ଚାତୁର୍ଯ୍ୟ ପୁର୍ଣ୍ଣ ଗମ୍ଭୀର ଶବ୍ଦମାଳାକୁ ଗୁନ୍ଥି ଓଡ଼ିଆ ସାହିତ୍ୟକୁ ଅନେକ କାଳଜୟୀ ରଚନା ଭେଟି ଦେଇଛନ୍ତି ଫକୀରମୋହନ ସେନାପତି । ତାଙ୍କ ରଚନାବଳୀ ଯେତେ ସୁନ୍ଦର, ସେତେ ଜଟିଳ ଏଣୁ ବ୍ୟାସକବି ଉପାଧିରେ ଭୂଷିତ ହୋଇଥିଲେ ଓଡ଼ିଶା ମାଟିର ବରପୁତ୍ର । ସାହିତ୍ୟ ଜଗତରେ ଲେଖକ, ଗାଳ୍ପିକ, କବି ଭାବରେ ଏବଂ ସମାଜ ପାଇଁ ଦାର୍ଶନିକ ଓ ସମାଜ ସଂସ୍କାରକ ଭାବେ ବ୍ୟାସକବିଙ୍କର ବଳିଷ୍ଠ ଖ୍ୟାତି ରହିଛି । ବାଲେଶ୍ୱର ଜିଲ୍ଲା ମଲିକାଶପୁର ଗ୍ରାମରେ ଜନ୍ମିତ ଫକୀରମୋହନଙ୍କ ପାଇଁ ଶୈଶବରୁ ଅର୍ଥାଭାବ ଶିକ୍ଷାରେ ବାଧକ ସାଜିଥିବାରୁ ମାତ୍ର ୧୮ ବର୍ଷରୁ ସେ ଶିକ୍ଷକତା ବୃତ୍ତି ଆପଣେଇ ନେଇଥିଲେ । ହେଲେ ଜ୍ଞାନ ଓ ପ୍ରତିଭାର ଅଧିକାରୀ ଭାବେ ଇଂରାଜୀ, ସଂସ୍କୃତ, ବଙ୍ଗଳା ଓ ଓଡ଼ିଆ ଭାଷାର ସାହିତ୍ୟ ଚର୍ଚ୍ଚାରେ ଭାଗନେଇ ନିଜକୁ ସର୍ବଦା ଦକ୍ଷ ପ୍ରମାଣିତ କରି କୃତିତ୍ୱ ଅର୍ଜନ କରିଥିଲେ । ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ପ୍ରାୟ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀର ମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀର ମାନଙ୍କ ସମ୍ମାନରେ ତାଙ୍କ ଜେଜେମା ବ୍ରଜମୋହନ ନାମ ବଦଳାଇ ଫକୀରମୋହନ ରଖିଥିଲେ ।
ଯେବେ ଓଡ଼ିଆ ଜାତି ନିଜ ଭାଷା ଓ ପରିଚୟ ପାଇଁ ସଂଘର୍ଷର ଯୁଦ୍ଧ କରୁଥିଲା, ସେବେ ନିଜ ଲେଖନୀ ଅସ୍ତ୍ରରେ ଏହି ସଂଗ୍ରାମ ଦୃଢ଼଼ ନେତୃତ୍ୱ ନେଇ ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଫକୀରମୋହନ । କ୍ଷୁଦ୍ର ଗଳ୍ପ ଓ ସଂସ୍କାରଧର୍ମୀ ଲେଖନୀର ସମାହାରରେ ସେ ଆଧୁନିକ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଜାତୀୟତାବାଦୀର ଜନକ ଭାବେ ସୁପରିଚିତ ।
ଛ’ମାଣ ଆଠ ଗୁଣ୍ଠ, ମାମୁଁ ଓ ପ୍ରାୟଶ୍ଚିତ ଭଳି କାଳଜୟୀ ରଚନା ସାମାଜିକ ଜୀବନର ବାସ୍ତବଧର୍ମୀ ବ୍ୟବସ୍ଥାର ଛବି ଦେଖାଏ । ଛ’ ମାଣ ଆଠ ଗୁଣ୍ଠ, ଭୂମିହୀନ ଚାଷୀର ଶୋଷଣ ଚିତ୍ରକୁ ଗଳ୍ପର ରୂପ ଦେବାରେ ପ୍ରଥମ ଭାରତୀୟ ଉପନ୍ୟାସ । ପେଟେଣ୍ଟ ମେଡ଼ିସିନ, ଡାକମୁନିସୀ ଭଳି ଗଳ୍ପ ଆଜି ମଧ୍ୟ ପାଠକର ହୃଦୟ ବାନ୍ଧି ରଖୁଛି । ୧୮୯୮ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ‘ରେବତୀ’ ପ୍ରଥମ କ୍ଷୁଦ୍ର ଗଳ୍ପ ଭାବେ ସମାଜରେ ଝିଅର ଶିକ୍ଷାକୁ ନେଇ ପ୍ରଚଳିତ କୁପ୍ରଥାର ଦାରୁଣ ଚିତ୍ର ବଖାଣିଥାଏ । ଫକୀରମୋହନଙ୍କ ଦ୍ୱାରା ରଚିତ ‘ଆତ୍ମ ଜୀବନ ଚରିତ’ ହେଉଛି ଓଡ଼ିଶାର ପ୍ରଥମ ଆତ୍ମକାହାଣୀ । କ୍ଷୁଦ୍ର ଗଳ୍ପ ଲେଖନୀର ସ୍ରଷ୍ଟା ଫକୀରମୋହନଙ୍କର ରାଣ୍ଡିପୁଅ ଅନନ୍ତା, ସଭ୍ୟ ଜମିଦାର, ସୁନାବୋହୂ, ଅଜାନାତିକଥା, ବଗଲାବଗୁଲି, ଧୂଳିଆବାବା ଓ ପାଠୋଈ ବହୁ ଭଳି ଆହୁରି ବିଭିନ୍ନ ଗଳ୍ପ ରହିଛି ଯାହା ସମାଜର ବାସ୍ତବତାର ଦୃଶ୍ୟ ଆଙ୍କିଥାଏ । ଫକୀରମୋହନଙ୍କର ସାହିତ୍ୟ ପ୍ରତି ଥିବା ଉଲ୍ଲେଖନୀୟ ଅବଦାନ ଦେଖି ମାୟାଧର ମାନସିଂହ ତାଙ୍କୁ ଓଡ଼ିଶାର ଥୋମାସ ହାର୍ଡ଼ି ବୋଲି ବର୍ଣ୍ଣନା କରିଥିଲେ ।
ନିଜ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାରେ ୧୮୬୮ ମସିହାରେ ଫକୀର ମୋହନଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ‘ଉତ୍କଳ ପ୍ରେସ୍’। ପ୍ରେସ୍ର ପ୍ରତିଷ୍ଠା କେବଳ ସାହିତ୍ୟର ସମୃଦ୍ଧି ନୁହେଁ ବରଂ ଲୋକଙ୍କ ମନରେ ଜାତୀୟତାଭାବ ଓ ଜାତୀୟ -ପ୍ରୀତି ଉଦ୍ରେକ କରିବା ପାଇଁ ପ୍ରକୃଷ୍ଟ ମାର୍ଗ ଯୋଗାଇଥିଲା । ଫକୀରମୋହନଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ବୋଧଦାୟିନୀ’, ‘ସମ୍ବାଦ ବାହିକା’ ଓ ‘ନବସମ୍ବାଦ’ ଆଦି ପତ୍ରିକା ଜନାଦୃତି ଲାଭ କରିଥିଲା । ଓଡ଼ିଆ ଭାଷାର ସୁରକ୍ଷା ଅଭିଯାନ ସହ ଲେଖନୀ ଚାଳନା କରି ବ୍ରିଟିଶ୍ଙ୍କ ଅତ୍ୟାଚାରୀ ଶାସନ ବିରୋଧରେ କଲମ ମାଧ୍ୟମରେ ସ୍ୱର ଉତ୍ତୋଳନ କରିଥିଲେ ଓଡ଼ିଆ ସାହିତ୍ୟ ସମାଜର ଆଧୁନିକ ପୃଷ୍ଠାର ସ୍ରଷ୍ଟା ଓ ଓଡ଼ିଆ ଜାତିର ମଙ୍ଗଧର ଫକୀରମୋହନ ସେନାପତି ।