“ଆଲୋ ହୁଣ୍ଡି…
ପଇସାରେ ପାନ କେତେ ଖଣ୍ଡି”
ପାନ ଖାଇଲା ବେଳେ ପ୍ରଖ୍ୟାତ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କର ଏ ଗୀତ ଆପେ ଆପେ ମନକୁ ଚାଲିଆସେ। ଆମ ଓଡ଼ିଆଙ୍କର ପାନ ପ୍ରୀତି ଏ ଗୀତରୁ ହିଁ ବାରି ହୋଇପଡ଼ିଯାଏ । ଏ ତ ମାତ୍ର ଗୋଟିଏ ଗୀତ । ଓଡ଼ିଆ ଗଳ୍ପ, କାହାଣୀ, ଗୀତ, ନାଟକଠାରୁ ଆରମ୍ଭ କରି ରଜଦୋଳି ଗୀତ ଓ କାନ୍ଦଣା ଗୀତରେ ଉଲ୍ଲେଖ ରହିଛି ଏବଂ ପାନକୁ ନେଇ ଆମ ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଜଡ଼ିତ । ତେବେ ଆଜିର ବ୍ଲଗରେ ଓଡ଼ିଶାବାସୀଙ୍କ ଅତି ପ୍ରିୟ ମୁଖବାସ ପାନକୁ ନେଇ ଆମର ସ୍ବତନ୍ତ୍ର ଆଲେଖ୍ୟ।
ଓଡ଼ିଶାର ଜନଜୀବନରେ, ଓଡ଼ିଆ ସମାଜରେ, ପରିବାରରେ, ମେଳାମହୋତ୍ସବରେ ଏବଂ ପର୍ବପର୍ବାଣୀରେ, ଏପରିକି ନାନାଦି କାର୍ଯ୍ୟରେ ପାନ ଆଜି ମଧ୍ୟ ଏକ ଅପରିହାର୍ଯ୍ୟ ପଦାର୍ଥ ରୂପେ ରହିଆସିଛି । ଘରଠୁ ବାହାର, ଗାଁ ସଂସ୍କୃତିରୁ ସହରର ଚାଲିଚଳଣ, ଅତିଥି ଚର୍ଚ୍ଚା ହେଉ କି ଖୁସିର ଅବସର କାଇଁ କେଉଁ କାଳରୁ ପାନ ସବୁଠି ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛି । ଆଗକାଳରେ ଓଡ଼ିଶାରେ ପାନ ଚାଷ ଭଲ ହେଉଥିବାରୁ ନୌବାଣିଜ୍ୟ ଦ୍ବାରା ପାନ ବ୍ୟବସାୟ କରାଯାଉଥିଲା। ଚୀନ, ବ୍ରହ୍ମଦେଶ, ଜାଭା, ସୁମାତ୍ରାରେ ଓଡ଼ିଆ ସାଧବପୁଅମାନେ ପାନକୁ ନେଇ ବିକ୍ରି କରି ବାଣିଜ୍ୟିକ ସୁସମ୍ପର୍କ ସ୍ଥାପନ କରୁଥିଲେ । ଏମିତିକି ନିଜ ସାଥୀକୁ ପାନ ଭେଟି ଦେଇ ନିବିଡ଼ ସମ୍ପର୍କକୁ ପ୍ରକାଶ କରୁଥିଲେ। ସେଥିପାଇଁ ପାନ ହେଉଛି ଭାବର ସମ୍ପର୍କ, ପ୍ରୀତିର ବନ୍ଧନ ଏବଂ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ମୁଖବାସ ।
ପାନର ପୌରାଣିକ କାହାଣୀ
କଥାରେ ଅଛି ସ୍ବର୍ଗରେ ପାନ ନାହିଁ। ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁନିଋଷିମାନେ ଯଜ୍ଞ ସମୟରେ ମୁଖବାସ ହିସାବରେ ପାନ ପ୍ରଦାନ କରୁଥିଲେ । କିନ୍ତୁ ପୁରାଣରେ ଉଲ୍ଲେଖ ଅଛି ଯେ ମର୍ତ୍ତ୍ୟରେ ପ୍ରଥମେ ପାନ ନଥିଲା, ଏହା ପାତାଳଲୋକରୁ ଆସିଛି। ନାଗରାଜ ବାସୁକୀଙ୍କ କନ୍ୟା ବସୁଦତ୍ତିକାଙ୍କର ବିବାହ ମର୍ତ୍ତ୍ୟର ରାଜା ଉଦୟନଙ୍କ ସହ ହୋଇଥିଲା । ସେହି ବିବାହରେ ନାଗରାଜ ଯୌତୁକ ରୂପେ ଚାରି ଗୋଟି ଜିନିଷ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଥିଲା ନାଗବଲ୍ଲୀ ବା ପାନ ଲତା । ଏହାପରଠୁ ହିଁ ପାନ ସର୍ବପ୍ରଥମେ ନାଗଲୋକରୁ ମର୍ତ୍ତ୍ୟକୁ ଆସିଲା ବୋଲି ରାଜଶେଖରଙ୍କର “ପ୍ରବନ୍ଧକୋଷ”ରେ ଉଲ୍ଲେଖ ରହିଛି। ସେହିପରି ମହାଭାରତ ଓ ରାମାୟଣରେ ମଧ୍ୟ ପାନର ବର୍ଣ୍ଣନା ରହିଛି।
ଓଡ଼ିଆ ଘରେ ପାନର ଆଦର
ପାନ ହେଉଛି ଓଡ଼ିଶାର ପ୍ରାଣ। ଓଡ଼ିଆ ପରିବାରର ଏକ ଅବିଚ୍ଛେଦ୍ୟ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିବାହ କାର୍ଯ୍ୟରେ ଦିଅ ମଙ୍ଗୁଳା ସମୟରେ ସାତଗୋଟି ଗୋଟାପାନକୁ ସାତ ଜଣ ବିବାହିତ ମହିଳା ନେଇ ଗ୍ରାମର ଆରାଧ୍ୟ ଦେବତାଙ୍କୁ ଅର୍ପଣ କରିଥାନ୍ତି । ସେହିପରି ବାହା ବେଦୀରେ ଏହି ପାନକୁ ଝିଅଜ୍ବାଇଁଙ୍କ ଶରୀର ସ୍ପର୍ଶ କରାଇଥାନ୍ତି। ପୁଣି ବାହାଘର ବେଳେ ପାନପତ୍ର ସହ ଗୁଆ ଦିଆଯାଇ ବନ୍ଧୁ ନିମନ୍ତ୍ରଣ କରାଯାଏ। ଏତିକି ନୁହେଁ ନବବିବାହିତ ବୋହୂଟିଏ ଭାରସଜରେ ପାନ ବଟୁଆ ସହ ପାନଡାଲା, ଗୁଆ ଓ ଖଇର ନେବାର ପରମ୍ପରା ରହିଛି। ଏପରିକି ସେତେବେଳେ ଯୌତୁକରେ ପିକଦାନି ନେବାର ମଧ୍ୟ ବିଧି ରହିଥିଲା। କଂସା ପିତ୍ତଳର ପିକଦାନି ନନେଲେ ମଧ୍ୟ ବାଉଁଶର ପାନ ଚାଙ୍ଗୁଡ଼ିଟିଏ ବାପଘରୁ ଶାଶୁଘରୁକୁ ନେଇ ଯାଉଥିଲା ଝିଅଟିଏ। କେବଳ ସେତିକି ନୁହେଁ ରୋଷେଇ ପରି ନୂଆ ବୋହୂର ପାନ ଭାଙ୍ଗିବାର କଳାକୌଶଳର ପରୀକ୍ଷା ମଧ୍ୟ ନେଉଥିଲେ। ଏଥିସହ କନ୍ୟା ଦେଖାବେଳେ ଲବଙ୍ଗଗୁଞ୍ଜା ଭଙ୍ଗାପାନ ମେଞ୍ଚାଏ ଧରି ଝିଅଟିଏ ଯିବାର ରୀତିନୀତି ଏବେ ବି ରହିଛି। ପୂର୍ବରୁ ମହିଳାମାନେ ପାନକୁ ଏକପ୍ରକାର ପ୍ରସାଧନ ସାମଗ୍ରୀ ଭାବେ ବିବେଚନା କରୁଥିଲେ । ପାନରେ ପଡ଼ିଥିବା ଖଇର ଓଠକୁ ଲାଲ୍ କରିଦେଉଥିଲା। ସେତେବେଳେ ମହିଳାମାନେ ଯେକୌଣସି ସ୍ଥାନକୁ ଯିବା ପୂର୍ବରୁ ପାନ ଖାଇ ଓଠକୁ ନାଲି କରି ଯାଉଥିଲେ । ଏଥିପାଇଁ ଓଡ଼ିଶାର ପାନ ସଂସ୍କୃତିରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କର ବିଶେଷ ଭୂମିକା ରହିଥିବା କୁହାଯାଏ।
ସାମାଜିକ ଚଳଣିରେ ମଧ୍ୟ ପାନ ବିଶେଷ ଭାବେ କାମରେ ଆସେ। ଅତିଥି ଚର୍ଚ୍ଚାରେ ପାନର ମହତ୍ତ୍ବ ଅଧିକ। ଘରକୁ କେହି କୁଣିଆ ଆସିଲେ ପାନ ଖୁଆଇ ଚର୍ଚ୍ଚା କରାଯାଏ। ବାହାଘର ଭୋଜିରେ ସମସ୍ତଙ୍କୁ ପାନ ଦେଇ ସର୍ବଶେଷରେ ସନ୍ତୁଷ୍ଟି କରାଯାଏ। ଘରୁ ବାହାରିବା ସମୟରେ ପାନ ଖଣ୍ଡେ ଖାଇ ବାହାରିବା ଦ୍ବାରା ସବୁ କାର୍ଯ୍ୟ ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଘରେ ହେଉ କି ବାହାରେ ସମସ୍ତେ ପାନ ଖାଇବାକୁ ପସନ୍ଦ କରିଥାନ୍ତି।
ଶୁଭ କାର୍ଯ୍ୟରେ ପାନ
ଜନ୍ମଠୁ ମୃତ୍ୟୁ ଯାଏଁ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ପାନର ବିଶେଷ ସ୍ଥାନ ରହିଛି । ବିବାହ, ବ୍ରତ ପରି ଯଜ୍ଞ, ପୂଜାପାଠ, ଓଷା, ପର୍ବ ଆଦି ଶୁଭ କାର୍ଯ୍ୟରେ ପାନର ଆବଶ୍ୟକତା ରହିଛି । ଓଡ଼ିଶାର ଗଣପର୍ବ ରଜକୁ ପାନର ପର୍ବ ମଧ୍ୟ କୁହାଯାଏ । ରଜ ତିନିଦିନଯାକ ସମସ୍ତେ ରଜପାନ ଖାଇଥାନ୍ତି। ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗାରେ ପାନ, ଗୁଆ ସମର୍ପଣ କରି ଡଙ୍ଗା ଭସାଇ ଗାଇଥାନ୍ତି- “ଆ କା ମା ବୈ, ପାନ ଗୁଆ ତୋର, ମାସିକ ଧରମ ମୋର”। ସତ୍ୟନାରାୟଣ ପୂଜା, ତ୍ରିନାଥ ମେଳା କିମ୍ବା ଯଜ୍ଞ ବେଳେ ପାନପତ୍ର ଦରକାର ହୋଇଥାଏ। ପିତୃପୁରୁଷ ଉଦ୍ଦେଶ୍ୟରେ ପିଣ୍ଡଦାନ ସମୟରେ ପାନପତ୍ର ଅର୍ପଣ କରିବାର ବିଧି ରହିଛି।
ଜଗନ୍ନାଥ ସଂସ୍କୃତିରେ ପାନ
ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ପାନ ଜଡ଼ିତ। କୁହଯାଏ କାଳିଆ ଠାକୁର ପାନରସିକିଆ। ଜଗନ୍ନାଥଙ୍କର ସମସ୍ତ ଧୂପ, ବଡ଼ସିଂହାର, ଚନ୍ଦନ ଆଦିରେ ତାମ୍ବ୍ରୁଳ ତଥା ପାନ ଅର୍ପଣ କରାଯାଏ । ମହାପ୍ରଭୁଙ୍କର ପାନରେ ଗୁଆ, ଲବଙ୍ଗ, କର୍ପୂର, ଜାଇଫଳ ଓ ଅଳେଇଚ ପକାଯାଏ । ଦିନକୁ ଶହେଚାରୋଟି ପାନ ମହାପ୍ରଭୁ ସେବନ କରିଥାନ୍ତି । ଏଥିମଧ୍ୟରୁ ବିଡ଼ିଆ ପାନ ମହାପ୍ରଭୁଙ୍କର ପ୍ରିୟ। ଶୟନ ପାଇଁ ମହାପ୍ରଭୁ ବିଜେ ହେଉଥିବା ସମୟରେ ଖିଲିପାନ ବିଡ଼ିଆ ଲାଗେ। ଠାକୁରଙ୍କର ନିଦ୍ରା ପାଇଁ ହଡ଼ପ ନାୟକ ସେବକ ଏହି ଖିଲିପାନ ଯୋଗାଇଦିଅନ୍ତି।
ସମସ୍ତଙ୍କ ପ୍ରିୟ ପାନ
ଗୁଆ, ଖଇର, ଚୂନ ଦେଇ ପାନ ଖାଇବାର ପରମ୍ପରା ଆମ ଓଡ଼ିଶାରେ ରହିଛି। ଏହାସହ କେତେକ ଲୋକ ଗୁଣ୍ଡି ଓ ବିଭିନ୍ନ କିସମର ମସଲା ମିଶାଇ ଖାଇଥାନ୍ତି । ପାନ ଖିଲି ଭଲ ଭାବରେ ତିଆରି କରିବା ବି ଏକପ୍ରକାର କଳା ବୋଲି କୁହାଯାଏ। ନହେଲେ ପାନରୁ ସବୁ ମସଲା ବାହାରିଯାଏ। ଗରିବରୁ ଆରମ୍ଭ କରି ଧନୀ ଘର, ସଭା, ସମିତି, ସମ୍ମିଳନୀ ସବୁଠି ଖାଇବା ପରେ ପାନ ସେବନ ଓଡ଼ିଆଙ୍କ ଏକ ନିତିଦିନିଆ ଅଭ୍ୟାସ। ଅଫିସ, ବଜାର, ହାଟ, ସ୍କୁଲ, କଲେଜ, ବସଷ୍ଟାଣ୍ଡ୍, ରେଲ ଷ୍ଟେସନ, କୋର୍ଟ ନିକଟରେ କିଛି ଦୋକାନ ଥାଉ କି ନଥାଉ ଗୋଟିଏ ଦୁଇଟା ପାନ ଓ ଚା’ ଦୋକାନ ନିଶ୍ଚୟ ରହିଥାଏ । ସେହିପରି କୌଣସି ଯାତ୍ରା ସମୟରେ ଘରୁ ଭଙ୍ଗା ପାନ ଭର୍ତ୍ତି କରି ନିଆଯାଉଥିବା ପାନବଟାର ପ୍ରଚଳନ ଆଜିର ଯୁଗରେ ହ୍ରାସ ପାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଏବେ ବି ପାନ ପ୍ରିୟ ଲୋକଙ୍କ ଘରେ ଏହା ଦେଖିବାକୁ ମିଳେ। ଏହି ପାନବଟା ଷ୍ଟିଲ୍, କଂସା ଓ ପିତ୍ତଳରେ ନିର୍ମିତ ହୋଇଥାଏ । ଧନୀ ଘରେ ଏହା ରୁପାରେ ତିଆରି ଦେଖିବାକୁ ମିଳେ। ପାନ ସହ କେବଳ ପାନବଟା ନୁହେଁ ପିକଦାନିର ବ୍ୟବହାର ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ । କେବଳ ସେବେ ନୁହେଁ ଆଜି ବି ପାନ ଲୋକପ୍ରିୟ ହୋଇରହିଆସିଛି । ଆଜିକାଲି ଯୁବପିଢିଙ୍କ ମଧ୍ୟରେ “ଫାୟର ପାନ” ବେଶ ପ୍ରସିଦ୍ଧ ।
ଓଡ଼ିଶାର ପାଣିପାଗ ପାନ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ହଜାର ହଜାର ଏକର ଜମିରେ ପାନ ଚାଷ କରାଯାଉଛି । ତେଣୁ ଓଡ଼ିଶା ପାନର ଚାହିଦା ବାହାର ରାଜ୍ୟରେ ଅଧିକ ରହିଛି । ପାନ ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଏଥିରୁ ଅନେକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ଗୁଜୁରାଟ, ପଞ୍ଜାବରେ ପାନ କୁହାଯାଉଥିବା ବେଳେ ମରାଠୀରେ ନାଗବଲ୍ଲୀ, ତାମିଲରେ ତମାଲପାଗୁ, ମାଲାୟାଲମରେ ଭେଟିଲା କୋଡ଼ି ଆଦି ନାମରେ ପାନ ବିଭିନ୍ନ ସ୍ଥାନରେ ପରିଚିତ। ପାନ କେବଳ ଏକ ମୁଖରୁଚି ନୁହେଁ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଖାଦ୍ୟ ଜୀର୍ଣ୍ଣ. ଶକ୍ତିବର୍ଦ୍ଧକ ସହ ଶରୀର ସୁସ୍ଥ ରଖିବାରେ ପାନ ସାହାଯ୍ୟ କରେ । କୁହାଯାଏ ଯେ ପାନରେ ଯେଉଁ ତେର ଗୁଣ ଅଛି ତାହା ସ୍ବର୍ଗରେ ମଧ୍ୟ ଦୁର୍ଲଭ ଅଟେ। ପାନକୁ ନେଇ ଆମର ଏ ସ୍ବତନ୍ତ୍ର ଆଲେଖ୍ୟ, ଆପଣଙ୍କୁ କେମିତି ଲାଗିଲା, ଆମକୁ କମେଣ୍ଟ୍ ବକ୍ସରେ ଜଣାନ୍ତୁ ।