରାଯାଏ । ଏହା ସାମାନ୍ୟ ଟାଣ ମୁଢ଼ି। ଏଥିରେ ହଳଦୀ, ଚିନାବାଦମ ଓ ନଡ଼ିଆ ପକାଇ ଖାଇଥାନ୍ତି।
ଆମ ଉତ୍କଳୀୟ ସଂସ୍କୃତିରେ ଝିଅଟିଏ ଶାଶୂଘରକୁ ଗଲେ ବର୍ଷସାରାର ଭାରରେ ମୁଢ଼ି ଯିବାର ପରମ୍ପରା ରହିଛି। କେତେକ ସ୍ଥାନରେ ରଜ ପର୍ବରେ ଝିଅମାନଙ୍କୁ ଭାତ ଖାଇବା ଉପରେ ବାରଣା ଥିବାରୁ ସେମାନେ ମୁଢ଼ି ଓ ଚୁଡ଼ା ଖାଇଥାନ୍ତି। ଖୁଦୁରୁକୁଣୀ ଓଷାରେ ମୁଢ଼ି ଭୋଗ ହେବାର ପରମ୍ପରା ରହିଛି।
ମୟୂରଭଞ୍ଜ ଓ ବାଲେଶ୍ବରିଆଙ୍କ ଜୀବନ ‘ମୁଢ଼ି’
ମୁଢ଼ି ସମସ୍ତଙ୍କର ପ୍ରିୟ ଖାଦ୍ୟ, କିନ୍ତୁ ମୟୂରଭଞ୍ଜ ଓ ବାଲେଶ୍ବରବାସୀଙ୍କ ମୁଢ଼ି ପ୍ରତି ଅଲଗା ହିଁ ଭାବ। ସକାଳ, ଦ୍ବିପହର ଓ ସନ୍ଧ୍ୟା ସେମାନେ ସବୁବେଳେ ମୁଢ଼ି ଖାଇବାକୁ ପସନ୍ଦ କରନ୍ତି। ଏମିତିକି ଭାତ ଖାଇସାରିଲା ପରେ ବି କଂସାଏ ମୁଢ଼ି ଖାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଭୋଜିଭାତରେ ବି ମୁଢ଼ିକୁ ଖୋଜନ୍ତି। ଆଉ ବାରିପଦା ମୁଢ଼ିମାଂସ କେବଳ ଆମ ରାଜ୍ୟରେ ନୁହେଁ ଦେଶବିଦେଶରେ ସ୍ବତନ୍ତ୍ର ଖ୍ୟାତି ଅର୍ଜନ କରିଛି। ମୟୂରଭଞ୍ଜକୁ ଆସୁଥିବା ପ୍ରତିଟି ପର୍ଯ୍ୟଟକ ମୁଢ଼ିମାଂସ ଖାଇବାକୁ ଭୁଲନ୍ତି ନାହିଁ। ଆଜିକାଲି ବିଭିନ୍ନ ମହୋତ୍ସବରେ ମୁଢ଼ିମାଂସ ଷ୍ଟଲ୍ ଦେଖିବାକୁ ମିଳୁଛି। ଏଥିସହ ବାରିପଦା ମୁଢ଼ିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ବହୁ ଦିନ ଧରି ଦାବି ହୋଇଆସୁଛି ।
ମୁଢ଼ିର ଅନେକ ନାମ
ଓଡ଼ିଶାର ଗାଁ ଗହଳିରେ ମୁଢ଼ି ‘ଭୁଜା’ ନାମରେ ପରିଚିତ। ପଶ୍ଚିମବଙ୍ଗରେ ଏହା ମୁରି କିମ୍ବା ମୁଢ଼ି, ଗୁଜୁରାଟରେ ମୁରମୁରା ନାଁରେ ଜଣାଶୁଣା। ମୁଢ଼ିର ସଂସ୍କୃତ ନାଁ ହେଉଛି “ଲାଜା”। ବିଶେଷ କରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ମୁଢ଼ି ବିଭିନ୍ନ ଧାର୍ମିକ ତଥା ସାମାଜିକ ସମାରୋହରେ ବ୍ୟବହୃତ ହୁଏ। ବିବାହ ସମୟରେ ଅଗ୍ନିରେ ମୁଢ଼ିକୁ ଅର୍ପଣ କରାଯିବାର ପ୍ରଥା ରହିଛି। କେରଳ ଏବଂ ତାମିଲନାଡୁରେ ପୂଜା ବା ପ୍ରାର୍ଥନା ସମୟରେ ଦେବାଦେବୀଙ୍କୁ ଭଜା ଚାଉଳ ଅର୍ପଣ କରାଯାଇଥାଏ।
କେମିତି ତିଆରି ହୁଏ
ମୁଢ଼ି କେବେଠାରୁ ଖାଦ୍ୟ ତାଲିକାରେ ସାମିଲ ହୋଇଛି କିମ୍ବା କିଏ ଏହାକୁ ବାହାର କରିଛି, ତାହାର ସଠିକ୍ ତଥ୍ୟ ନାହିଁ। ହେଲେ ଲୋକକଥା ଅନୁଯାୟୀ ପ୍ରାୟ ପଞ୍ଚଦଶ ଶତାବ୍ଦୀରେ ଏହା ଭଗବାନଙ୍କୁ ଭୋଗ ଲଗାଯାଉଥିବା ଜଣାଯାଏ। ସଦ୍ୟ ଅମଳ ଚାଉଳକୁ ମାଟିହାଣ୍ଡିରେ ଭାଜି ଦେବାଦେବୀଙ୍କୁ ଅର୍ପଣ କରାଯାଉଥିଲା। ପୂର୍ବରୁ ସ୍ତ୍ରୀଲୋକମାନେ ଘରେ ମୁଢ଼ି ଭାଜୁ ଥିଲେ। ଉଷୁନା ଚାଉଳକୁ ଲୁଣପାଣିରେ ବତୁରିବା ପରେ ମାଟିହାଣ୍ଡିରେ ସରୁ ବାଲି ପକାଯାଏ। ସେହି ବାଲି ତାତିବା ପରେ ସେଥିରେ ଚାଉଳକୁ ନଡ଼ିଆ କାତିରେ ଭଜାଯାଏ। ଯାହା ବି ହେଉ ସେବେ ହେଉ କି ଏବେ ମୁଢ଼ିର ଚାହିଦା କେବେ ବି କମି ନାହିଁ।
ସ୍ବାସ୍ଥ୍ୟକୁ ହିତ
ମୁଢ଼ି ପେଟ ଏବଂ ମନକୁ ଶାନ୍ତି ଦେବା ସହ ଏଥିରୁ ଶରୀରକୁ ମିଳେ ବିଭିନ୍ନ ପ୍ରକାରର ଲାଭ । ମୁଢିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍ ଥିବାରୁ ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଏହା ଭିଟାମିନ ଡି, କ୍ୟାଲସିୟମ, ଆଇରନ ଏବଂ ଫାଇବରର ଉତ୍ତମ ସ୍ରୋତ ହୋଇଥିବାରୁ ଦାନ୍ତ ଏବଂ ହାଡ଼ ଶକ୍ତ କରିବାରେ ସାହାଯ୍ୟ କରେ। ଏହାସହ ହଜମ ପ୍ରକ୍ରିୟାକୁ ସରଳ ଓ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସହଯୋଗ କରେ। ମୁଢ଼ିରେ କ୍ୟାଲୋରୀର ମାତ୍ରା ଖୁବ କମ୍ ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଏହାଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମ ହୋଇଥାଏ।
ଦିନକୁ ଦିନ ମୁଢ଼ିର ଚାହିଦା ବଢୁଥିବାରୁ ଓଡ଼ିଶାରେ ବହୁଳ ମାତ୍ରାରେ ମୁଢ଼ି ଫ୍ୟାକ୍ଟ୍ରି ଗଢ଼ି ଉଠିଛି। ଆଉ ଏବେ ପ୍ୟାକେଟ ମୁଢ଼ି ବାହାରକୁ ବିକ୍ରି ପାଇଁ ପଠାଯାଉଛି ଫଳରେ ଦେଶ ବିଦେଶରେ ମାର୍କେଟରେ ମୁଢ଼ିର ସ୍ବତନ୍ତ୍ର ଚାହିଦା ରହିଛି। କେବଳ ଏତିକି ନୁହେଁ ମୁଢ଼ି ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରିପାରୁଛନ୍ତି ଅନେକ ଲୋକ। ଓଡ଼ିଶାର ପ୍ରତ୍ୟେକ ରୋଷେଇ ଘରେ ଭରପୂର ମାତ୍ରାରେ ଥିବା ପାରମ୍ପରିକ ଖାଦ୍ୟ ମୁଢ଼ି ସମସ୍ତଙ୍କ ମନ ଜିତିଥାଏ । ଯେତେ ନୂଆ ନୂଆ ଖାଦ୍ୟ ଆସିଲେ ମଧ୍ୟ ମୁଢ଼ିର ସ୍ଥାନ କେହି ନେଇପାରିବେ ନାହିଁ। କାରଣ ଆମ ଓଡ଼ିଆ ଖାଦ୍ୟ ସବୁଠୁ ବଢ଼ିଆ ।