ଓଡ଼ିଶାର ଗ୍ରାମୀଣ ଜନଜୀବନରେ ଭାଗବତ ଟୁଙ୍ଗୀ ଏକ ଅବିଚ୍ଛେଦ ଅଙ୍ଗ । ପିଲାଦିନେ ସନ୍ଧ୍ୟା ହେବା ମାତ୍ରେ ଭାଗବତ ଟୁଙ୍ଗୀରୁ ଭାସି ଆସୁଥିଲା ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ, ଭଜନ, କୀର୍ତ୍ତନ । ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭାଗବତ । ସଞ୍ଜ ନଇଁଲେ ଭାଗବତ ଟୁଙ୍ଗୀରେ ଗୁଞ୍ଜରିତ ହେଉଥିଲା ‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ’ । ଗ୍ରାମର ଭାଗବତପ୍ରେମୀମାନେ ଏକାଠି ହୋଇ ଭାଗବତ ଟୁଙ୍ଗୀରେ ଗ୍ରାମୀଣ ସଂସ୍କୃତି, ପରମ୍ପରା ଓ ଭାଇଚାରା ଭାବକୁ ବାନ୍ଧି ରଖୁଥିଲେ । ଅଧିକାଂଶ ଗାଁର ମଝିରେ ଭାଗବତ ଟୁଙ୍ଗୀ ଦେଖିବାକୁ ମିଳୁଥିଲା । ଗ୍ରାମାଞ୍ଚଳର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ରର ମହତ୍ତ୍ୱ ବହନ କରି ଏହି ଭାଗବତ ଟୁଙ୍ଗୀରେ ଗ୍ରାମବାସୀମାନେ ଝାଞ୍ଜ, ଖୋଳ, ଗିନି ବଜାଇ ସଂକୀର୍ତ୍ତନ କରୁଥିଲେ । ଆଜିର ଅବକ୍ଷୟମୁଖୀ ସମାଜକୁ ସତ୍ୟ, ଧର୍ମ, ନ୍ୟାୟ, ସଦାଚାର ଭଳି ସାମାଜିକ ଗୁଣାବଳି ଶିକ୍ଷା ପ୍ରଦାନ କରିବାରେ ଭାଗବତ ଟୁଙ୍ଗୀ ଓ ସଂକୀର୍ତ୍ତନ ମଣ୍ଡଳୀର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ମନୁଷ୍ୟ ମନରୁ ଅଜ୍ଞାନ ଅନ୍ଧକାରକୁ ଦୂର କରି ଆଧ୍ୟାତ୍ମିକତା ମଧ୍ୟକୁ ଟାଣିବାରେ ରାମାୟଣ, ମହାଭାରତ, ଭାଗବତ ଗୀତା ଭଳି ଧାର୍ମିକ ଗ୍ରନ୍ଥର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାଗବତ ଟୁଙ୍ଗୀରେ ଲୋକେ ମେଳି ହୋଇ ଭାଗବତ, ଓଡ଼ିଆ ରାମାୟଣ, ଓଡ଼ିଆ ମହାଭାରତ ସହ ଅନ୍ୟାନ୍ୟ ପୁରାଣ ଶୁଣୁଥିଲେ । ଗାଁର ନ୍ୟାୟ ନିଶାପଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମାଧାନ ଏଠାରେ ହେଉଥିଲା ।
ଭାଗବତର ମହତ୍ତ୍ୱ
ଓଡ଼ିଆ ଭାଗବତ ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ୱାରା ରଚିତ ଏକ ପୁରାତନ କୃତି । ୧୪ଶ ଶତାବ୍ଦୀରେ ତାଳପତ୍ର ପୋଥିରେ ଏହା ଲେଖାଯାଇଥିଲା । ଏହା ହିନ୍ଦୁମାନଙ୍କର ଏକ ପବିତ୍ର ଗ୍ରନ୍ଥ । ସେହିପରି ସଂସ୍କୃତ ମୂଳ ଭାଗବତର ରଚନା କରିଥିଲେ ବ୍ୟାସଦେବ । ଏହାର ମୁଖ୍ୟ ବିଷୟ ହେଉଛି ଭକ୍ତି ଯୋଗ ।ଅଷ୍ଟାଦଶ ପୁରାଣ ସମେତ ବେଦର ଲିପିବଦ୍ଧ କରିବା ପରେ ମଧ୍ୟ ବ୍ୟାସଦେବଙ୍କୁ ଆତ୍ମିକ ଶାନ୍ତି ମିଳିଲା ନାହିଁ । ନାରଦ/ ବ୍ରହ୍ମାଙ୍କ ପରାମର୍ଶ କ୍ରମେ ବ୍ୟାସଦେବ ଭାଗବତ ଚରିତ ରଚନା କରିଥିଲେ । ଏଥିରେ ଶୁକମୁନିଙ୍କ ତୁଣ୍ଡରେ ଅଭିମନ୍ୟୁ ପୁତ୍ର ପରିକ୍ଷିତ ରାଜାଙ୍କୁ ଭଗବାନଙ୍କ ଦିବ୍ୟ ଲୀଳା ଶୁଣାଇବା ଛଳରେ ମାନବ ସମାଜକୁ ଆଧ୍ୟାତ୍ମିକ ଉନ୍ନତିର ମାର୍ଗ ଦର୍ଶନ କରାଇଥିଲେ । ମୂଳ ଭାଗବତକୁ ଅତି ସରଳ ଭାଷାରେ ନବାକ୍ଷରୀ ଛନ୍ଦରେ କାବ୍ୟ ରୂପ ପ୍ରଦାନ କରିଥିଲେ ଅତିବଡ଼ି ଜଗନ୍ନାଥ ଦାସ । ମୂଳ ସଂସ୍କୃତ ଭାଗବତ ୧୨ ସ୍କନ୍ଧ ବିଶିଷ୍ଟ ହୋଇଥିବାବେଳେ ଓଡ଼ିଆ ଭାଗବତର ୧୩ଟି ସ୍କନ୍ଧ ରହିଛି । ଓଡ଼ିଆ ଭାଗବତରେ ରହିଛି ଧର୍ମ ଜ୍ଞାନ, କର୍ମ ଜ୍ଞାନ, ସମାଜ ଜ୍ଞାନ, ସତ୍ୟ ଜ୍ଞାନ, କର୍ତ୍ତବ୍ୟ, ପାପ-ପୂଣ୍ୟର ବିଚାର । ଏହାକୁ ପଠନ ଓ ଶ୍ରବଣ କଲେ ମନରେ ଭକ୍ତି ଓ ଜ୍ଞାନ ଭାବ ଜାଗ୍ରତ ହୋଇଥାଏ । ସେଥିପାଇଁ କୁହାଯାଏ ‘ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ’ ।
କେଉଁଠି ହୋଇଥିଲା ଭାଗବତ ଟୁଙ୍ଗୀର ଉତ୍ପତ୍ତି
କେତେକ ତଥ୍ୟ ଅନୁସାରେ ପୁରୀର ସାତଲହରୀ ମଠରେ ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ଏହି ଭାଗବତ ଟୁଙ୍ଗୀ ପ୍ରଥମେ ଆତ୍ମପ୍ରକାଶ କରିଥିଲା । କାଳକ୍ରମେ ସମଗ୍ର ଓଡ଼ିଶାର ଗାଁ’ଗଣ୍ଡାରେ ଭାଗବତ ଟୁଙ୍ଗୀ ଗଢ଼ି ଉଠିଥିଲା । ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ୱାରା ରଚିତ ଓଡ଼ିଆ ଭାଗବତ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ
ଗ୍ରନ୍ଥ । ଆଜି ବି ଗାଁ ଗାଁରେ ଲୋକେ ଭାଗବତ ପାରାୟଣ ମାଧ୍ୟମରେ ଏହାର ପଠନ, ଶ୍ରବଣ କରିଥାନ୍ତି । ନିୟମିତ ଭାଗବତ ଅଭ୍ୟାସ କରିବା ପାଇଁ ପୁରୁଣା ଦିନରେ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗୀ ନିର୍ମାଣ କରାଯାଉଥିଲା । ଏବେ ବି ଅନେକ ଗାଁରେ ଏହା ଦେଖିବାକୁ ମିଳୁଛି । ଭାଗବତ ଟୁଙ୍ଗୀରେ ହେଉଥିବା କାର୍ଯ୍ୟକଳାପ ପୂର୍ବ କାଳରେ ଭାଗବତ ଟୁଙ୍ଗୀକୁ ଏକ ପବିତ୍ର ଗୃହ ଭାବେ ବିବେଚନା କରାଯାଉଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହା ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ ପୂଜା ଗୃହ ବୋଲି କୁହାଯାଉଥିଲା । ସଞ୍ଜ ନଇଁଲେ ଗ୍ରାମ ବଧୂମାନେ ଏକାଠି ହୋଇ ଏଠାରେ ଦୀପ ଜାଳି, ପୂଜା କରୁଥିଲେ । ଧନୀ, ଗରିବ, ଶିକ୍ଷିତ, ଅଶିକ୍ଷିତ, ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ ଭାଗବତ ଟୁଙ୍ଗୀରେ ଏକାଠି ହେଉଥିଲେ । ସଭିଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଏହା ଥିଲା ଏକ ପ୍ରମୁଖ ମାଧ୍ୟମ । ସଂକୀର୍ତ୍ତନ ଓ ପୁରାଣ ପଠନ ପରେ ଯେଉଁ ଭୋଗ ଲାଗୁଥିଲା, ସମସ୍ତେ ଆନନ୍ଦରେ ଗ୍ରହଣ କରୁଥିଲେ ।
ଗ୍ରାମବାସୀଙ୍କ ପାଇଁ କୋଠଘର
ଭାଗବତ ଟୁଙ୍ଗୀ ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ ଏକ କୋଠଘର ଭାବେ ବ୍ୟବହାର କରାଯାଉଥିଲା । ଏହି ଘରେ ସମସ୍ତ ଗ୍ରାମବାସୀଙ୍କର ସମାନ ଅଧିକାର ଥିଲା । ଏଠାରେ ଓଡ଼ିଆ ଭାଗବତ ପୋଥି ବିଧିବଦ୍ଧ ଭାବେ ପୂଜା କରାଯାଉଥିଲା । ଏଠାରେ ସାମୁହିକ ଓଷାବ୍ରତ ବି ଅନୁଷ୍ଠିତ ହେଉଥିଲା । ଭାଗବତ ଟୁଙ୍ଗୀର ଦାୟିତ୍ୱ ବିଶେଷକରି ଗ୍ରାମର ପୌଢ଼ମାନେ ନେଉଥିଲେ । ଏହାର ରକ୍ଷଣାବେକ୍ଷଣ ପାଇଁ ଦରକାର ହେଉଥିବା ଅର୍ଥ ଗ୍ରାମବାସୀମାନେ ସ୍ୱଇଚ୍ଛାରେ ପ୍ରଦାନ କରୁଥିଲେ । ଏହି ଗୃହ ସମସ୍ତଙ୍କ ପାଇଁ ସବୁ ସମୟରେ ଖୋଲା ରହୁଥିଲା । ଭାଗବତ ଟୁଙ୍ଗୀ ବାରଣ୍ଡାରେ ବସି କିଏ ମସିଣା ବୁଣୁଥିଲା ତ କେହି ମେଳି ହୋଇ ତାସ୍ ଖେଳୁଥିଲା । କିଛି ନ ହେଲେ ଏହାର ବାରଣ୍ଡାରେ ଏକାଠି ବସି ଖୁସି ମଜା, ଥଟ୍ଟା ତାମସା କରୁଥିବା ଦେଖିବାକୁ ମିଳୁଥିଲା ।
ଅତିଥିଙ୍କ ପାଇଁ ଅତିଥି ଶାଳା
ପୂର୍ବ କାଳରେ ଗାଁ’କୁ ଯଦି କେହି ଅତିଥି ଆସୁଥିଲେ, ଭାଗବତ ଟୁଙ୍ଗୀରେ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଉଥିଲା । ଏପରିକି କୌଣସି ଗ୍ରାମବାସୀଙ୍କ ଘରେ ଯଦି ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ହେଉଥିଲେ ଓ ଘରେ ସ୍ଥାନର ଅଭାବ ଥିଲେ ଏହି ଭାଗବତ ଟୁଙ୍ଗୀ ପରିସରରେ କୁଣିଆମାନଙ୍କ ରହିବା ବ୍ୟବସ୍ଥା କରାଯାଉଥିଲା । ପାଲା, ଦାସ କାଠିଆ ଦଳ ଗାଁରେ ପରିବେଷଣ କରିବାକୁ ଆସିଲେ, ସେମାନଙ୍କର ରହିବା ବ୍ୟବସ୍ଥା ବି ଏଠାରେ କରାଯାଉଥିଲା । ଏପରିକି ଭାଗବତ ଟୁଙ୍ଗୀ ଗ୍ରାମର ସୂଚନାକେନ୍ଦ୍ର ଭାବେ କାମ କରୁଥିଲା । କୌଣସି ଘଟଣା ଅଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଏଠାରେ ଏକାଠି କରି ସୂଚିତ କରାଯାଉଥିଲା । ଏଠାରେ ବସି ଗାଁର ଭଦ୍ରଲୋକ, ମୁଖିଆ ନ୍ୟାୟ, ନିଶାପ କରୁଥିଲେ । ଏଠାରେ ଯେଉଁ ନିଷ୍ପତ୍ତି ନିଆଯାଉଥିଲା, ତାହା ଲୋକେ ମାନୁଥିଲେ । ଫଳରେ ସେମାନଙ୍କୁ ଅଯଥା କୋର୍ଟ କଚେରୀର ଦ୍ୱାରସ୍ଥ ହୋଇ ଖର୍ଚ୍ଚାନ୍ତ ଓ ହଇରାଣ ହେବାକୁ ପଡ଼ୁ ନ ଥିଲା । ଗାଁର ପିଲାମାନେ ଅବଧାନଙ୍କଠାରୁ ଏଠାରେ ହିଁ ପ୍ରାଥମିକ ଶିକ୍ଷା ଆରମ୍ଭ କରୁଥିଲେ । ଶାନ୍ତି ଓ ଭାଇଚାରା ହୋଇ ବଞ୍ଚିବାର ନୈତିକ ଶିକ୍ଷା ଏଠାରୁ ହିଁ ପ୍ରାପ୍ତ ହେଉଥିଲା ।
ଏବେ ବି ବଞ୍ôଚ ରହିଛି ଭାଗବତ ଟୁଙ୍ଗୀ ସଂସ୍କୃତି
ଆଧୁନିକତାର ସଂସ୍ପର୍ଶରେ ଆସିବା ପରେ ଧିରେ ଧିରେ ଭାଗବତ ଟୁଙ୍ଗୀର ପ୍ରଭାବ କମିବାରେ ଲାଗିଛି ସତ ତଥାପି କେତେକ ଗ୍ରାମରେ ଏବେ ବି ଭାଗବତ ଟୁଙ୍ଗୀ ସଂସ୍କୃତି ବଞ୍ôଚ ରହିଛି । ଏବେ ବି ଗ୍ରାମର କେତେକ ଲୋକ ଏକାଠି ହୋଇ ଝାଞ୍ଜ, ଖୋଳ, ମୃଦଙ୍ଗ ବଜାଇ ସଂକୀର୍ତ୍ତନ କରିବା ସହିତ ପୁରାଣ ପଠନ ଓ ଶ୍ରବଣ କରୁଥିବା ଦେଖିବାକୁ ମିଳୁଛି । ଭାଗବତ ଟୁଙ୍ଗୀରେ ବଡ଼ମାନଙ୍କୁ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବା ଦେଖି ପିଲାମାନେ ବି ଭାଗବତ ଟୁଙ୍ଗୀରେ ଉପସ୍ଥିତ ହେଉଥିବା ଦେଖିବାକୁ ମିଳୁଛି । ଟିଭି, ମୋବାଇଲ୍ ଆସିବା ପରେ କ୍ରମଶଃ ଭାଗବତ ଟୁଙ୍ଗୀଗୁଡ଼ିକୁ ଲୋକେ ଆସିବା କମିବା ସହ କ୍ରମେ ଏହା ବିଲୁପ୍ତ ହୋଇ ଆସୁଥିବାବେଳେ ଏବେ ବି କେଉଁଠି ନା କେଉଁଠି ଜୀବିତ ରହିଛି । ଭାଗବତ ଟୁଙ୍ଗୀ ଗ୍ରାମୀଣ ଓଡ଼ିଶାର ଏକ ସାଂସ୍କୃତିକ କେନ୍ଦ୍ର ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ସାଂସ୍କୃତିକ ପରିଚୟ ସ୍ୱରୂପ ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର କରି ମଣିଷ ଭିତରେ ପୁଣିଥରେ ଧାର୍ମିକ ଚେତନାକୁ ଉଜ୍ଜୀବିତ କରିବା ପାଇଁ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ ।