ଓଡ଼ିଶାର ପକ୍ଷୀ ପର୍ଯ୍ୟଟନ

ଆରମ୍ଭ ହୋଇଯାଇଛି ପର୍ଯ୍ୟଟନର ଋତୁ । ଆଉ ଆମ ଓଡ଼ିଶା ହେଉଛି ପ୍ରକୃତିର ଗନ୍ତାଘର । ସେହି ପ୍ରକୃତିର କୋଳରେ ପାହାଡ଼, ଝରଣା, ପଶୁପକ୍ଷୀ ଆଦି ସବୁକିଛି ଅତି ସୁନ୍ଦର ଭାବେ ଶୋଭା ପାଆନ୍ତି ଓ ବସବାସ କରନ୍ତି । ଆଉ ଏସବୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଓଡ଼ିଶାରେ ୪୦୦ରୁ ଅଧିକ ପ୍ରଜାତିର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ ବାସ କରନ୍ତି । ଏଠାରେ ଏମିତି ଅନେକ ବୁଲିବା ସ୍ଥାନ ରହିଛି, ଯେଉଁଠି ପର୍ଯ୍ୟଟକମାନେ ଅନେକ ବିଦେଶୀ ଓ ଦେଶୀ ପକ୍ଷୀ ଦେଖିବାର ସୁଯୋଗ ପାଇପାରିବେ।

ଚିଲିକା

ମରାଳ ମାଳିନୀ ନିଳାମ୍ବୁ ଚିଲିକା । ଏହା ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଲବଣାକ୍ତ ହ୍ରଦ ଭାବେ ପରିଚିତ । ଏହାର ଉତ୍କୃଷ୍ଟ ଜୈବବିବିଧତା କେବଳ ଦେଶୀ ନୁହେଁ ହଜାର ହଜାର ପ୍ରବାସୀ ପକ୍ଷୀଙ୍କୁ ଆକର୍ଷିତ କରିଥାଏ । ଏଥିପାଇଁ ଶୀତଦିନେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ ଚିଲିକାର ନଳବଣ । ତେଣୁ ନଳବଣକୁ ‘ପକ୍ଷୀଙ୍କ ଭୂସ୍ବର୍ଗ’ ଏବଂ ‘ନଳବଣ ଆଇସଲ୍ୟାଣ୍ଡ୍’ ମଧ୍ୟ କୁହାଯାଏ ।  ଅକ୍ଟୋବରରୁ ମାର୍ଚ୍ଚ ମାସ ଭିତରେ ଏହାର ମୁଖ୍ୟ ଆକର୍ଷଣ ବିଦେଶୀ ପକ୍ଷୀକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ତେଣୁ ଏଠାରେ ବାର୍ଡ ୱାଚିଂ ପଏଣ୍ଟ୍ ସହ ବୋଟର ସୁବିଧା କରାଯାଇଛି ।  

ମଙ୍ଗଳାଯୋଡ଼ି

ଓଡ଼ିଶାର କେତେକ ପକ୍ଷୀ ବିହାର ମଧ୍ୟରୁ ମଙ୍ଗଳାଯୋଡ଼ି ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକରେ ଅବସ୍ଥିତ ମଙ୍ଗଳାଯୋଡ଼ି ହେଉଛି ଏକ ଆର୍ଦ୍ରଭୂମି । ତେଣୁ ଏଠାକାର ଜଳବାୟୁ ପକ୍ଷୀଙ୍କ ପାଇଁ ଉପଯୁକ୍ତ । ଶୀତଦିନେ ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠେ ଏହି ସ୍ଥାନ । ଏଠାରେ ବୋଟ୍ ଲଞ୍ଚ୍ ବଦଳରେ ପାରମ୍ପରିକ ଡଙ୍ଗାରେ ବସି ମଙ୍ଗଳାଯୋଡ଼ିର ସୁନ୍ଦରତାକୁ ପର୍ଯ୍ୟଟକମାନେ ଉପଭୋଗ କରିବା ସହ ଅତି ନିକଟରୁ ବିଦେଶୀ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଆନ୍ତି ।  

ଭିତରକନିକା

ଓଡ଼ିଶାର ଜୈବ ବିବିଧତାର ସବୁଠୁ ବଡ଼ ପରିଚୟ ହେଉଛି କେନ୍ଦ୍ରାପଡ଼ାର ଭିତରକନିକା । ଏଠାରେ ଦେଶୀୟ ପକ୍ଷୀଙ୍କୁ ବର୍ଷ ତମାମ ଦେଖିବାକୁ ମିଳିଥାଏ । ଏହାର ବଗ ଗହନରେ ଶୀତଦିନେ ଅପେକ୍ଷା ବର୍ଷାଦିନେ ଦେଶୀ ପକ୍ଷୀ ବସା ବାନ୍ଧି ଅଣ୍ଡା ଦେବାର ଦୃଶ୍ୟ ଖୁବ ସୁନ୍ଦର । ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୱାଚ ଟାୱାର ନିର୍ମାଣ କରାଯାଇଛି, ଯେଉଁଠାରୁ ଲକ୍ଷାଧିକ ପକ୍ଷୀ ଦେଖିବାର ସୁଯୋଗ ପାଇଥାନ୍ତି । ସେହିପରି ଭିତରକନିକାର ମଠଆଡ଼ିଆରେ କେତେକ ବିରଳ ପକ୍ଷୀକୁ ଗତ କିଛି ବର୍ଷ ମଧ୍ୟରେ ଠାବ କରାଯାଇଛି ।

ଚାନ୍ଦିପୁର

ଜଳ ଅଦୃଶ୍ୟ ହେବା ଏବଂ ପୁନର୍ବାର ଦେଖାଯିବାର ବୈଶିଷ୍ଟ୍ୟ ପାଇଁ ଜଣାଶୁଣା ଚାନ୍ଦିପୁର ବେଳାଭୂମି ବାଲେଶ୍ବର ସହରଠାରୁ ମାତ୍ର 16 କିମି ଦୂରରେ ଅବସ୍ଥିତ । ଏହି ଆଦ୍ରଭୂମି ପକ୍ଷୀମାନଙ୍କ ଦ୍ବିତୀୟ ଘର କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଦେଶୀ ପକ୍ଷୀଙ୍କଠାରୁ ଆରମ୍ଭ କରି ବିଦେଶୀ ପକ୍ଷୀଙ୍କ ପ୍ରିୟ ସ୍ଥାନ ହେଉଛି ଏହି ବେଳାଭୂମି । ଏଠାରେ ପ୍ରାୟ 130 ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି । ଦେଶୀୟ ପକ୍ଷୀ ପ୍ରଜନନ ପାଇଁ ବର୍ଷସାରା ଏଠାରେ ଦୃଶ୍ୟମାନ ହେଉଥିବା ବେଳେ ଶୀତଦିନେ ବିଦେଶାଗତ ପକ୍ଷୀଙ୍କ କଳରବରେ ଏହି ସ୍ଥାନ କମ୍ପି ଉଠେ । ଚାନ୍ଦିପୁର ବେଳାଭୂମିରେ ପକ୍ଷୀ ଦେଖିବାର ସବୁଠୁ ଉପଯୁକ୍ତ ସମୟ ହେଉଛି ନଭେମ୍ବରରୁ ମାର୍ଚ୍ଚ ମାସ ।

ସାତକୋଶିଆ

ବାଘ ପାଇଁ ସାତକୋଶିଆ ଅଭୟାରଣ୍ୟ ବେଶ୍ ଜଣାଶୁଣା । ଏଥିସହ ଏହା ଘଡ଼ିଆଳ କୁମ୍ଭୀରଙ୍କ ପ୍ରଜନନ ପାଇଁ ମଧ୍ୟ ଏକ ପ୍ରକୃଷ୍ଟ ସ୍ଥାନ । କିନ୍ତୁ ଶୀତଦିନେ ଆସିଲେ ବିଦେଶାଗତ ପକ୍ଷୀଙ୍କ ଏହା ପସନ୍ଦର ବାସସ୍ଥାନ ପାଲଟିଯାଏ । କାହିଁ କେତେଦୂର ସାତ ଦରିଆ ପାରି କରି ଅତିଥି ପକ୍ଷୀମାନେ ଆସି ସାତକୋଶିଆ ଗଣ୍ଡ ଓ ବାଲୁକା ଶଯ୍ୟାରେ ପହଞ୍ଚନ୍ତି । ତେଣୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଶୀତଦିନେ ପାଲଟିଯାଏ ପକ୍ଷୀ ଅଭୟାରଣ୍ୟ । ବିଭିନ୍ନ ପ୍ରକାରର ରଙ୍ଗୀନ ବିଦେଶୀ ପକ୍ଷୀକୁ ଦେଖିବାକୁ ଚାହୁଁଥିଲେ ଶୀତଦିନେ ସାତକୋଶିଆ ବୁଲିବାକୁ ଯାଆନ୍ତୁ।

ମୁଣ୍ଡୁଳୀର ମୟୂର ଭ୍ୟାଲି

କଟକର ମୁଣ୍ଡୁଳୀ ମୟୂରଙ୍କ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି । ମଣିଷ- ମୟୂରର ସମ୍ପର୍କକୁ ଖୁବ ସୁନ୍ଦର ଭାବେ ଉପସ୍ଥାପିତ କରେ ଏହାର ପରିବେଶ ।  ଏଠାରେ କାହ୍ନା ବେହେରା ନାମକ ବ୍ୟକ୍ତିଙ୍କ ପାଇଁ ଗଢିଉଠିଛି ଏହି ମୟୂର ଉପତ୍ୟକା, ଯେଉଁଠାରେ ଏବେ ପ୍ରାୟ 160ରୁ ଅଧିକ ମୟୂର ବାସ କରୁଛନ୍ତି । ଏହି ମୟୂର ଏବଂ କାହ୍ନାଙ୍କ ମଧ୍ୟରେ ରହିଛି ଏକ ନିଆରା ସମ୍ପର୍କ, ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟକ ପର୍ଯ୍ୟଟକ ପ୍ରତିଦିନ ବୁଲିବା ପାଇଁ ଆସୁଛନ୍ତି ।

କେନ୍ଦୁଝର ବନଖଣ୍ଡ

କେନ୍ଦୁଝର ଜିଲ୍ଲାର ବନଖଣ୍ଡର ଥିବା ବଡ଼ ବଡ଼ ଜଳାଶୟରେ ଶୀତଦିନେ ଅନେକ ପକ୍ଷୀ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥାଏ । ଏପରିକି ବିରଳ ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି । ଏହାସହ ଅକ୍ଟୋବର ମାସ ଆରମ୍ଭରୁ କୋଡ଼ିପଶା, ବଡ଼ଘାଗରା, କାନଝରୀ, ହତଗଡ଼ ଡ୍ୟାମରେ ବିଦେଶୀ ପକ୍ଷୀଙ୍କ ଆଗମନ ହୁଏ । ସେହିପରି ଗତ ଦୁଇ ତିନି ବର୍ଷରୁ ଜିଲ୍ଲାର ବିଭିନ୍ନ ଜଳାଶୟରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଛି । ରେଡ୍ ହେଡେଡ୍ ଡକ୍ ନାମକ ପକ୍ଷୀ ଶୀତଦିନେ ଆସୁଥିବା ପରିଲକ୍ଷିତ ହୋଇଛି ।

ଅନ୍ୟାନ୍ୟ ପକ୍ଷୀ ପର୍ଯ୍ୟଟନସ୍ଥଳୀ

 ବାଲେଶ୍ବର ଜିଲ୍ଲା ପଞ୍ଚଲିଙ୍ଗେଶ୍ବରର ସଂରକ୍ଷିତ ଜଙ୍ଗଲକୁ ଆସିଥାନ୍ତି ଅନେକ ବିଦେଶୀ ପକ୍ଷୀ । ଏଠାକୁ ପାଏଡ ଥ୍ରସର ନାମକ ଏକ ବିଦେଶୀ ପକ୍ଷୀ ହିମାଳୟରୁ ଆସିଥାନ୍ତି । ସେହିପରି କଟକ ବାଙ୍କୀ ଉପଖଣ୍ଡର ଅରାଚଣ୍ଡା ୱେଟ୍ ଲ୍ୟାଣ୍ଡରେ ପ୍ରତି ବର୍ଷ ପ୍ରାୟ 10 ହଜାରରୁ ଅଧିକ ପକ୍ଷୀଙ୍କର ସମାଗମ ହୋଇଥାଏ । ରିପୋର୍ଟ ଅନୁଯାୟୀ ଏଠାରେ ଦିନକୁ ଦିନ ବିଦେଶାଗତ ପକ୍ଷୀମାନଙ୍କର ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଗଣନା ଅନୁସାରେ ପ୍ରାୟ 113 ପ୍ରଜାତିର 7 ହଜାରରୁ ଅଧିକ ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି, ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଓ ଆଳି ବ୍ଲକ ମଧ୍ୟରେ ବ୍ରାହ୍ମଣୀନଦୀର ଏକମାଣିଆଠାରେ ନଦୀ ଭିତରେ ଗତ କିଛି ବର୍ଷ ଭିତରେ ସୃଷ୍ଟି ହୋଇଥିବା ବାଲିଡିଆ ଦ୍ବୀପରେ ବିଭିନ୍ନ ପ୍ରକାରର ଦେଶୀ ପକ୍ଷୀ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଗେଣ୍ଡାଳିଆ, ରାଣୀବଗ, ମଝିଆଁ ବଗ, ଛୋଟ ବଗ, ଖଇରା ବଗ, ଅନ୍ଧାରୀ ବଗ, ଦା ବେଣ୍ଟିଆ  ଓ ପାଣିକୁଆ ଆଦି ପକ୍ଷୀ ବସା କରି ଏଠାରେ ଅଣ୍ଡା ଦେଇଥାନ୍ତି ।

ଏହା ବ୍ୟତୀତ ଆମ ରାଜ୍ୟରେ ଅନେକ ସ୍ଥାନରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି । ଯେଉଁଠି ପର୍ଯ୍ୟଟକମାନେ ପ୍ରକୃତିକୁ ଉପଭୋଗ କରିବା ସହ ବିଭିନ୍ନ ପ୍ରକାର ପକ୍ଷୀ ଏବଂ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ ।

Spread the love